ମହାଭାରତର ମହା ଶିକ୍ଷା: ଅପ୍ରିୟ ସତ୍ୟ ଶୁଣିବାକୁ କୁଣ୍ଠାବୋଧ କରୁଥିବା ବ୍ୟକ୍ତି ନିଜର ଭୁଲ ସୁଧାରି ପାରେନାହିଁ।

ମହାଭାରତ-କାଳ ପାଞ୍ଚ ହଜାର ବର୍ଷରୁ ଅଧିକ ପୁରାତନ। କିନ୍ତୁ ଆଜିର ସମାଜରେ ମଧ୍ୟ ସେ ସମୟର ଲୋଭ,ମୋହ,ଈର୍ଷା, କ୍ରୋଧ, ଅସୂୟା ବିଜଡ଼ିତ ମନୁଷ୍ୟ ଚରିତ୍ରମାନେ ସମାଜରେ ପୂରି ରହିଛନ୍ତି।ସନ୍ତାନ ମୋହରେ ଅନ୍ଧ ଧୃତରାଷ୍ଟ୍ର ଅଛନ୍ତି ଆଜିର ସମାଜରେ, ଈର୍ଷାରେ ପ୍ରପୀଡ଼ିତ ହୋଇ ନିଜ ଗୋଡ଼ରେ କୁରାଢି ମାରିବା ଦୁର୍ଯ୍ୟୋଧନ ମାନଙ୍କର ମଧ୍ୟ ଅଭାବ ନାହିଁ।ପଥଭ୍ରାନ୍ତ ଉତ୍ତର ଦାୟାଦ ମାନଙ୍କର ଅପକର୍ମକୁ ଦେଖି ନ ଦେଖିଲା ଭଳି କୁରୁ-ବୃଦ୍ଧ ମାନଙ୍କର ଅଭାବ ନାହିଁ ଆଜିକାଲି;ନାରୀର ଅସ୍ମିତା ଓ ଇଜ୍ଜତକୁ ଗଣଧର୍ଷଣ କରିଵା ଭଳି ଶକୁନି, ଦୁଃଶାସନ ଓ ଦୁର୍ଯ୍ୟୋଧନ ମାନେ ପୂରି ରହିଛନ୍ତି ଆଜିର ସମାଜରେ।

==== ସମାଜକୁ ସତ୍ ପଥରେ ପରିଚାଳିତ କରିବାକୁ ଚେଷ୍ଟା କରି ବିଫଳ ହେବା ଭଳି ବିଦୂରମାନେ ମଧ୍ୟ ଅଛନ୍ତି।ଅଧର୍ମ ସହିତ ସାଲିସ୍ କରି ଧର୍ମ କିପରି ଯୁଗେ ଯୁଗେ ବନବାସ ଯାଇଛି ତାର ଉଦାହରଣ ମଧ୍ୟ ଛତ୍ରେ ଛତ୍ରେ ଭରିରହିଛି ଆମ ସମାଜରେ। ଆଜିର ସମାଜରେ ରାଜଶକ୍ତି ସହିତ ସାମିଲ୍ ହୋଇଥିବା ବ୍ୟକ୍ତି ତାର ବିବେକକୁ କିପରି ବନ୍ଧା ପକାଇ ଅନ୍ୟାୟର ବିରୋଧରେ ମୁହଁ ଖୋଲେ ନାହିଁ ତା’ର ଉଦାହରଣ ଦ୍ରୋଣ ଏବଂ କୃପ।

