ପ୍ରଭୁ ଯୀଶୁ ଥିଲେ ନୈଷ୍ଠିକ ତାମିଲ ବ୍ରାହ୍ମଣ

ଭଗବାନ ଶିବଙ୍କ ମହାନ ଭକ୍ତ ଥିଲେ….

ଜଗତର ତ୍ରାଣକର୍ତା ପ୍ରଭୁ ଯୀଶୁ ଏଇ ଭାରତରେ ଜନ୍ମ ହୋଇଥିଲେ । ବହୁତ କମ୍‌ ଲୋକ ଏହି ବିଷୟ ଜାଣିଛନ୍ତି । ଯୀଶୁ ତାମିଲ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସନାତନ ଧର୍ମକୁ ଅସ୍ତ୍ର କରି ବ୍ରାହ୍ମଣ ଓ କ୍ଷତ୍ରୀୟ ସମାଜ ଛୁଆଁ ଅଛୁଆଁ ଭେଦଭାବ ପାଠ ପଢ଼ାଇଲା । ଛୋଟଛୋଟ ବେଉସା କରି ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ ଅଛୁଅାଁ ଜାତିର ପୋଷାକ ପିନ୍ଧାଇ ମନ୍ଦିର ଭିତରେ ପଶିବାକୁ ବାରଣ କରାଗଲା । ବେଦମନ୍ତ୍ରକୁ ଶ୍ରବଣ କରୁଥିବା ଦଳିତ ଲୋକର କାନରେ ସୀସା ତରଳାଇ ପକାଇ ଦିଆଯାଉଥିଲା ।

ଏସବୁ ଦେଖି ସହି ପାରିଲେନି ପ୍ରଭୁ ଯୀଶୁ । ଦଳିତ ଲୋକଙ୍କୁ ଈଶ୍ୱରଙ୍କ ନିକଟରେ ପହଂଚାଇବା ପାଇଁ ବାଟ ତିଆରି କଲେ । ସେହି ବାଟର ନାମ ଦେଲେ ଖ୍ରୀଷ୍ଟିୟାନ ଧର୍ମ । ସନାତନ ଧର୍ମରୁ ଖ୍ରୀଷ୍ଟିୟାନ ଧର୍ମର ଜନ୍ମ । ସନାତନ ଧର୍ମର ଉଦାର ଗୁଣାବଳୀକୁ ନେଇ ଯୀଶୁ ଖ୍ରୀଷ୍ଟିୟାନ ଧର୍ମକୁ ସମୃଦ୍ଧ କଲେ । ଦୟା, କ୍ଷମା ଓ ପ୍ରେମର ପାଠ ପଢ଼ାଇଲେ । ଦଳିତ ଲୋକଙ୍କୁ ଗୀର୍ଜାରେ ପଶିବାର ଅନୁମତି ଦିଆଗଲା । ପୂଜାପାଠ କରିବାକୁ ଅନୁମତି ଦିଆଗଲା ।

ଯୀଶୁଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ ‘ଖ୍ରୀଷ୍ଟ ପରିଚୟ’ରେ ଏହିସବୁ ବିଷୟ ଉଲ୍ଲେଖ କରାଯାଇଛି । ବହିଟିକୁ ଲେଖିଛନ୍ତି ଗଣେଶ ଦାମୋଦର (ବାବୁରାଓ) ସାଭରକର । ଗଣେଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ପ୍ରତିଷ୍ଠାତା ସଭ୍ୟଙ୍କ ଭିତରୁ ଜଣେ । ତାଙ୍କର ବଡ଼ ପରିଚୟ ହେଉଛି ସେ ଦେଶପ୍ରେମୀ ବିନାୟକ ଦାମୋଦର ସାଭରକରଙ୍କ ବଡ଼ଭାଇ । ମରାଠୀ ଭାଷାରେ ରଚିତ ପୁସ୍ତକଟିରେ ପ୍ରଭୁ ଯୀଶୁଙ୍କ ଜନ୍ମ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇନି । ମାତ୍ର ଆଜିର ପାଲେଷ୍ଟାଇନ୍‌ ଓ ଆରବ ରାଷ୍ଟ୍ରକୁ ହିନ୍ଦୁ ଭୂମି ଭାବେ ବର୍ଣ୍ଣନା କରାଯାଇଛି । ଯୀଶୁ ଭାରତ ବୁଲିବା ବିଷୟ ଲେଖିଛନ୍ତି । ‘ଖ୍ରୀଷ୍ଟ ପରିଚୟ’ ଅନୁସାରେ ଯୀଶୁଙ୍କ ମାତୃଭାଷା ‘ତାମିଲ’ ।

