ମତ୍ସ୍ୟଗନ୍ଧା ରୁ ମହାଭାରତ

ବସୁରାଜଙ୍କ ଔରସରେ ମତ୍ସ୍ୟରୂପା ଅପ୍ସରା ଆଦ୍ରିକା ଗର୍ଭରୁ..

ମହାଭାରତର ରକ୍ତଭିଜା ମହାସଂଗ୍ରାମ ପାଇଁ ଆମେ ଅନ୍ଧ ଧୃତରାଷ୍ଟ୍ରଙ୍କ ପୁତ୍ରପ୍ରେମ, ଦୁର୍ଯ୍ୟୋଧନଙ୍କ ଗର୍ବ , ମହତ୍ତ୍ୱାକାଂକ୍ଷା ଏବଂ ଶକୁନି ମାମୁଁଙ୍କ ଚକ୍ରାନ୍ତକୁ ଦୋଷ ଦେଇଥାଉ । କିନ୍ତୁ ଏହି ଯୁଦ୍ଧର ବିଷ ମଞ୍ଜି ସେହି ଦିନର ମିଞ୍ଜି ମିଞ୍ଜି ସଞ୍ଜ ବେଳେ ହିଁ ଅସଂଯମତାର ସଳିତାର ଆଲୋକରେ ବୁଣି ଦେଇଥିଲେ ଋଷି ପରାଶର ଏବଂ ଧୀବର କନ୍ୟା ମତ୍ସ୍ୟଗନ୍ଧା ।

ସନ୍ଧ୍ୟା ଆଗତ ପ୍ରାୟ..
ଯମୁନା କୂଳରେ ଅପେକ୍ଷାରତ ଋଷି ପରାଶର । ଆରପାରିରୁ ଯାତ୍ରୀ ନେଇ ନୌକାଟି ଫେରିବ । ସେହି ନୌକାରେ ନିଜ ଆଶ୍ରମକୁ ଫେରିବେ ମହାଜ୍ଞାନୀ ଋଷି । ନଦୀ ଏପାଖର ନିଘଞ୍ଚ ଅରଣ୍ୟ ଭିତରେ ଶାନ୍ତିରେ ବସି ସେ ରଚନା କରୁଥିଲେ ତାଙ୍କର ଗୋଟିଏ ପରେ ଗୋଟିଏ କାଳଜୟୀ ସୃଷ୍ଟି।

ବୃହତ ପରାଶର ହୋରାଶାସ୍ତ୍ର ,(ଜ୍ୟୋତିର୍ବିଦ୍ୟାର ଅମୁଲ୍ୟ ଗ୍ରନ୍ଥ) ବୃକ୍ଷଆୟୁର୍ବେଦମ ( ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି ), କୃଷି ପରାଶରମ (କୃଷି ସମ୍ବନ୍ଧୀୟ ପୁସ୍ତକ ) ବିଷ୍ଣୁ ପୁରାଣ । ଏହା ଛଡ଼ା ଆହୁରି କେତେକ ପୁସ୍ତକ ରଚନା ବିଷୟରେ ଅନେକ ଦିନ ଧରି ଚିନ୍ତିତ ଥାଆନ୍ତି ଋଷିବର । ଆଶ୍ରମରେ ରହି ଶାନ୍ତିରେ ପୁସ୍ତକ ରଚନା କରିବା ସମ୍ଭବ ହୋଇ ପାରେନା । ଶିଷ୍ୟଙ୍କ କୋଳାହଳ , ଆଗନ୍ତୁକଙ୍କ ଅଭ୍ୟର୍ଥନା , ଆଶ୍ରମର ଗୋପାଳନ ବିଷୟକ ସମସ୍ୟା ଏମିତି କେତେ କଣ ! ସାଂସାରିକ ଜଞ୍ଜାଳରୁ ମୁକ୍ତ ରହିବା ପାଇଁ ବିବାହ ନ କରି ମଧ୍ୟ ଦିନକୁ ଦିନ ସଂସାରର ବୋଝ ମାଡ଼ି ବସୁଛି।