===ବନବାସ ପାଇଁ ଯିବା ସମୟରେ ପାଣ୍ଡୁପୁତ୍ର ମାନଙ୍କର ମନୋଭାବ କିପରି ଥିଲା,ବିଦୂରଙ୍କଠାରୁ ଜାଣିବାକୁ ଚାହିଁଲେ ଧୃତରାଷ୍ଟ୍ର।ବିଦୂର କହିଲେ…. ପାଣ୍ଡୁ ପୁତ୍ର ମାନେ ସନ୍ୟାସୀ ବେଶ ଏବଂ ଦ୍ରୌପଦୀ ସନ୍ୟାସିନୀ ବେଶ ଧାରଣ କରି କାମ୍ୟକ ବନ ଅଭିମୁଖେ ଯାତ୍ରା କଲେ। ଯୁଧିଷ୍ଠିରଙ୍କ ମୁଖମଣ୍ଡଳରେ କୌଣସି ଚିନ୍ତା ବା ଆବେଗ ପରିଲକ୍ଷିତ ହେଉନଥିଲା,ଭୀମଙ୍କ ଦୃଷ୍ଟି ନିଜ ବାହୁ ଦ୍ବୟ ଉପରେ ନିବଦ୍ଧ ଥିଲା, ଅର୍ଜୁନଙ୍କ ମୁଖମଣ୍ଡଳରେ ଏକ ଆତ୍ମ-ଧିକ୍କାର ଭାବ ପରିସ୍ଫୁଟ ହେଉଥିଲା।ବିମୁକ୍ତକେଶା ଦ୍ରୌପଦୀଙ୍କ କେଶରାଶି ତାଙ୍କ ମୁଖମଣ୍ଡଳକୁ ଆବୃତ୍ତ କରି ରଖିଥିଲା ଏବଂ ତାଙ୍କ ଆଖିରୁ ଲୁହ ଝରି ଯାଉଥିଲା।ପାଣ୍ଡବ ମାନଙ୍କ ସହିତ ୠଷି ଧୌମ଼୍ୟ ସାମବେଦ ମନ୍ତ୍ର ଉଚ୍ଚାରଣ କରି ଯାଉଥିଲେ।”

==== ଏହା ଶୁଣିବା ପରେ ଧୃତରାଷ୍ଟ୍ରଙ୍କ ମନ ଆଶଙ୍କାରେ ଭରିଗଲା ଏବଂ ସେ ପଚାରିଲେ… ପ୍ରଜାମାନଙ୍କର ପ୍ରତିକ୍ରିୟା କଣ ବିଦୂର?

ବିଦୂର କହିଲେ ମୁଁ ଆପଣଙ୍କୁ ସର୍ବଦା ସତ୍ୟ କଥା କହେ,ସତ୍ୟ ଶୁଣିବାକୁ ଧୈର୍ଯ୍ୟ ରହିବା ଆବଶ୍ୟକ; ଶୁଣନ୍ତୁ ….

ପାଣ୍ଡବମାନେ ରାଜ୍ୟ ଓ ରାଜସମ୍ପଦ ତ୍ୟାଗ କରି ଯେତେବେଳେ ଅରଣ୍ୟ ଯାତ୍ରାରେ ବାହାରିଲେ,ହସ୍ତିନାରେ ଘରେ ଘରେ ଶୋକରେ ଛାୟା ଖେଳିଗଲା।ସେମାନେ ପ୍ରଜା ମାନଙ୍କର ଅତି ପ୍ରିୟ ଥିଲେ।ପଣ୍ଡୁଙ୍କ ରାଜତ୍ଵ ସମୟରେ ଏବଂ ଯୁଧିଷ୍ଠିରଙ୍କ ଯୁବରାଜତ୍ବ ସମୟରେ ପ୍ରଜାମାନେ ଉପଯୁକ୍ତ ନ୍ୟାୟ ଓ ସମ୍ମାନ ପାଇ ଆନନ୍ଦିତ ଥିଲେ। ପ୍ରାସାଦରେ ପ୍ରତିପାଳିତ ଇନ୍ଦ୍ରପ୍ରସ୍ଥର ରାଜା ଓ କୁମାର ମାନଙ୍କୁ ବନବାସୀ ବେଶରେ ଅରଣ୍ୟକୁ ଯାଉଥିବା ଦେଖି ପ୍ରଜାମାନଙ୍କ ଆଖିରୁ ଲୁହଧାର ବହିଯାଉଥିଲା।ସମସ୍ତେ ଜାଣିଥିଲେ କିପରି ଅନ୍ୟାୟରେ ସେମାନଙ୍କ ରାଜ୍ୟ ହରଣ କରାଯାଇଛି ଏବଂ କିପରି ପୂର୍ଣ୍ଣ ରାଜସଭାରେ ଯାଜ୍ଞସେନୀଙ୍କୁ ନିବସ୍ତ୍ର କରିବାକୁ ଚେଷ୍ଟା କରିଛନ୍ତି କୁରୁ ରାଜପୁତ୍ରମାନେ। ଦୀର୍ଘ ନିଃଶ୍ବାସ ପକାଇ ଅନେକେ ଈଶ୍ୱରଙ୍କୁ ଡାକି କହୁଥିଲେ…ଆହା ! ସତରେ କଣ ଭଗବାନ ନାହାଁନ୍ତି ?ଧର୍ମାତ୍ମାମାନେ ନିଜ ଜନ୍ମଭୂମି ଛାଡି ଅରଣ୍ୟକୁ ଯାଉଛନ୍ତି ଅଥଚ ପାଷଣ୍ଡମାନେ‌ ରାଜପ୍ରାସାଦରେ ଜୀବନକୁ ଉପଭୋଗ କରୁଛନ୍ତି।ଅନେକେ କର୍ଣ୍ଣ, ଶକୁନି ଏବଂ ଅଶ୍ଵତ୍ଥାମା ଭଳି ପରାଙ୍ଗପୁଷ୍ଟ ମଲାଙ୍କ/ନିର୍ମୂଳୀ ମାନଙ୍କ‌ କାର୍ଯ୍ୟ କଳାପର ସମାଲୋଚନା କରୁଥିବା ବେଳେ ଅନ୍ୟ‌କେତେକ କୁରୁବୃଦ୍ଧ ଭୀଷ୍ମ ଏବଂ ଆଚାର ଶ୍ରେଷ୍ଠ ଦ୍ରୋଣ ତଥା କୃପଙ୍କ ନିରବତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଧିକ୍କାର କରୁଥିଲେ।

