ମୋକ୍ଷର ଦୁଇଟି ଉପାୟ ଜାଣନ୍ତୁ..

ମୋକ୍ଷ

ବଶିଷ୍ଠ ମୁନି କହିଲେ – ହେ ରାମ ! ସଂସାର ସାଗରରୁ ପାରି ହେବା ପାଇଁ ଦୁଇଟି ସାଧନ ଅଛି। ଗୋଟିଏ ସମ୍ୟକ ଜ୍ଞାନ ତଥା ଦ୍ଵିତୀୟଟି ଯୋଗ। ନିଜର ଆତ୍ମସ୍ୱରୂପକୁ ଜାଣିବା ଜ୍ଞାନ ଅଟେ, ତାହାକୁ ଖୋଜିବାକୁ କେଉଁଠିକୁ ବାହାରକୁ ଯିବାର ଆବଶ୍ୟକତା ନାହିଁ। ପ୍ରାଣକୁ ଅଟକାଇ ଚିତ୍ତ ବୃତ୍ତିର ସ୍ଫୁରଣକୁ ବନ୍ଦ କରିବା ହିଁ ଯୋଗ ବୋଲି କୁହାଯାଏ।

ଶ୍ରୀରାମ କହିଲେ – ହେ ଭଗବାନ ! ଏହି ଦୁଇ ମାର୍ଗ ମଧ୍ୟରୁ କେଉଁଟି ସୁଗମ ଅଟେ ଯାହା ଦ୍ୱାରା ସହଜରେ ମୋକ୍ଷ ପ୍ରାପ୍ତ କରାଯାଇପାରିବ ? ବଶିଷ୍ଠ ମୁନି କହିଲେ – ହେ ରାମ ! ଜ୍ଞାନ ଯୋଗ ତଥା ଅଷ୍ଟାଙ୍ଗ ଯୋଗ – ଏହି ଦୁଇ ପ୍ରକାର ସାଧନକୁ ଯୋଗ ଶବ୍ଦରେ କୁହାଯାଏ କିନ୍ତୁ ଅଷ୍ଟାଙ୍ଗ ଯୋଗ ଯୋଗ ନାମରେ ପରିଚିତ ଯାହା ପ୍ରାଣକୁ ଅଟକାଇବା ନିମନ୍ତେ ଏକ କଠିନ ମାର୍ଗ ଅଟେ। ଏହି ଦୁଇଟିଯାକର ଫଳ ଏକ ବୋଲି ଭଗବାନ ଶିବ କହିଛନ୍ତି କିନ୍ତୁ କୌଣସି ମନ୍ଦ ବୁଦ୍ଧି ବ୍ୟକ୍ତିଙ୍କୁ ‘ମୁଁ ବ୍ରହ୍ମ ଅଟେ’ – ଏହି ଜ୍ଞାନ କଠିନ ଲାଗେ ଏବଂ କେତେକଙ୍କୁ ଯୋଗ କରିବା ଅର୍ଥାତ ପ୍ରାଣାୟାମ କରିବା, ପ୍ରାଣକୁ ଅଟକାଇବା, ଚିତ୍ତର ସ୍ଫୁରଣକୁ ବନ୍ଦ କରିବା, ମନର ସଂକଳ୍ପ ବିକଳ୍ପ ସ୍ୱାଭାବିକ ଧର୍ମକୁ ଅଟକାଇବା ଇତ୍ୟାଦି କଠିନ ଲାଗେ। କାହାକୁ ଆତ୍ମଜ୍ଞାନ କରିବା ସହଜ ଓ ଯୋଗକରିବା କଠିନ ଲାଗେ ଏବଂ କାହାକୁ ଯୋଗ କରିବା ସହଜ ଓ ଜ୍ଞାନ ନିଶ୍ଚୟ କଠିନ ଲାଗେ।