ପିତା ମହର୍ଷି ଶକ୍ତିଙ୍କୁ କଳ୍ମଷପଦ ନାମକ ଜଣେ ରାକ୍ଷସ ଜୀବନ୍ତ ଭକ୍ଷଣ କରି ଦେଇଥିବା କଥା ସେ ପିତାମହ ବଶିଷ୍ଠଙ୍କ ପାଖରୁ ଶୁଣିଥିଲେ । ଘଟଣାଟି ଏପରି ଥିଲା – ଦିନେ ଶକ୍ତି ମୁନି ଏକୁଟିଆ ରାସ୍ତାରେ ପୂର୍ବ ଦିଗରୁ ଆସୁଥିଲେ । ବିପରୀତ ଦିଗରୁ ଆସୁଥିଲେ ରାଜା କଳ୍ମଷପାଦ । ରାସ୍ତା ଏତେ ସରୁଆ ଥିଲା ଯେ ଜଣେ ହିଁ ବ୍ୟକ୍ତି ସେ ରାସ୍ତାରେ ଯାଇପାରିବ । ରାଜାଙ୍କୁ ରାଜପଣିଆର ଅହଂକାର ଥିଲା ଓ ଶକ୍ତି ମୁନିଙ୍କୁ ନିଜର ଋଷି ପଣିଆର ଅହଂକାର । ରାଜାଙ୍କ ଠାରୁ ଋଷିଙ୍କ ସ୍ଥାନ ଉଚ୍ଚରେ । ତେଣୁ ରାଜାଙ୍କୁ ହିଁ ରାସ୍ତାରୁ ହଟିବାର ଥିଲା । କିନ୍ତୁ ରାଜା ରାସ୍ତାରୁ ହଟିବା ତ ଦୂରର କଥା , ଓଲଟା ସେ ଋଷିଙ୍କୁ ଚାବୁକ ମାରିବା ଆରମ୍ଭ କରିଦେଲେ । ରାଜାଙ୍କର ଏହି କର୍ମ ରାକ୍ଷସ ପ୍ରବୃତ୍ତିର ଥିଲା । ତେଣୁ ଋଷି ତାଙ୍କୁ ରାକ୍ଷସ ପାଲଟିଯିବା ପାଇଁ ଅଭିଶାପ ଦେଲେ । ଶାପର ପ୍ରଭାବରେ ରାଜା ରାକ୍ଷସ ପାଲଟିଗଲେ । ରାକ୍ଷସ ହେବାପରେ ସେ ନିଜର ପ୍ରଥମ ଆହାର ରୂପେ ଶକ୍ତି ମୁନିଙ୍କୁ ହିଁ ଗିଳିଦେଲେ ଓ ଶକ୍ତି ମୁନିଙ୍କର ଜୀବନଲୀଳା ସମାପ୍ତ ହୋଇଗଲା । ରାକ୍ଷସର ପାକସ୍ଥଳୀର ଅନ୍ଧଗଳୀ ଭିତରେ ଅଣନିଃଶ୍ୱାସୀ ପିତା କେମିତି ଆତୁର ହୋଇ ଡାକ ପକାଇଥିବେ ଓ ଶେଷରେ ରାକ୍ଷସର ପେଟ ଭିତରୁ ମେଞ୍ଚାଏ ଦୁର୍ଗନ୍ଧଯୁକ୍ତ ମଳରେ ପରିବର୍ତ୍ତିତ ହୋଇ ଭୂପୃଷ୍ଠରେ ପତିତ ହୋଇଥିବେ ଏ କଥା ଚିନ୍ତା କରି ସେ ଅନେକ ସମୟରେ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି ଓ ତପ ବଳରେ ରାକ୍ଷସ ବଂଶ ଧ୍ବଂସ କରିବାର କ୍ଷମତା ପ୍ରାପ୍ତି ପାଇଁ ନିଜର ପ୍ରସ୍ତୁତିକୁ ଆହୁରି ଦୃଢ଼ୀଭୁତ କରିବେ ସେ କଥା ମଧ୍ୟ ତାଙ୍କ ମନକୁ ଆଚ୍ଛାଦିତ କରି ରଖିଥିଲା । ଏତେ ସବୁ ଦାୟ ଦାୟିତ୍ୱର ଶିକୁଳିରେ ବନ୍ଧା ଋଷି ପରାଶର ବିବାହ ଭଳି ଏକ ଶକ୍ତ ବନ୍ଧନରୁ ନିଜକୁ ମୁକ୍ତ ରଖିଛନ୍ତି କେବଳ ତପ ଓ ଜ୍ଞାନ ସାଧନା ଏବଂ ପିତୃ ହତ୍ୟାର ପ୍ରତିଶୋଧ ନେବା ପାଇଁ ।

