ହବିଷାନ୍ନ ଓ କାର୍ତ୍ତିକ ମାସ ପାଇଁ କି ପରିବା ରେ ରୋଷେଇ କରିବା ସାଙ୍ଗକୁ ସେ ବିଷୟ ଉପରେ ଜାଣିବା 

ଅଥବା ପ୍ରତି ଦିନ ନୂଆ ମାଟି ହାଣ୍ଡି ଦରକାର ପଡେ….

କାର୍ତ୍ତିକ ବ୍ରତଧାରୀ ଙ୍କ ପାଇଁ ହବିଷ ରାନ୍ଧିବା ଓ ତାକୁ ସେବନ କରିବାରେ କିଛି ବିଧିବିଧାନ ଅଛି। ଯାହା ସହଜ ହୋଇନଥାଏ। ଅପରାହ୍ନରେ ରୋଷେଇ ଆରମ୍ଭ କରିବା ପୂର୍ବରୁ ପୁନର୍ବାର ମୁଣ୍ଡ ଧୋଇ ଗାଧେଇବାକୁ ହୁଏ। ଯେଉଁ ବସ୍ତ୍ର ରେ ସଂକଳ୍ପ କରିଥାଆନ୍ତି,ସେଇ ବସ୍ତ୍ର କୁ ପିନ୍ଧି ରୋଷେଇ କରନ୍ତି। ପ୍ରତ୍ୟେକ ଦିନ ଲିପା ପୋଛା ହେଉଥିବା କାଠଚୁଲି ରେ ରୋଷେଇ କରନ୍ତି। ଏହା ପାଇଁ ପିତ୍ତଳ ବାସନ ବ୍ୟବହାର କରନ୍ତି। ଅଥବା ପ୍ରତି ଦିନ ନୂଆ ମାଟି ହାଣ୍ଡି ଦରକାର ପଡେ।

ଅରୁଆ ଚାଉଳ, କଞ୍ଚା ମୁଗ ଡାଲି, ନଡ଼ିଆ, ଅଦା,ସାରୁ, କଞ୍ଚା କଦଳୀ,ଓଉ, ଅଗସ୍ତି ଶାଗ,ଘିଅ, ଧଳା କନ୍ଦମୂଳ, ଖଟା କମଳା ପରି କିଛି ହାତଗଣତି ସାମଗ୍ରୀ ର ସେବନ କରିଥାନ୍ତି ହବିଷ୍ୟାଳି ମାନେ।
ରନ୍ଧା ସରିବା ପରେ ଗୋଟିଏ କଦଳୀ ପତ୍ର ରେ ରାଧା ଦାମୋଦର ଙ୍କ ପାଇଁ ଓ ଅନ୍ୟ ଏକ ପତ୍ରରେ କପୋତ କପୋତୀ ଙ୍କ ପାଇଁ ବାଢି ଦିଅନ୍ତି। ରାଧା ଦାମୋଦର ଙ୍କୁ ତୁଳସୀ ପତ୍ର ରେ ପାଣି ଛଡେଇବା ବେଳେ କପୋତ କପୋତୀ ଙ୍କୁ ଯେ କୌଣସି ଧଳା ଫୁଲ ରେ ପାଣି ଛଡାନ୍ତି।

