କୋପେ ବର ନହେଲେ ତପେ ବର । ଯେ ତାଙ୍କୁ ପୂଜେ ଯୋଉ ମତେ, ତାହାକୁ ମିଳନ୍ତି ତେମନ୍ତେ । ସତ୍ୟ ଯୋଉଠି, ଶିବ ସେଇଠି । ଦେବ ଦେବ ମହାଦେବଙ୍କ ନିକଟରେ ପାତର ଅନ୍ତର ନାହିଁ । ଉଭୟ ଦେବତା ଓ ଅସୁରଙ୍କୁ ସମଦୃଷ୍ଟିରେ ଦେଖନ୍ତି ଦେବ ଦେବ ମହାଦେବ। ମହାଦେବ ଭସ୍ମାସୁରଙ୍କୁ ବର ଦେଇ ହଲାପଟା ହୋଇପାରନ୍ତି । ତା’ ସହିତ ବିଷ୍ଣୁଙ୍କୁ ମୋହିନୀ ଅବତାର ପାଇଁ ବାଟ ତିଆରି କରି ଧରାପୃଷ୍ଠରେ ପ୍ରଭୁ ନାରାୟଣଙ୍କ ଅକ୍ଷୟ କିର୍ତୀ ସ୍ଥାପନ କରିପାରନ୍ତି ।
ପ୍ରଭୁ ମହାଦେବ ଲଙ୍କପତି ରାବଣକୁ ବର ଦେଇ ଅପରାଜେୟ କରିପାରନ୍ତି । ବନବାସୀ ରାମଚନ୍ଦ୍ରଙ୍କ ପୂଜାରେ ପ୍ରୀତ ହୋଇ ରାବଣକୁ ମାରିବା ପାଇଁ ଆଶୀର୍ବାଦ କରିପାରନ୍ତି ।
ଭକ୍ତଙ୍କୁ ବର ଟେକି ଦେବା ତାଲିକାରେ ମହାଦେବ ଆଗୁଆ । ପ୍ରଭୁ ନାରାୟଣ ଭାରି ପଛୁଆ । ସାମାନ୍ୟ ପୂଜାର୍ଚ୍ଚନାରେ ମହାଦେବ ଖୁସି । ନିରପେକ୍ଷ ବିଚାର କରି ଭକ୍ତଙ୍କ ମନୋକାମନା ପୂରଣ କରନ୍ତି ଦେବ ଦେବ ମହାଦେବ ।
ସତ ଓ ମିଛ, ଭଲ ଓ ମନ୍ଦ, ହାନି ଓ ଲାଭ, ସଫଳ ଓ ବିଫଳ, ପବିତ୍ର ଓ ଅପବିତ୍ରଠାରୁ ବହୁତ ଉଦ୍ଧ୍ୱର୍ରେ ମହାଦେବ ।
ସେ ହେଉଛନ୍ତି ମହାଯୋଗୀ, ମହାତ୍ୟାଗୀ, ମହାଜ୍ଞାନୀ, ମହାଗୁଣୀ, ମହାତପୀ, ମହାଧନୀ । ସେ ହେଉଚନ୍ତି ସଚରାଚର ବ୍ରହ୍ମ । ସେ ସୃଷ୍ଟିର ଆରମ୍ଭ ଓ ଶେଷ ।