ଦେଖୁ ଦେଖୁ ନୌକାଟି ଆସି ଘାଟରେ ଲାଗିଲା । ଯାତ୍ରୀମାନେ ଓହ୍ଲେଇ ଗଲେଣି । ତରତର ହୋଇ ଋଷି ନୌକା ଉପରକୁ ଚଢ଼ିଗଲେ । ନା, ଆଉ କେହି ସହଯାତ୍ରୀ ନାହାଁନ୍ତି । ପଶ୍ଚିମ ଆକାଶରେ ଏବେ ବି ଦିବାକର ଦାଉ ଦାଉ ହୋଇ ଜଳୁଛନ୍ତି । ତାର ଆଲୋକରେ ଯମୁନା ନଦୀର ଜଳ ଲେଲିହାନ ଅଗ୍ନିଶିଖା ପରି ପ୍ରଜ୍ଜ୍ଵଳିତ ହୋଇ ଉଠିଛି । ଋଷି ମୁହଁ ଟେକି ନାଉରିଆ ଆଡ଼କୁ ଅନାଇଲେ ।

ଆରେ , ଏ ତ ତାଙ୍କର ସେହି ଚିର ପରିଚିତ ଦାସରାଜା ନୁହଁନ୍ତି । କୈବର୍ତ୍ତରାଜ ନିଜେ ନୌକା ଚାଳନା କରନ୍ତି । ଯମୁନା ନଦୀର ଉର୍ମୀମାଳା ସହିତ ନାଚିନାଚି ଚାଲିଥାଏ ତାଙ୍କର ନୌକାଟି I ଯାତ୍ରୀ ନ ଥିଲେ ନୌକାରେ ବସି ଜାଲ ପକାଇ ମାଛ ଧରନ୍ତି ।

ଆଜି ଏ କନ୍ୟାଟି କିଏ ? ଆଗରୁ ସେ କେବେ ତାକୁ ଦେଖି ନାହାନ୍ତି ! ତା ମୁହଁରେ ସୂର୍ଯ୍ୟଙ୍କ କିରଣ ତୀର୍ଯ୍ୟକ ଭାବରେ ପଡ଼ି ଫେରିଆସୁଛି ତାଙ୍କ ଆଡ଼କୁ ।