ରାଧା ଦାମୋଦର ଙ୍କୁ ହେଇଥିବା ଭୋଗ କୁ ହବିଷ୍ୟାଳି ନିଜେ ପାଇବାର ବିଧି ଅଛି। ଅନ୍ୟ ଭୋଗ ଟିକୁ ପିଲା ମାନଙ୍କ ପାଇଁ ରଖନ୍ତି।ଏହି ଭୋଗକୁ ଖାଇବା ପାଇଁ କଦଳୀ ପତ୍ର ଓ ପୁଥୁରି ପାତ୍ର କୁ ବ୍ୟବହାର କରିପାରିବେ। ଅନ୍ୟ ବାସନରେ ଏହା ଭୋଜନ କରାଯାଏ ନାହିଁ। ହବିଷାନ୍ନ ସେବନର କିଛି ବିଧି ରହିଛି। ଗୋଟିଏ କୋଠରୀରେ କବାଟ ବନ୍ଦ କରି ଖାଇବେ, ଯେମିତି କେହି ଦେଖିବେ ନାହିଁ କି କାହା ର ପାଟି ଶୁଣା ଯିବନାହିଁ। ଚୁପଚାପ ବସି ଖାଇବେ। କାହା ପାଟି ଶୁଣିଲେ ହବିଷ୍ୟାଳି ଉଠି ଯାଆନ୍ତି। ସେଥିପାଇଁ ପରିବାର ଲୋକେ ସେ ସମୟରେ ଘଣ୍ଟ ବା ଘଣ୍ଟା ବଜାନ୍ତି। ଖାଇବା ରୁ ଗୋଡି କି ଧାନ ବାହାରିଲେ ମଧ୍ୟ ଆଉ ଖାଇବେ ନାହିଁ। ସେଥିପାଇଁ ରାନ୍ଧିବା ପୂର୍ବରୁ ଭଲଭାବରେ ଗୋଡି ଓ‌ ଧାନ ବଛା ଯାଏ।

ଘରେ କେହି ହବିଷ କରୁଥିଲେ, ଘର ଲୋକ ଅନେଇ ବସିଥାନ୍ତି, କେତେବେଳେ ହବିଷ୍ୟାନ୍ନ ମିଳିବ। ପାଖରେ ଥିବା ବନ୍ଧୁ, ବାନ୍ଧବ ଙ୍କୁ ମଧ୍ୟ ହବିଷ୍ୟାନ୍ନ ପାଇଁ ନିମନ୍ତ୍ରଣ କରାଯାଏ। ସବୁ ନୀତି ନିୟମ ରେ ଦିନକୁ ଥରେ ଓ ସନ୍ଧ୍ୟା ପୂର୍ବରୁ ଖାଇ ମାସେ ପର୍ଯ୍ୟନ୍ତ ବ୍ରତ କରିବା ପାଇଁ ସେହି ପ୍ରକାରର ନିଷ୍ଠା ର ଆବଶ୍ୟକତା ରହିଛି। କାର୍ତ୍ତିକ ବ୍ରତ କରୁଥିବା ହବିଷ୍ୟାଳି ଙ୍କ ଠାରୁ ଆଶୀର୍ବାଦ ମଧ୍ୟ ଠାକୁର ଙ୍କ ଆଶୀର୍ବାଦ ସହ ସମାନ।

ହବିଷ୍ୟାଳି ଙ୍କ ପାଇଁ ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ,ସାଇ ପଡ଼ିଶା … ସମସ୍ତେ କିଛି ନା କିଛି ଦିଅନ୍ତି, ଯାହା ସେମାନେ ତାଙ୍କ ବ୍ରତ ରେ ବ୍ୟବହାର କରନ୍ତି । ସେ ତେଣିକି ଡାଲି,ନଡିଆ,ସାରୁ, କଞ୍ଚା କଦଳୀ, ଘିଅ ହେଉ ବା ଫଳ ହେଉ ,ବା ମହାପ୍ରସାଦ ହେଉ ।ଯିଏ ଯାହା ଦେଇ ପୁଣ୍ୟ ଲାଭ କରନ୍ତି। ପ୍ରାୟ ସମସ୍ତ ଙ୍କ ବନ୍ଧୁ ଘରୁ,ବାପ ଘରୁ କାର୍ତ୍ତିକ ଭାର ଆସି ପହଞ୍ଚି ଥାଏ। ଆମ ପୁରୀ ଲୋକଙ୍କର ଶୁଖିଲି ମହାପ୍ରସାଦ ବା ଅବଢ଼ା ନେଇ କାର୍ତ୍ତିକ ରେ ବନ୍ଧୁଘରକୁ ଯିବାର ମଧ୍ୟ ବିଧି ଅଛି।