ଅଧିକାଂଶ ପ୍ରଜା କହୁଥିଲେ…ଆମର ପ୍ରକୃତ ନାୟକ ଓ ପଥପ୍ରଦର୍ଶକମାନେ ଆମକୁ ଛାଡି ଚାଲିଗଲେ। କୁରୁ ବଂଶର ମୁରବି ମାନଙ୍କୁ ଶତଧିକ୍।”

==== ପ୍ରଜା-ଶକ୍ତିକୁ କେହି କେବେ ଅବହେଳା କରିନପାରେ।ପ୍ରଜାଙ୍କର ଏପରି ପ୍ରତିକ୍ରିୟା ଶୁଣିବାପରେ ଧୃତରାଷ୍ଟ୍ରଙ୍କ ମନ ଦୁଃଖରେ ଭାରାକ୍ରାନ୍ତ ହୋଇଗଲା। ଧୃତରାଷ୍ଟ୍ର ଏବଂ ବିଦୂରଙ୍କର ଏହିପରି କଥୋପକଥନ ସମୟରେ ମନଯାନରେ ଶୂନ୍ୟରୁ ନାରଦମୁନି ଅକସ୍ମାତ ସେଠାରେ ଆବିର୍ଭୂତ ହେଲେ ଏବଂ ଭବିଷ୍ୟବାଣୀ କରି କହିଲେ.. ଆଜିଠାରୁ ଚତୁର୍ଦ୍ଦଶ ବର୍ଷରେ କୌରବ ମାନଙ୍କର ବଂଶ ନିଃଶେଷ ହୋଇଯିବ ଏବଂ ଏହା ଦୁର୍ଯ୍ୟୋଧନର ଅପକର୍ମ କାରଣରୁ ଘଟିବ।”