ଝିଅଟି ଋଷିଙ୍କୁ ଓଳଗି ହେଲା..
–ବାପାଙ୍କ ଦେହ ଟିକିଏ ଅସୁସ୍ଥ ଅଛି । ନୌକା ବନ୍ଦ କରି ଦେଇଥିଲେ ସେ i ଆପଣ ଏପଟେ ବ୍ୟସ୍ତ ହୋଇ ଏପଟ ସେପଟ ଚାଲୁଥିବାର ଦେଖି ମତେ ପଠେଇ ଦେଲେ । କହିଲେ ଯା’ ମା ‘! ୠଷିଙ୍କୁ ନେଇ ଆସିବୁ , ସେ ବିଚରା ଭାରି ଭଲ ଲୋକ । ଆମର ନିତି ଦିନର ଗରାଖ । ଖାଲି ଆପଣଙ୍କ ପାଇଁ ଆସିବା କଥା । ନହେଲେ ଏଯେଉଁ ଯାତ୍ରୀ ମାନେ ସେ ପଟରୁ ଆସିଲେ ତାଙ୍କୁ ତ ବାପା ମନା କରି ଦେଇଥିଲେ । ଦୁବ ଯୋଗୁଁ କନସିରାକୁ ପାଣି ମିଳିଗଲା ଜାଣ !

ତାର ନିଜ କଥାରେ ଖିଲି ଖିଲି ହୋଇ ହସି ଉଠିଲା ଯୁବତୀ ଜଣକ..
ସୂର୍ଯ୍ୟାଲୋକରେ ଦୁଇଧାଡ଼ି ଦାନ୍ତ ମୋତି ଭଳି ଚମକି ଉଠିଲେ । ଝିଅଟି ବେପରୁଆ ହସୁଥାଏ । ତା ମୁହଁକୁ ଅନାଇ ଦେଇ ଋଷି ଥମ୍ କରି ରହିଗଲେ ।

ପଙ୍କ ଭିତରୁ ପଦ୍ମ ଭଳି ସୁନ୍ଦର ଦିଶୁଛି ଝିଅଟି ! ଜଣେ ଧୀବରର କନ୍ୟା ଏତେ ସୁନ୍ଦର ହୋଇପାରେ ଏ କଥା ଋଷିଙ୍କ କଳ୍ପନାର ବାହାରେ ଥିଲା । ସାରା ସଂସାରର ସୌନ୍ଦର୍ଯ୍ୟକୁ ଏକତ୍ରିତ କରି ବିଧାତା ଗଢ଼ିଥିବ ଏମିତି ଏକ ସୁନ୍ଦରୀକୁ !

ଋଷି ପଚାରିଲେ –
–ତୁମକୁ ତ ମୁଁ ଆଗରୁ କେବେ ଦେଖିନାହିଁ ! ତୁମେ କିଏ , ତୁମ ନାମ କଣ?

କନ୍ୟା —
ଆଜ୍ଞା , ମୁଁ ମତ୍ସ୍ୟଗନ୍ଧା । କୈବର୍ତ୍ତ ମାନଙ୍କ ରାଜା ଦାସରାଜଙ୍କ ଝିଅ । ତାଙ୍କ ଦେହ ଅସୁସ୍ଥ ଥିବାରୁ ମୁଁ ଆପଣଙ୍କୁ ପାର କରାଇବା ପାଇଁ ଆସିଛି ।” କିନ୍ତୁ ପ୍ରକୃତରେ ବସୁରାଜଙ୍କ ଔରସରେ ମତ୍ସ୍ୟରୂପା ଅପ୍ସରା ଆଦ୍ରିକା ଗର୍ଭରୁ ଏହାଙ୍କର ଜନ୍ମ । ମତ୍ସ୍ୟର ଉଦରରୁ ଜନ୍ମି ଥିବାରୁ ଏହାଙ୍କ ଦେହରୁ ମତ୍ସ୍ୟଗନ୍ଧ ବାହାରୁଥିଲା । ତେଣୁ ଏହାଙ୍କର ନାମ ମତ୍ସ୍ୟଗନ୍ଧା ହେଲା । ବସୁ ରାଜା ଏହାଙ୍କୁ ଶିଶୁ ଅବସ୍ଥାରେ ଦାସରାଜଙ୍କ ହସ୍ତରେ ପାଳନାର୍ଥେ ଅର୍ପଣ କରିଥିଲେ ।

