କାହା ପାଇଁ ରାମଲଲା: ପ୍ରତିଷ୍ଠା ସମାରୋହକୁ ଅଲୋଡା ଗରିବ ଭୋଟର

ଅଯୋଧ୍ୟା: ହଜାର ହଜାର କୋଟିପତି ଭିଆଇପି ଅନୁଗତଙ୍କ ଉପସ୍ଥିତିରେ ନବନିର୍ମିତ ରାମମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ନବନିର୍ମିତ ରାମଲଲାଙ୍କ ଶରୀରରେ ପ୍ରାଣ ପ୍ରତିଷ୍ଠା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦି ବେନ୍‌, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖିଆ ମୋହନ ଭାଗବତ । ଗର୍ଭଗୃହ ଭିତରେ ମୋହନ ଭାଗବତଙ୍କର କି କାମ? ଏ ପ୍ରଶ୍ନଟି ଆଗାମୀ ଦିନରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ମହାବିପଦକୁ ଡାକି ଆଣିବ ।

ଗରିବଙ୍କ ତ୍ରାଣକର୍ତା ବୋଲାଉଥିବା ପ୍ରଧାନମନ୍ତ୍ରୀ ମୋଦି  ଜଣେ ବି ବିପିଏଲ ହିତାଧୀକାରୀଙ୍କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଡାକିନାହାନ୍ତି । ଏପରିକି କୁମ୍ଭମେଳାରେ ଯୋଉ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରି ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଭାଗ୍ୟବାନ ମଣିଥିଲେ; ସେମାନଙ୍କ ଭିତରୁ କାହାକୁ ଡାକି ନଥିଲେ ।

ସମାଲୋଚକଙ୍କ ମତରେ ମୋଦି ଜଣେ ଆଗଧାଡ଼ିର ଅଭିନେତା । ସେ କେତେବେଳେ କୋଉ ଚରିତ୍ରରେ ଅବତୀର୍ଣ୍ଣ ହୋଇ କାହାକୁ ଧୋକା ଦେବେ, ତା’ କେବଳ ସେ ହିଁ ଜାଣନ୍ତି । ତାଙ୍କ ମାୟାରେ ଖୋଦ ମାୟାଧର ପଶି ପାରିବେନି ।

ରାମଲଲାଙ୍କ ପ୍ରାଣ ସଂଚାର ସମାରୋହକୁ ମୁକେଶ ଅମ୍ବାନୀ, ଗୌତମ ଅଦାନୀଙ୍କ ଭଳି ବଛାବଛା ଶିଳ୍ପପତି, ଅମିତାଭ ବଚ୍ଚନ, ରଜନୀକାନ୍ତ, ଆଲିଆ ଭଟ୍ଟଙ୍କ ଭଳି ଅଭିନେତା ଅଭିନେତ୍ରୀମାନଙ୍କ ସମେତ ସଚ୍ଚିଦ ତେନ୍ଦୁଲକରଙ୍କ ଭଳି କ୍ରୀଡ଼ାବିତଙ୍କୁ ଡକା ଯାଇଥିଲା । ସାଧୁସନ୍ଥଙ୍କୁ ଡକାଯାଇଥିଲା । ମାତ୍ର ଜଣେ ବି ଗରିବ ଭୋଟରଙ୍କୁ ଡକା ଯାଇ ନଥିଲା । ଯୋଉ ଗରିବ ଭୋଟରଙ୍କ ଭୋଟ ବଳରେ ପ୍ରଧାନମନ୍ତ୍ରୀ ମୋଦି ଦୁଇପାଳି ପ୍ରଧାନମନ୍ତ୍ରୀ ହୋଇଛନ୍ତି; ସେମାନଙ୍କୁ ଭବ୍ୟ ସମାରୋହକୁ ଡକା ନଯିବା ଗଣତନ୍ତ୍ରକୁ ଅପମାନ ନୁହେଁ କି? ଭଗବାନ ରାମଲଲାଙ୍କ ପ୍ରତି ଗରିବଙ୍କ ମନରେ କି ଭାବନା ଆସିବ?

ରାମଲଲାଙ୍କ ଚକ୍ଷୁଦାନ କରାଯିବା ପରେ ପୂର୍ଣ୍ଣାବୟବ ବିଗ୍ରହକୁ ଉପସ୍ଥିତ ୭୦୦୦ରୁ ଅଧିକ ଭିଆଇପି ଅତିଥିମାନେ ଦର୍ଶନ କରିଛନ୍ତି । ପାରମ୍ପରିକ ନାଗରା ଶୈଳୀରେ ନିର୍ମିତ ରାମ ମନ୍ଦିରଟିର ଉଚ୍ଚତା ୧୬୧ ଫୁଟ, ଲମ୍ବ ୩୮୦ ଫୁଟ ଓ ଓସାର ୨୫୦ ଫୁଟ । ମନ୍ଦିରଟିରେ ୩୯୨ଟି ଖମ୍ବ ଓ ୪୪ଟି ଦରଜା ରହିଛି । ଲକ୍ଷାଧିକ ଭକ୍ତ ଘରେ ବସି ଟିଭି ପରଦାରେ ଏହି ଭବ୍ୟ ସମାରୋହକୁ ଉପଭୋଗ କରିଥିଲେ ।

କଡ଼ା ସୁରକ୍ଷା ବଳୟ ଭିତରେ ରାମଲଲାଙ୍କ ପ୍ରାଣ ସଂଚାର ସମାରୋହକୁ ସୁରୁଖୁରୁରେ ସମାପନ କରାଯାଇଛି । ଦିନସାରା ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ ନାନା ମନୋରଞ୍ଜନ କାର୍ଯ୍ୟକ୍ରମମାନେ ପରିବେଷଣ କରାଯାଉଛି ।

ବିଜେପି, ସଂଘ ପରିବାର ଓ ବହୁ ଧାର୍ମିକ ସଂଗଠନର ଦୀର୍ଘଦିନର ସଂଘର୍ଷ ଏବେ ଫଳବତୀ ହୋଇଛି ।