==== ନାରଦ ଯେଉଁପରି ଆସିଥିଲେ ସେହିପରି ଅନ୍ତର୍ଦ୍ଧାନ ହୋଇ ଗଲେ।ତାଙ୍କ ଭବିଷ୍ୟବାଣୀ ଶୁଣିବାପରେ ଧୃତରାଷ୍ଟ୍ରଙ୍କୁ ଚିନ୍ତା ମାବିବସିଲା। ଦୁର୍ଯ୍ୟୋଧନ ଏବଂ ତାଙ୍କର ଅପକର୍ମର ସାଥିମାନେ ମଧ୍ୟ ବିବ୍ରତ ଓ ଭୟଭୀତ ହୋଇ ପଡିଲେ। ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇ ତାଙ୍କୁ ଅନୁରୋଧ କଲେ.. ପରିସ୍ଥିତି ଯାହା ହେଉନା କାହିଁକି,ଆପଣ କୌରବଙ୍କୁ କଦାପି ଛାଡି ଚାଲିଯିବେ ନାହିଁ।ଦ୍ରୋଣ କହିଲେ ..ପ୍ରିୟ ଦୁର୍ଯ୍ୟୋଧନ ! କୁରୁବଂଶର ଅନ୍ନରେ ମୁଁ ପ୍ରତିପାଳିତ। ତେଣୁ ତୁମ ସହିତ ରହିବା ପାଇଁ ମୋର‌ ବିବଶତା ମୋତେ ବାଧ୍ୟ କରିବ,କିନ୍ତୁ ପାଣ୍ଡବ ମାନଙ୍କ ପ୍ରତି ଯେଉଁ ଅନ୍ୟାୟ ହୋଇଛି ସେମାନେ ନିଶ୍ଚୟ ତାର ପ୍ରତିଶୋଧ ନେବାପାଇଁ ଫେରିବେ। ସେମାନେ ତୁମ୍ଭମାନଙ୍କଠାରୁ ନିଶ୍ଚିତ ଭାବରେ ପରାକ୍ରମୀ।ବ୍ୟାସଦେବ ଏବଂ ନାରଦଙ୍କ ଭଳି ବିଜ୍ଞ ବ୍ୟକ୍ତିମାନଙ୍କ କଥାକୁ ହେୟଜ୍ଞାନ କରନାହିଁ। ବର୍ତ୍ତମାନ ଠାରୁ ଧର୍ମପଥରେ ଯାଅ।ପାଣ୍ଡବମାନଙ୍କ ସହିତ ଉତ୍ତମ ବ୍ୟବହାର କଲେ ପ୍ରଳୟଙ୍କରୀ ଯୁଦ୍ଧକୁ ଏଡାଇ ପାରିବ।ମୋ କହିବା କଥା ମୁଁ କହିଦେଲି,କରିବା ନକରିବା ତୁମ ଉପରେ ନିର୍ଭର କରେ।”

ଦ୍ରୋଣାଚାର୍ଯ୍ୟଙ୍କ ଉପଦେଶ ଦୁର୍ଯ୍ୟୋଧନକୁ ପସନ୍ଦ ଲାଗିଲା ନାହିଁ,ଅପ୍ରିୟ ସତ୍ୟ ଶୁଣିବାକୁ କୁଣ୍ଠାବୋଧ କରୁଥିବା ବ୍ୟକ୍ତି ନିଜର ଭୁଲ ସୁଧାରି ପାରେନାହିଁ।

==== ଦିନେ ଦୁଃଖରେ ମ୍ରିୟମାଣ ହୋଇ ବସିଥିବା ଧୃତରାଷ୍ଟ୍ରଙ୍କୁ ସଞ୍ଜୟ ପଚାରିଲେ..ଆପଣ ଏତେ ଦୁଃଖିତ କାହିଁକି ମହାରାଜ? ଧୃତରାଷ୍ଟ୍ର କହିଲେ ..ପାଣ୍ଡବ ମାନଙ୍କ ପ୍ରତି ଏତେ ଅନ୍ୟାୟ କରି ଦୁଃଖିତ କିପରି ହେବି ନାହିଁ ସଞ୍ଜୟ ! ମୋର ଦୁଷ୍ଟ ପୁତ୍ରମାନଙ୍କ କଥାରେ ପଡି ମୁଁ ନ୍ୟାୟ ପଥ ପରିତ୍ୟାଗ କଲି;ଏବେ ଧ୍ବଂସ ଆଡକୁ ମୋ ବଂଶର ଗତି।”

ସଞ୍ଜୟ କହିଲେ… ଠିକ୍ କଥା ମହାରାଜ୍ ଆପଣଙ୍କ ପୁତ୍ରମାନେ ପାଞ୍ଚାଳୀଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ତେଣୁ ଧ୍ବଂସ ପଥରେ ମାଡି ଚାଲିଛନ୍ତି।ଯେବେ ବଂଶ ରକ୍ଷା ପାଇଁ ଚାହୁଁଛନ୍ତି,ତାହେଲେ ସେମାନଙ୍କୁ ସତ୍ ପଥରେ ଯିବାପାଇଁ ଆପଣ ପ୍ରବର୍ତ୍ତାନ୍ତୁ ମହାରାଜ୍।”

