ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି

ଭୁବନେଶ୍ୱର : ଓଡ଼ିଶା ହେଉଛି ଭାରତବର୍ଷରେ ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାଧାରଣ ସଭାରେ ଅପମାନିତ କରିବା ସହ ବିଧାୟକଙ୍କ ବିରୋଧରେ ଭାଷଣବାଜୀ ମଧ୍ୟ କରୁଛନ୍ତି, କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏ ସରକାର ଶକ୍ତିହୀନ କାହିଁକି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି ପ୍ରଶ୍ନ ପ୍ରଚାରିଛନ୍ତି । ସେ କହିଛନ୍ତି ରାଜ୍ୟର ଆଇନର ଶାସନ ପରିବର୍ତେ କିଭଳି ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି? ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ତାଙ୍କର ବ୍ୟକ୍ତିଗତ ସଚିବ ସାରା ରାଜ୍ୟ ଗ୍ରସ୍ତ କରିବା ଏବଂ ଗ୍ରସ୍ତକରିବା ଛଳରେ ସଭାସମିତିରେ ରାଜନୈତିକ ଭାଷଣବାଜି କରିବା ଏପରିକି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅପମାନିତ କରିବା କାର୍ଯ୍ୟକୁ ସେ କଡ଼ା ଭାଷାରେ ନିନ୍ଦା କରିବା ସହିତ ଦୃଢ଼ ଭାବରେ ବିରୋଧ କରିଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଆମ ସମ୍ବିଧାନରେ ବ୍ୟବସ୍ଥାପିକା, କାର୍ଯ୍ୟାପାଳିକା ଓ ନ୍ୟାୟପାଳିକା ମଧ୍ୟରେ କିଏ କେଉଁକାମ କରିବ ଏହାର ସଂପୂର୍ଣ୍ଣ ବାଖ୍ୟା କରାଯାଇଛି ।

ପ୍ରତ୍ୟେକ ସୀମାରେଖା ମଧ୍ୟରେ ରହି କାର୍ଯ୍ୟ କରିବା ଉଚିତ । କିନ୍ତୁ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କି ଲୋକଙ୍କ ଦ୍ୱାରା ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଓ ତାଙ୍କର ଭୂମିକାକୁ ସଂପୂର୍ଣ୍ଣ ଭାବରେ ନ୍ୟୁନ କରିଦିଆଯାଉଛି । ଏହାଦ୍ୱାରା ସମ୍ବିଧାନ ବିରୋଧି କାର୍ଯ୍ୟକୁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ଏଭଳି ଅଧପତନ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ନେତୃବର୍ଗଙ୍କ ଦୀର୍ଘ ନିରବତା ହିଁ ଦାୟୀ । ଗଣତନ୍ତ୍ରର ଗଣ ହେଉଛନ୍ତି ସର୍ବମାନ୍ୟ । ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ସାଧାରଣ ସଭାରେ ଅପମାନିତ କରିବା ପାଇଁ ତାଙ୍କୁ ଏ ସାହସ ଦେଲା କିଏ? କଂଗ୍ରେସ ଏଭଳି ପରିସ୍ଥିତିକୁ ବରଦାସ୍ତ କରିବ ନାହିଁ । ସରକାରୀ ଅଧିକାରୀମାନେ ନିଜ ସୀମା ଭିତରେ ରହି କାମ କରନ୍ତୁ । ସୀମା ଉଲ୍ଲଙ୍ଘନ କଲେ କଂଗ୍ରେସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ ।