ତାଙ୍କର ପ୍ରକୃତ ନାମ କେଶବ କ୍ରୀଷ୍ଣା । ଯୀଶୁଙ୍କ ଶରୀର ରଙ୍ଗ କଳା । ୧୨ ବର୍ଷ ବୟସରେ ତାଙ୍କର ବ୍ରତୋପୟନ କରାଯାଇଥିଲା । ସେ ପଇତା ପିନ୍ଧୁଥିଲେ । ଯୋଗ ବିଜ୍ଞାନ ଓ ଆଧ୍ୟାତ୍ମିକ ବିଜ୍ଞାନରେ ଯୀଶୁଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ପାଣି ଉପରେ ଚାଲିବା ଓ ଶୂନ୍ୟରେ ଚାଲିବା ତାଙ୍କର ଆଧ୍ୟାତ୍ମିକ ଶକ୍ତିର ଦକ୍ଷତାକୁ ପ୍ରମାଣିତ କରିଛି । ଗଛପତ୍ର, ଗୁଳ୍ମଲତାର ଚେର, କାଣ୍ଡ, ପତ୍ର, ଛେଲିରୁ ଔଷଧ ତିଆରି କରିବାର କୌଶଳ ଯୀଶୁଙ୍କୁ ମାଲୁମ ଥିଲା ।

ସେହି ଔଷଧ ବଳରେ ପଶୁପକ୍ଷୀ ଓ ଲୋକଙ୍କୁ ରୋଗମୁକ୍ତ କରୁଥିଲେ । ଶିଷ୍ୟମାନଙ୍କୁ ଧରି ପ୍ରଭୁ ଯୀଶୁ ପ୍ରାୟ ତିନିବର୍ଷ କାଳ ହିମାଳୟ ପାଦଦେଶରେ ଅବସ୍ଥାନ କରିଥିଲେ । ହିମାଳୟ ପାଦଦେଶରେ ରହି ସେ ଭଗବାନ ମହାଦେବଙ୍କୁ ଆରାଧନା କରୁଥିଲେ । ୪୯ ବର୍ଷ ବୟସରେ ଯୀଶୁ ମାନବ ଶରୀର ତ୍ୟାଗ କରିବା ପାଇଁ ନିଷ୍ପତି ନେଇଥିଲେ ।

ମହାଯୋଗରେ ବସିଥିବା ଭିତରେ ତାଙ୍କର ସମାଧି ପ୍ରାପ୍ତ ହେଲା । ‘ଖ୍ରୀଷ୍ଟ ପରିଚୟ’ରେ ଆରବ ଦେଶକୁ ହିନ୍ଦୁ ରାଷ୍ଟ୍ର ଓ ଜିଉମାନଙ୍କୁ ହିନ୍ଦୁ ଭାବେ ବର୍ଣ୍ଣନା କରାଯାଇଛି । ଯୀଶୁ ଜୀବିତ ଥିବା ସମୟରେ ଆରବ ଦେଶର ଲୋକମାନେ ତାମିଲ ଓ ସଂସ୍କୃତ ଭାଷାରେ କଥା ହେଉଥିଲେ । ଆଜି ପାଲେଷ୍ଟାଇନ ଜନତା ଯୋଉ ଭାଷାରେ କଥା ହେଉଛନ୍ତି, ତାହା ତାମିଲ ଭାଷାର ଅପଭ୍ରଂଶ ବୋଲି ଗଣେଶ ଦାବି କରିଛନ୍ତି ।