== ବିଦୂର ମଧ୍ୟ ସବୁବେଳେ ଧୃତରାଷ୍ଟ୍ରଙ୍କୁ କହୁଥିଲେ…ଆପଣ ପୁତ୍ର ମାନଙ୍କୁ ସତ୍ ପଥରେ ନେବାପାଇଁ ପ୍ରଚେଷ୍ଟା କରନ୍ତୁ ମହାରାଜ୍। କୁରୁବଂଶକୁ ରକ୍ଷା କରିବାକୁ ହେଲେ ଯୁଧିଷ୍ଠିରଙ୍କୁ ଅରଣ୍ୟରୁ ଫେରାଇ ଆଣନ୍ତୁ,ସେମାନଙ୍କୁ ନିଜ ରାଜ୍ୟ ଫେରାଇ ଦିଅନ୍ତୁ,ନଚେତ୍ ଧ୍ବଂସ ଅବଶ୍ୟମ୍ଭାବୀ।”

ପୁତ୍ରମୋହ ଏବଂ ସେମାନଙ୍କ ଦୁଷ୍ଟ ପ୍ରକୃତି ଯୋଗୁଁ ସେମାନଙ୍କୁ କିଛି କହିପାରୁନଥିଲେ ଅନ୍ଧରାଜା,ଏଣେ ବିଦୂରଙ୍କ କଥା ବିଷ ଭଳି ଲାଗୁଥିଲା।ଦିନେ ବିରକ୍ତ ହୋଇ ବିଦୂରଙ୍କୁ ଧୃତରାଷ୍ଟ୍ର କହିଲେ.. ତୁମେ ସର୍ବଦା ପାଣ୍ଡବ ମାନଙ୍କ ସପକ୍ଷରେ ଏବଂ ମୋ ପୁତ୍ର ମାନଙ୍କ ବିପକ୍ଷରେ କହୁଛ ବିଦୂର! ସେମାନେ ମୋର ପୁତ୍ର, ସେମାନଙ୍କୁ କିପରି ମୁଁ ଛାଡିଦେବି ?ମୋର ଏଭଳି ଉପଦେଷ୍ଟା ଆବଶ୍ୟକ ନାହିଁ। ତୁମେ ମୋତେ ଛାଡି ପାଣ୍ଡବଙ୍କ ପାଖକୁ ଚାଲିଯାଅ।”ଏହା କହି ବିଦୂରଙ୍କ ଆଡ଼ୁ ମୁହଁ ବୁଲାଇ ଚାଲିଗଲେ ଧୃତରାଷ୍ଟ୍ର।”

==== ବିଦୂର ଗଭୀର ହୃଦୟରେ ଧୃତରାଷ୍ଟ୍ରଙ୍କୁ ଛାଡି ପାଣ୍ଡବଙ୍କ ପାଖକୁ ଚାଲିଗଲେ ।କିନ୍ତୁ ବିଦୂରଙ୍କୁ ହରାଇ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡିଲେ ଧୃତରାଷ୍ଟ୍ର।ସେ ହୃଦୟଙ୍ଗମ କଲେ ବିଦୂରଙ୍କ ଭଳି ବୁଦ୍ଧିମାନ ବ୍ୟକ୍ତି ପାଣ୍ଡବ ମାନଙ୍କପାଖକୁ ଚାଲିଗଲେ କୁରୁବଂଶର ପ୍ରଭୂତ କ୍ଷତି ହେବ। ସେଥିପାଇଁ ସଞ୍ଜୟଙ୍କ ମାଧ୍ଯମରେ ବିଦୂରଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ନିଜପାଖରେ ମନ୍ତ୍ରୀ ଭାବରେ ପୁନଃ ନିଯୁକ୍ତି ଦେଲେ ଧୃତରାଷ୍ଟ୍ର। ଦୁହିଁଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂରେଇ ଗଲା।

ଥରେ ମହର୍ଷି ମୈତ୍ରେୟ କୁରୁ ରାଜ ଦରବାରକୁ ଆସିଥିଲେ। ଧୃତରାଷ୍ଟ୍ର ତାଙ୍କ ପାଦବନ୍ଦନା କରି ଆଶୀର୍ବାଦ ଭିକ୍ଷା କରିବାପରେ ପଚାରିଲେ… ମହାମୁନି ! ଆପଣ ନିଶ୍ଚିତ ଭାବରେ ମୋ ପ୍ରିୟ ପଣ୍ଡୁପୁତ୍ର ମାନଙ୍କୁ ଭେଟିଥିବେ। ଯୁଧିଷ୍ଠିର କଣ କହୁଛନ୍ତି ?ଆମ୍ଭ ପରିବାରରେ କଣ ସୌହାର୍ଦ୍ୟ ଫେରି ଆସିଵ ନାହିଁ ମହର୍ଷି?”