ଓଡ଼ିଶାର ଜନସାଧାରଣ ବିଚାର କରିବାର ସମୟ ଆସିଛି ଯେଉଁ ବିଜୁ ଜନତା ଦଳର ନେତୃବୃନ୍ଦଙ୍କୁ ନିଜ ଅଂଚଳରୁ ନିର୍ବାଚିତ କରି ପଠାଇଥିଲେ, ସେମାନେ ରାଜ୍ୟରେ ଏଭଳି ସ୍ଥିତିକୁ ଦେଖି କାହିଁକି ପ୍ରତିବାଦ କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ରାଜ୍ୟର ସମସ୍ତ ଜିଲ୍ଲାକୁ ଗ୍ରସ୍ତ କରୁଛନ୍ତି ଜନ ଶୁଣାଣି ଅଭିଯୋଗ ନାମରେ ରାଜନୈତିକ ଭାଷଣବାଜି କିପରି ଓ କାହିଁକି କରୁଛନ୍ତି? କଲେଜର ଛାତ୍ରଛାତ୍ରୀମାନଙ୍କୁ ଏ ସଭାକୁ କାହିଁକି ବୁହାହୋଇ ଅଣାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀ ୨୦୦୯ ମସିହାରେ ନିର୍ଦ୍ଦେଶ ଦେଇଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ କୌଣସି ରାଜନୈତିକ କାର୍ଯ୍ୟକ୍ରମକୁ ନ ଆଣିବା ପାଇଁ କିନ୍ତୁ ଏବେ କଲେଜର ପ୍ରିନ୍ସିପାଲମାନେ ଚିଠି ଲେଖି ଛାତ୍ରଛାତ୍ରୀମାନଙ୍କୁ ଭୟଭିତ କରାଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ସଭାକୁ ବୁହାହୋଇ ଅଣାଯାଉଛି କାହିଁକି? ଏ ନିଷ୍ପତି ପୁଣି ନେଲା କିଏ? ଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ କାଟ କରି ପୁର୍ନବାର କିଏ ନିଷ୍ପତି ନେଉଛି ଏହା ରାଜ୍ୟବାସୀ ଜାଣିବା ଉଚିତ । ରାଜ୍ୟରେ ମହିଳା ନିର୍ଯ୍ୟାତନା ଭାରତ ବର୍ଷରେ ଆଜି ଶିର୍ଷରେ ।

ଏ ରାଜ୍ୟରେ ପ୍ରତିଦିନ ୭ ଜଣ ମହିଳା ଉତ୍ପଡ଼ୀନ, ଅତ୍ୟାଚାରରେ ଶୀକାର ହେଉଛନ୍ତି । ହଜାର ହଜାର ମହିଳା ପ୍ରତିବର୍ଷ ରାଜ୍ୟ ବାହାରକୁ ଚାଳାଣ ହେଉଛନ୍ତି । ରାଜ୍ୟରେ ଗତବର୍ଷ ତୁଳନାରେ ୩୭.୧ ପ୍ରତିଶତ ମହିଳା ଅପହରଣର ବୃଦ୍ଧି ଘଟିଛି । ଏହି କିଛିଦିନ ଭିତରେ ନାରୀନିର୍ଯ୍ୟାତନା ପରିମାଣରେ ବହୁ ବୃଦ୍ଧି ଘଟିଛି । କଟକ ଜିଲ୍ଲା ମାହାଙ୍ଗାର ଗୋକର୍ଣ୍ଣ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଶରତ ନାୟକ ଝିଅର ବାପା ସହିତ ମିଶି ଝିଅକୁ ମାରିଦେଲେ । ଝିଅର ପୋଷ୍ଟମଟର୍ମ କରିବା ପରିବର୍ତେ ମାହାଙ୍ଗା ଏସ୍‌ଡିପିଓ ଏବଂ ଆଇଆଇସିଙ୍କ ସହାୟତାରେ ଶବକୁ ପୋଡ଼ି ଦିଆଗଲା ଏବଂ ପରେ ପାଉଁଶଠାରୁ ହାଡ ପର୍ଯ୍ୟନ୍ତ ସବୁ ନଦୀକୁ ଫିଙ୍ଗି ଦିଆଗଲା । ଆଇଆଇସି ଏବଂ ଏସଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ । କିନ୍ତୁ କଂଗ୍ରେସ ଆଜି ମାହାଙ୍ଗା ଥାନା ଘେରାଉ କରୁଛି ।

