ଆରମ୍ଭ ହେଲାଣି ପାର୍ବଣ ଋତୁ, ସଜେଇ ହେଉଛି ମା ସୋରଦେବୀଙ୍କ ମନ୍ଦିର

ଭଞ୍ଜନଗର: ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ। ଆଉ କିଛି ଦିନ ପରେ ଧରା ପୃଷ୍ଠକୁ ଅବତରଣ କରିବେ ମାଆ ଜଗତ ଜନନୀ। ମାଆଙ୍କ ପୂଜାର୍ଚନା ପାଇଁ ବିଭିନ୍ନ ପୂଜା କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଘୁମୁସର ଅଂଚଳର ସ୍ୱତନ୍ତ୍ର ଦେଵୀ ମାଆ ସୋରଦେବୀଙ୍କ ମନ୍ଦିର ସାଜସଜା ପାଇଁ କିଛି ଆଗ୍ରହୀ ଯୁବକ କିଛି ଅର୍ଥ ସଂଗ୍ରହ କରି ସାଜସଜା ଆରମ୍ଭ କରିଥିବା ଦେଖିବାକୁ ମିଳିଛି।157 ନମ୍ବର ଜାତୀୟ ରାଜପଥ ଭଞ୍ଜନଗର ଠାରୁ କନ୍ଧମାଳ ଯିବା ରାସ୍ତାରେ ରହିଛି ମା ସୋରଦେବୀଙ୍କ ମନ୍ଦିର। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜିମା ପରିବେଶ ମଧ୍ୟରେ ଅବସ୍ତିତ ଏହି ମନ୍ଦିର ଘୁମୁସର ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି। ଜଙ୍ଗଲ ମଧ୍ୟରୁ ମାଆଙ୍କ ଆବିର୍ଭାବ ଯୋଗୁଁ ସ୍ଥାନୀୟ ଲୋକମାନେ ମାଙ୍କୁ ବନଦୁର୍ଗା ବୋଲି ମଧ୍ୟ କହୁଛନ୍ତି।

କିମ୍ବଦନ୍ତୀ ଅନୁଯାୟୀ ୧୯୭୨ ମସିହାରେ ଭଞ୍ଜନଗର ଭେଜିପୁଟ ବାଲିସାହି ନିବାସୀ ସୁରେନ୍ଦ୍ର ପାତ୍ରଙ୍କୁ ମାଆଙ୍କ ସ୍ବପ୍ନଦେଶ ହୋଇଥିଲା।ଏହାପରେ ମନ୍ଦିର ନିର୍ମାଣ ପାଇଁ ସ୍ଥିର କରି ସୁରେନ୍ଦ୍ର ପାତ୍ର, ଅଭିରାମ ବେହେରା, ଉମାକାନ୍ତ ପ୍ରଧାନ, ବିଜୟ କୁମାର ନାୟକ, କନ୍ଧ ବେହେରା ପ୍ରମୁଖ ମିଶି ଏକ ପରିଚାଳନା କମିଟି ଗଠନ କରିଥିଲେ। ଏହାପରେ ଲୋକଙ୍କ ଠାରୁ ଦାନ ସଂଗ୍ରହ ଆରମ୍ଭ ହୋଇଥିଲା।୧୯୭୩ ମସିହା ମାଘ ପୂର୍ଣ୍ଣିମା ଦିନ ଭେରେଡା ବାବା ରଘୁବର ଦାସଙ୍କ ଦ୍ୱାରା ପଥର ଗୁମ୍ଫା ମଧ୍ୟରେ ମାଆଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।