=== ମୈତ୍ରେୟ ଧୃତରାଷ୍ଟ୍ରଙ୍କୁ କହିଲେ .. ହଁ ମୁଁ କାମ୍ୟକ ବନରେ ଯୁଧିଷ୍ଠିରଙ୍କୁ ଏକଦା ଭେଟିଥିଲି। ମୁନିଋଷିଙ୍କ ଗହଣରେ ସେ ଆନନ୍ଦରେ କାଳାତିପାତ କରୁଛନ୍ତି।ତୁମ୍ଭ ପୁତ୍ର ମାନେ ଦ୍ରୌପଦୀଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି ତାହା ଧର୍ମର ପରିପନ୍ଥୀ।”

ତା’ପରେ ସେଠାରେ ଉପସ୍ଥିତ ଥିବା ଦୁର୍ଯ୍ୟୋଧନକୁ ଚାହିଁ ମୈତ୍ରେୟ କହିଲେ..ପାଣ୍ଡବ ମାନଙ୍କ ସହିତ ଶାନ୍ତି ସ୍ଥାପନ କର,ତା’ଦ୍ବାରା କୁଳନାଶ ହେବନାହିଁ।”

ଏହାଶୁଣି ଦୁର୍ଯ୍ୟୋଧନ କିଛି ନକହି ଅବଜ୍ଞାରେ ଅଟ୍ଟହାସ କରି ନିଜର ଜାନୁକୁ ହାତରେ ପିଟିବାକୁ ଲାଗିଲା।ଏହାଦ୍ବାରା ମୈତ୍ରେୟ ଘୋର ଅପମାନିତ ମନେ କଲେ। ଦୁର୍ଯ୍ୟୋଧନକୁ ଅଭିଶାପ ଦେଇ କହିଲେ.. ଅବିନୟୀ ଉଦ୍ଧତ ଦୁର୍ଯ୍ୟୋଧନ !ଯୁଦ୍ଧରେ ତୁମର ଜାନୁ ଭଗ୍ନ ହୋଇ ମୃତ୍ୟୁ ଘଟିବ।”

ଏହି ଅଭିଶାପ ଶୁଣି ଧୃତରାଷ୍ଟ୍ର ମୁନିଙ୍କ ପାଦତଳେ ପଡିଯାଇ ପୁତ୍ର ପାଇଁ କ୍ଷମା ପ୍ରାର୍ଥନା କଲେ। ମୈତ୍ରେୟ କହିଲେ…ତୁମ ଅବିନୟୀ ଉଦ୍ଧତ ପୁତ୍ର ଯେବେ ଯୁଧିଷ୍ଠିରଙ୍କ ସହିତ ଶାନ୍ତି ସ୍ଥାପନ କରିବ ତାହେଲେ ଜାନୁଭଗ୍ନ ସମ୍ଭାବନାକୁ ଅତିକ୍ରମ କରି ପାରିବ।

ରାବଣ ଭଳି ଯେଉଁମାନେ ନିଜର ଅପକର୍ମକୁ ଜୀବନର ଧର୍ମ ବୋଲି ଧରିନେଇ ଗୁରୁଜନମାନଙ୍କ ଉପଦେଶ ଓ ସତର୍କ ବାଣୀକୁ ଅବଜ୍ଞା ଓ ହେୟଜ୍ଞାନ କରନ୍ତି ସେମାନଙ୍କର ପରିଣତି ଭୟାବହ ହୁଏ।

ଶ୍ରୀକୃଷ୍ଣଙ୍କ ଅଲୌକିକତା ଦୁଇ ଦୁଇ ଥର ଦର୍ଶନ କରି, ବିଦୂର,ନାରଦ, ମୈତ୍ରେୟ,ଦ୍ରୋଣ,ଆଦି ମହାଜନମାନଙ୍କ ଉପଦେଶକୁ ଅବଜ୍ଞା କରେ ଯେଉଁ ଦୁର୍ଯ୍ୟୋଧନ ତାର ଜୀବନ ଯୁଦ୍ଧରେ ଭୟାବହ ପରିଣତି ହୁଏ। କ୍ରମଶଃ……..