ଅନୁଗୁଳ ଜିଲ୍ଳାର ମହିଳା ହୋମଗାର୍ଡ଼ ସୌରିନ୍ଦ୍ରି ସାହୁ ଅନୁଗୁଳ ରେଞ୍ଜର ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀ ଦ୍ୱାରା ବାରମ୍ବାର ଅତ୍ୟାଚାରର ଶିକାର ହେଉଥିଲେ । ଡିଆଇଜିଙ୍କ ପତ୍ନିଙ୍କ ଅତ୍ୟାଚାର ଏବଂ ଚାକିରୀ ନେଇଯିବାର ଧମକ ଯୋଗୁଁ ମାନସିକ ସ୍ତରରେ ଅତ୍ୟନ୍ତ ଆଘାତପ୍ରାପ୍ତ ହେତୁ ଆତ୍ମହତ୍ୟା କରିବାପାଇଁ ଉଦ୍ୟମ କରି ନିଜର ଦୁଇଟି ଗୋଡ଼ ସବୁଦିନ ପାଇଁ ହରାଇ ବସିଲେ । ଆଜି ପର୍ଯ୍ୟନ୍ତ ଡିଆଇଜିଙ୍କ ପତ୍ନିଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେଲନାହିଁ ଏବଂ ଡିଆଇଜି ବ୍ରିଜେଶ ରାୟଙ୍କ ବିରୁଦ୍ଧରେ ମଧ୍ୟ ଏଫଆଇଆର ରୁଜୁ ହେଲାନାହିଁ । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ବୋଲି କ’ଣ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବନାହିଁ କି? ଏହା କ’ଣ ଆଇନର ଶାସନ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚୀବଙ୍କ ଗଞ୍ଜାମ ସଭାସ୍ଥଳକୁ ବୁହାହୋଇ ଆସୁଥିବା ଜନୈକ +୨ ଛାତ୍ରୀ ସଂନ୍ଧ୍ୟା ସେଠୀ ଅତ୍ୟନ୍ତ ଗୁରୁତ୍ୱର ଭାବରେ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ।

ପିଲାଙ୍କର କ୍ଲାସ ବନ୍ଦ କରି ଜଣେ ସଚିବଙ୍କ ସଭାସ୍ଥଳକୁ କାହଁକି ଅଣାଯାଉଛି? ଛାତ୍ରଛାତ୍ରୀମାନଙ୍କ ବିରୋଦ୍ଧ ସତ୍ୱେ ସେମାନଙ୍କୁ ବୁହାହୋଇ ଅଣାଯାଉଛି କାହିକି? ଏହା କ’ଣ ଆଇନର ଶାସନ? ଜିଲ୍ଲାର ଜିଲ୍ଲାପାଳ, ସବ୍ କଲେକ୍ଟର, ବିଡ଼ିଓ ଓ ତହସିଲଦାର ଏମାନେ କ’ଣ ଲୋକଙ୍କ କଥା ଶୁଣୁନାହାନ୍ତି କି? ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କର ଜିଲ୍ଲା ଗ୍ରସ୍ତ କି ? ରାଜ୍ୟରେ ଦୀର୍ଘ ୨୩ ବର୍ଷକାଳ ଭିତରେ କାହିଁକି ୫ଟି ସଚୀବ ଗ୍ରସ୍ତ କରୁନଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଗୁରୁତର ଅସୁସ୍ଥ । କୌଣସି କାମ କରିପାରୁନାହାନ୍ତି । ଏଥିପାଇଁ ତାଙ୍କ ବ୍ୟକ୍ତିଗତ ସଚୀବ ମୁଖ୍ୟମନ୍ତ୍ରୀଙ୍କ ଭଳି ଆଚରଣ ଓ ଉଚ୍ଚାରଣରେ ବ୍ୟବହାର ପ୍ରଦର୍ଶନ କରିବା ଠିକ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି?