ହେ ରାମ ! ଯଦି ମୋତେ ପଚାର, ତେବେ ଜ୍ଞାନ ଅତି ସୁଗମ,ସହଜ ଓ ସମସ୍ତଙ୍କର ସୁଲଭ ଅଟେ। ଏହାକୁ ଯେ କୌଣସି ବାଳକ, କିଶୋର, ଯୁବକ, ପ୍ରୌଢ଼, ବୁଢା, ରୋଗୀ, ନିରୋଗୀ, ଦୁର୍ବଳ, ବଳବାନ, ସ୍ତ୍ରୀ, ପୁରୁଷ ସମସ୍ତେ ବିନା କଷ୍ଟରେ କରିପାରିବେ। ଜୀବ ବ୍ରହ୍ମକୁ ଏକ ଜାଣିବା ଅର୍ଥାତ ସେହି ବ୍ରହ୍ମ ମୁଁ ଅଟେ – ଏହି ନିଶ୍ଚୟ ହିଁ ଜ୍ଞାନ ଅଟେ। ଆତ୍ମାଠାରୁ ଭିନ୍ନ କିଛି ନାହିଁ – ଏହା ନିଶ୍ଚୟ କରିବା ହିଁ ଜ୍ଞାନ ଅଟେ, ଆଉ ସବୁ ଅଜ୍ଞାନ ଅଟେ। ଚିତ୍ତର ସ୍ଥିରତା ପାଇଁ ଏହା ଶ୍ରେଷ୍ଠ ସାଧନ ଅଟେ ଯେ ମୋ ଆତ୍ମା ଠାରୁ ଭିନ୍ନ କିଛି ନାହିଁ। ଏହି ସହଜ ନିର୍ବିକଳ୍ପ ସମାଧିରେ ହିଁ ସଂସାରର ସବୁ ଜୀବ କର୍ମ କରିଚାଲନ୍ତି।

ଯୋଗରେ ଚିତ୍ତ ଅଟକାଇବାକୁ ପଡେ. ଯଦି ଥଣ୍ଡା – ଗରମ ଜଣା ନ ପଡିବା ହିଁ ସମାଧି ଅଟେ, ତେବେ ଡାକ୍ତରଙ୍କ ଦ୍ୱାରା ବେହୋଶୀର ଔଷଧ ଖାଇବା ବା କ୍ଲୋରଫର୍ମ ଶୁଙ୍ଘାଇ ଦେବା ଫଳରେ ତୁମକୁ କିଛି ଜଣା ପଡିବ ନାହିଁ। ପିମ୍ପୁଡ଼ି ଚାଲୁ କି ଅଜଗର ଉପରେ ଚଢିଯାଉ କି ସର୍ପ ଦଂଶନ କରୁ, କିଛି ଜଣା ପଡିବ ନାହିଁ। ଯେଉଁ ଅବସ୍ଥାରେ ତୁମର ବୁଦ୍ଧି ସମସ୍ତ ଦ୍ବନ୍ଦ୍ୱରେ ସମ ହୋଇଯାଏ, ସେହି ଅବସ୍ଥାକୁ ସମାଧି କୁହାଯାଏ. “ସର୍ବଧୀ ସାକ୍ଷୀ ଭୂତମ” ହେ ରାମ ! ସାଧନ ଦ୍ୱାରା ସିଦ୍ଧ ହେଉଥିବା ସମାଧି ଗୋଟିଏ କ୍ଷଣ, ଗୋଟିଏ ଘଣ୍ଟା, ଗୋଟିଏ ଦିନ, ଗୋଟିଏ ମାସ, ଗୋଟିଏ ବର୍ଷ କିମ୍ବା ଗୋଟିଏ ଯୁଗ ହେଉନା କାହିଁକି , ଦିନେ ନା ଦିନେ ସେଠାରୁ ନିଶ୍ଚୟ ଜାଗ୍ରତ ହେବାକୁ ପଡିବ। ସାଧନ ଦ୍ୱାରା ସିଦ୍ଧ ସବୁ ପ୍ରକାର ସିଦ୍ଧି ଅନିତ୍ୟ ଅଟେ। ହେ ରାମ ! ଯିଏ ଶୁଦ୍ଧ ଅନ୍ତଃ କରଣ ଯୁକ୍ତ ନିଷ୍ପାପ ପୁରୁଷ ଅଟନ୍ତି, ତାଙ୍କୁ ହିଁ ନିଶ୍ଚୟ ଥାଏ ଯେ ମୋର ସତ୍ୟ ସ୍ୱରୂପ ଆତ୍ମ ତତ୍ତ୍ୱ ହିଁ ଅଟେ।