ମାଆଙ୍କ ସ୍ବପ୍ନଦେଶ ଅନୁଯାୟୀ ପ୍ରତିବର୍ଷ ମାଘ ଶୁକ୍ଳ ପୂର୍ଣ୍ଣିମା ଓ ଅଶ୍ୱିନ ଶୁକ୍ଳ ନବମୀ ଦୁଇଟି ମୁଖ୍ୟ ପର୍ବ ପାଳନ କରାଯାଇଥାଏ। ୧୯୭୪ ମସିହାରେ ମନ୍ଦିର ପାଇଁ ସିଧା ପଦର ଗ୍ରାମରେ ଇଟା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୧୯୭୫ ମସିହାରେ ଚଢ଼େୟାପଲ୍ଲୀ ଗ୍ରାମର କୃଷ୍ଣ ଚନ୍ଦ୍ର ମହାରଣା ମନ୍ଦିର ଗୃହ, ସିଂହାସନ ଓ ଦୁଇଟି ବାଘ ମୂର୍ତ୍ତି ନିର୍ମାଣ କରିବା ସହ ନଳକୂପ ମଧ୍ୟ ଖନନ କରିଥିଲେ। ୧୯୭୭ ମସିହାରେ ମନ୍ଦିରର ଉନ୍ନତି କରଣ ସହ ମାଙ୍କ ସିଂହାସନ କୁ ପଛକୁ ଘୁଞ୍ଚଗଲା।୧୯୮୦ ମସିହାରେ ମାଙ୍କ ଘଣ୍ଟି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ତେବେ ୧୯୯୩ ମସିହାରେ କେହି ଦୁର୍ବୃତ୍ତ ମାଆ ଅବସ୍ଥାନ କରିଥିବା ଚାଳଘର କୁ ପୋଡିଦେବା ସହ ସମସ୍ତ ଅଳଙ୍କାର ଲୁଟିନେଇଥିଲା। ପୁଣି ୧୯୯୪-୯୫ ମସିହା ମଧ୍ୟରେ ଭେଜିପୁଟ ଅଞ୍ଚଳର କିଛି ଶ୍ରଦ୍ଧାଳୁ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ମନ୍ଦିରର ପୁନରୁଦ୍ଧାର କରଯାଇଥିଲା। ଗାମୁଣ୍ଡି ଗ୍ରାମର ସ୍ବର୍ଗତ ରମାକାନ୍ତ ପ୍ରଧାନ 1996 ମସିହା ନଭେମ୍ବର ମାସ 27 ତାରିଖରେ ମନ୍ଦିର ପ୍ରତିଷ୍ଠା କରାଯାଇ ନୂତନ ସିଂହାସନ ରେ ବିରଜାମନ କରାଯାଇଥିଲା। ଏହା ମଧ୍ୟରେ 2003-04 ମସିହାରେ ଭଞ୍ଜନଗର ବିଧାୟକ ତଥା ବର୍ତମାନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପାଣ୍ଠିରୁ ଯାତ୍ରୀ ନିବାସ ନିର୍ମାଣ ଓ ନଳକୂପ ସ୍ଥାପନ କରାଯାଇଥିଲା। ଏହି ପୀଠରେ ଅଶ୍ୱିନ ମାସରେ ନବରାତ୍ର ଉତ୍ସବ କୁ ସ୍ୱତନ୍ତ୍ର ରୀତିନୀତି ଅନୁସରରେ ପାଳନ କରାଯାଏ। ବିଶେଷ କରି ନବମୀ ଦିନ ଦିନ ତମାମ ପୂଜାର୍ଚନା ସହ ହୋମଯଂଜ୍ଞ ର ଆୟୋଜନ କରାଯାଇଥାଏ। ଭଞ୍ଜନଗର ଫୁଲବାଣୀ ରାସ୍ତାରେ ମନ୍ଦିର ପଡୁଥିବାରୁ ଯାତ୍ରୀମାନେ ରାସ୍ତାରେ ଅଟକି ମାଆଙ୍କ ଦର୍ଶନ କରି ଶୁଭ ମାନସୀଥାନ୍ତି। ଏଥିସହ ମାଘ ମାସ ପୁର୍ଣିମାରେ ମନ୍ଦିରରେ ବାର୍ଷିକ ଉତ୍ସବ ବେଶ ଧୁମ ଧାମ ରେ ପାଳନ କରାଯାଇଥାଏ।

ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି। ସାମାଜିକ କାର୍ଯ୍ୟ ବିବାହ, ବ୍ରତ, ଜନ୍ମଦିନ, ପିକନିକ ପାଇଁ ଏଠାରେ ସମସ୍ତ ପ୍ରକାର ସୁବିଧା ଥିବାରୁ ଅନେକ ସମୟରେ ଏଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏଠାକର ମାହାତ୍ମ୍ୟ ଓ ପୂଜାପଦ୍ଧତି ସ୍ୱତନ୍ତ୍ରତା ବହନ କରୁଥିବା ବେଳେ ମାଆ ଲୋକଙ୍କ ବୁଝିଥାନ୍ତି ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ଭାରି ରହିଛି।

ବହୁ ବର୍ଷ ର ବ୍ୟବଧାନ ପରେ ଚଳିତ ବର୍ଷ ମାଆଙ୍କ ମନ୍ଦିର ର ଘଣ୍ଟ ଗୃହ ଉର୍ନତି କରଣ ସହ ମନ୍ଦିର ର ରଙ୍ଗ କାମ ହେଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ସନ୍ଧ୍ୟାରେ ମନ୍ଦିର ଆଳତି ସମୟରେ କିଛି ଯୁବକ ଆସିଥାନ୍ତି। ସେମାନଙ୍କ କହିବା ମତରେ ଭଞ୍ଜନଗର ଅଂଚଳର ଏକ ପ୍ରତିଷ୍ଠିତ ଦେଵୀ ଭାବେ ମାଆ ସୋରଦେବୀ ପରିଚିତ। କିନ୍ତୁ ମନ୍ଦିରକୁ ବର୍ତମାନ କାହାର ଦୃଷ୍ଟି ପଡୁନି। ତେଣୁ ସେମାନେ ହାତକୁ ହାତ ଯୋଡି କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ମନ୍ଦିର ର ଉର୍ନତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଗକୁ ଏହି କାର୍ଯ୍ୟ ଜାରି ରହିବ ବୋଲି ସୋରଦେବୀ ଯୁବକ ସଙ୍ଘ ତରଫରୁ ପ୍ରକାଶ କରାଯାଇଛି।