କଂଗ୍ରେସ ଦଳର ବିଧାୟକ ତଥା କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଜଣେ ସଚୀବ ଜଣେ ଲୋକ ପ୍ରତିନିଧିଙ୍କୁ ଅପମାନିତ କରିପାରିବ ନାହିଁ । ତାଙ୍କ ବିରୋଦ୍ଧରେ କୌଣସି ଟିପ୍ପଣି କରିପାରିବ ନାହିଁ ଏହା ରୁଲ୍‌ବୁକ୍ ୪୭ ର ଖୋଲାଖୋଲି ଉଲଙ୍ଘନ ହେଉଛି । ବିଜୁ ଜନତା ଦଳର ସମସ୍ତ ବିଧାୟକ କାହିଁକି ଏ ସମସ୍ତ ଘଟଣା ପ୍ରତି ଚୁପ୍ ରହିଛନ୍ତି ଏବଂ ମୁହଁ ଖୋଲୁନାହାନ୍ତି ଏହା ରାଜ୍ୟବାସୀ ବିଚାର କରିବା ଉଚିତ୍ । ମୁଖ୍ୟମନ୍ତ୍ରୀଙ୍କୁ ଟମାଟୋ ମାରିଲେ ୩୦୭ କେସ୍ ହୁଏ । କିନ୍ତୁ ବିଧାୟକଙ୍କୁ ପଥର, ପାଣି ବୋତଲ ଓ ଅଣ୍ଡା ମାଡ଼ କଲାପରେ ମଧ୍ୟ ପୁଲିସ୍ କାହାରି ବିରୁଦ୍ଧରେ କେସ୍ କଲା ନାହିଁ କାହିଁକି ? ବିଧାୟକଙ୍କର ଗାଡ଼ି ଉପରେ ଚଢ଼ି ତାଙ୍କୁ ଆକ୍ରମଣ କରୁଥିଲାବେଳେ ପୁଲିସ୍ ସେମାନଙ୍କୁ ଲାଠି ଚାର୍ଜ କଲା ନାହିଁ କାହିଁକି? ତାଙ୍କୁ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା କ’ଣ ଆଇନ୍‌ର ଶାସନ କି? ପୂର୍ବତନ ମନ୍ତ୍ରୀ ତଥା ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ସହିତ ଯେଉଁ ୬ ରୁ ୭ ଜଣ ଗୋଲାପି ରଙ୍ଗର ଗଞ୍ଜି ପିନ୍ଧି ହୃଷ୍ଟପୃଷ୍ଟ ଯୁବକମାନେ ଘେରି ରହି ସୁରକ୍ଷା ଦେଉଛନ୍ତି ସେମାନେ କେଉଁ ବିଭାଗର ଅଧିକାରୀ । ନା ସେମାନେ ପୁଲିସ୍ ଅଧିକାରୀ ନା ଗୁଣ୍ଡା ।