ବଶିଷ୍ଠ ମୁନି କହିଲେ – ହେ ରାମ ! ବୋଧ କରିବା ପାଇଁ ମୁଁ ତୁମକୁ ବାରମ୍ବାର ବେଦାନ୍ତର ସାର ତତ୍ତ୍ୱ ବୁଝାଇ କହୁଛି। ଏହାକୁ ତୁମେ ଧ୍ୟାନର ସହିତ ଶୁଣ ଓ ବୁଝ। ଏହି ଆତ୍ମ ସାକ୍ଷାତକାର ଭାବନା ଅଭ୍ୟାସ ବିନା ହୋଇପାରିବ ନାହିଁ। ମୁଁ ଏହି ଶରୀର ଅଟେ – ଏହି ଅଜ୍ଞାନ ଅବିଦ୍ୟା ଅନାତ୍ମ ଭାବ ଅନନ୍ତ ଜନ୍ମରୁ ମନରେ ଦୃଢ଼ ହୋଇ ଯାଇଛି। ଏହାକୁ ଦୂର କରିବା ପାଇଁ କିଛି କାଳ ପର୍ଯ୍ୟନ୍ତ ଦୃଢ଼ତାର ସହିତ ଆତ୍ମନିଷ୍ଠାକୁ ଜାଗ୍ରତ କରିବାକୁ ପଡିବ।

“କଛୁକ କାଳ କରିୟେ ସତସଙ୍ଗା। ସତ ସଂଗତି ସଂସୃତି କର ଅନ୍ତା ।”

ହେ ରାମ ! ଅଜ୍ଞାନରୁ ଉତ୍ପନ୍ନ ବନ୍ଧନ ଜ୍ଞାନ ଦ୍ୱାରା ହିଁ ଖୋଲା ଯାଏ। ଯେପରି ଅନ୍ଧକାରରେ ଉତ୍ପନ୍ନ ଭ୍ରମ-ଭୁତ ପ୍ରକାଶ ହେବା କ୍ଷଣି ନିବୃତ୍ତ ହୋଇଯାଏ, ସେହିପରି ନିତ୍ୟମୁକ୍ତ ଜୀବର ବନ୍ଧନ ବାସ୍ତବିକ ନ ହୋଇ ମଧ୍ଯ ସ୍ୱରୂପ ଅଜ୍ଞାନ କାରଣରୁ ବନ୍ଧନ ପ୍ରତୀତି ହେଉଅଛି। ଯେତେବେଳେ କୌଣସି ସଦଗୁରୁଙ୍କ କୃପାରୁ ସ୍ୱରୂପର ଜ୍ଞାନ ହେବ, ସେତେବେଳେ ଜୀବର ଭବ ବନ୍ଧନର ଭ୍ରମର ନିବୃତ୍ତି ହୋଇ ପାରିବ। ଏହା ବ୍ୟତୀତ ବନ୍ଧନ ଭ୍ରାନ୍ତିର ନିବୃତ୍ତି ଅନ୍ୟ କୌଣସି ସାଧନ ଦ୍ୱାରା ହୋଇ ପାରିବ ନାହିଁ। ମହର୍ଷି ବଶିଷ୍ଠ -ରାମ ଗୀତା – ସ୍ବାମୀ ନିରଞ୍ଜନ – ଓଡ଼ିଆ ଅନୁବାଦ।କ୍ରମଶଃ..