ଏ ରାଜ୍ୟର ଅଧିକାରୀମାନେ ଗୁଣ୍ଡା ନେଇ ସଭାସ୍ଥଳକୁ ଯାଉଛନ୍ତି ଏହା ଠାରୁ ଅତ୍ୟନ୍ତର ଲଜ୍ଜାଜନକ ବିଷୟ ଆଉ କ’ଣ ହୋଇପାରେ? ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ରାଜ୍ୟରେ ନାରୀ ନିର୍ଯ୍ୟାତନା ଯେଉଁ ବେଗରେ ବଢ଼ି ଚାଲିଛି ତାହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏ ରାଜ୍ୟରେ ମହିଳାମାନେ ଆଦୌ ସୁରକ୍ଷିତ ନୁହଁନ୍ତି । ପ୍ରତିଦିନ ବହୁ ମହିଳା ନିର୍ଯ୍ୟାତିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଜିଲ୍ଲାଗ୍ରସ୍ତକୁ ହେଲିକପ୍ଟରରେ ଆସୁଥିଲାବେଳେ ସଭାସ୍ଥଳକୁ ମହିଳାମାନଙ୍କୁ ଡାଲା ଅଟୋରେ ବୁହାହୋଇ ଆଣିବା ଏହା ତାଙ୍କୁ କିଭଳି ସମ୍ମାନ ପ୍ରଦର୍ଶନ କରାଯାଉଛି । ମୁଖ୍ୟମନ୍ତ୍ରୀ କହୁଥିଲେ ଗାଁକୁ କାମ ମା କୁ ସମ୍ମାନ । କିନ୍ତୁ ରାଜ୍ୟରେ ମା ମାନଙ୍କୁ କିଭଳି ସମ୍ମାନ ମିଳୁଛି ତାହା ଅନୁଗୁଳ ସୌରନ୍ଦ୍ରୀ ସାହୁଙ୍କ ଘଟଣାରୁ ବେଶ୍ ବୁଝାପଡ଼ୁଛି । ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା କହିଲେ ଯେ ରାଜ୍ୟରେ ୫ ଟି ଧାରାର ଶାସନ ଚାଲିଛି ବୋଲି ବିଜୁ ଜନତା ଦଳ ଡିଣ୍ଡିମ ପିଟୁଛନ୍ତି ।

ଏହି ୫ ଟି ମଧ୍ୟରେ ଗୋଟିଏ ଟିର ଅର୍ଥ ହେଉଛି ଟେକ୍ନୋଲୋଜି । ଯଦି ରାଜ୍ୟର ଟେକ୍ନୋଲୋଜିର ଗୁରୁତ୍ୱାରୂପ କରାଯାଉଛି ତାହାଲେ ଟେକ୍ନୋଲୋଜି ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାର ଥିବା ଅଭାବ ଅସୁବିଧାର ସମାଧାନ କରିବା ପରିବର୍ତେ ଜିଲ୍ଲାକୁ ଗ୍ରସ୍ତ କରିବା କ’ଣ ଆବଶ୍ୟକତା ପଡ଼ୁଛି । ଏଥିପାଇଁ ଏତେ ଖର୍ଚ୍ଚ କାହିଁକି କରାଯାଉଛି । ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଅର୍ଥକୁ ମଧ୍ୟ ବଂଚା ଯାଇପାରିବ । ଏହା କାହିଁକି କରାଯାଉନାହିଁ । ଏହାର ଉତର ମୁଖ୍ୟମନ୍ତ୍ରୀ ରଖିବେ କି? ଆମ ସମ୍ବିଧାନ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ଧାରା ୫୦ ଅନୁସାରେ ପୃଥିକୀକରଣ କରିଛନ୍ତି, ଯଦ୍ୱାରା କି ପ୍ରତ୍ୟେକଙ୍କ ସୀମା ଭିତରେ ରହି କାର୍ଯ୍ୟ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଶାରୀରିକ ଅସୁସ୍ଥତାର ଫାଇଦା ନେଇ କାର୍ଯ୍ୟପାଳିକା ବ୍ୟବସ୍ଥାପିକାକୁ କିପରି ଛୋଟ କରିଦେଉଛି । ଏହା ଘୋର ସମ୍ବିଧାନ ବିରୋଧି । କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି । ଗତକାଲି ଗଞ୍ଜାମରେ ଯେଉଁ ଘଟଣା ଘଟିଲା, ତାହା ଆମ ଗଣତନ୍ତ୍ର ପାଇଁ ଏକ କଳାଦିନ ବୋଲି ସେ କହିଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ରଶ୍ମି ମହାପାତ୍ର ଧନ୍ୟବାଦ ଦେବା ସହ କଲେଜର ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ସଭାସ୍ଥଳକୁ ବୋହିବା ପରିବର୍ତେ
ଛାତ୍ରଛାତ୍ରୀମାନଙ୍କ ନିର୍ବାଚନ କରାଯାଉ ବୋଲି କହିଥିଲେ ।