ଋଷି ଜୀବନରେ ନିଜର ବୁଢ଼ୀ ମାଆଙ୍କୁ ଛାଡ଼ି କେବେ କୌଣସି ନାରୀର ମୁହଁକୁ ସିଧା ସିଧି ଦେଖି ନଥିଲେ । ଏହି ଥିଲା ତାଙ୍କର ପ୍ରଥମ ନାରୀ ଦର୍ଶନ । ହାତର ଇଶାରାରେ ପାଖକୁ ଆସିବାକୁ ଡାକ ଦେଲେ କନ୍ୟାଟିକୁ । ଆଶ୍ଚର୍ଯ୍ୟ ଜନକ ଭାବରେ ଯମୁନାର ଜଳ ସ୍ଥିର ହୋଇଗଲା !

ଆଶ୍ଚର୍ଯ୍ୟ ଚକିତ ହୋଇ ଋଷିଙ୍କ ମୁହଁଙ୍କୁ ଅନେଇ ଛିଡ଼ା ହୋଇ ରହିଗଲା ଝିଅଟି । ଏମିତି ତ କେବେ ହୁଏନା । ଯମୁନା କେବେ ଏମିତି ଶାନ୍ତ ହୋଇ ସ୍ଥିର ହୋଇ ଛିଡ଼ା ହୋଇ ଯିବାର ସେ କେବେ ଦେଖିନି । ବାପାଙ୍କ ପାଖରୁ ଯମୁନା ବୁକୁରେ ପହଁରିବାଠାରୁ ଆରମ୍ଭ କରି ନୌକା ଚାଳନା କରିବା ଓ ମାଛ ମାରିବା ଭିତରେ କେବେ ବି ମା’ ଯମୁନା ଏମିତି ଚୁପ ହୋଇ ଛିଡ଼ା ହୋଇଯିବାର ଅନୁଭବ ତା’ର ନାହିଁ ! ଋଷି ନିଶ୍ଚେ ଐଶ୍ୱରୀୟ ଶକ୍ତିଧାରୀ ହୋଇଥିବେ !

ମତ୍ସ୍ୟଗନ୍ଧା ଆହୁଲାଟିକୁ ନୌକା ଭିତରେ ରଖିଦେଲା ଓ ଧୀର ପଦକ୍ଷେପରେ ଋଷିଙ୍କ ପାଖକୁ ଆସିଲା ।
ପରାଶର ଏଥର ଆଉ ଟିକିଏ ପାଖକୁ ଲାଗି ଆସିଲେ । ଋଷିଙ୍କ ସୌମ୍ୟଦୀପ୍ତ ଚେହେରାର ଆକର୍ଷଣ ମଧ୍ୟ କିଛି କମ ନ ଥିଲା ଝିଅଟି ପାଇଁ । ସେ କିନ୍ତୁ ଅବିଚଳିତ ଭାବରେ ବେଖାତିର ହସଟିଏ ହସିଲା ଓ ଋଷିଙ୍କ ମୁହଁକୁ ଅନେଇ ପଚାରିଲା ,” କଣ କହିବେ କୁହନ୍ତୁ!”

ଋଷି ଏଥର ଝିଅଟିର ଆଖିରେ ଆଖି ମିଶେଇଲେ ଓ କହିଉଠିଲେ , “ମତ୍ସ୍ୟଗନ୍ଧା , ଜୀବନରେ କେବେ କୌଣସି ନାରୀକୁ କାମବାସନାର ବଶବର୍ତ୍ତୀ ହୋଇ ସ୍ପର୍ଶ କରିନାହିଁI ପୁଣି କେବେ ଆଉ କାହାକୁ ସେ ଦୃଷ୍ଟିରେ ଦେଖିବାର ଅଭିପ୍ରାୟ ମଧ୍ୟ ନାହିଁ । କିନ୍ତୁ ତୁମକୁ ଦେଖିବା ପରଠାରୁ ମୋର ତୁମ ସହିତ ଏହି ମୁହୂର୍ତ୍ତରେ ଗନ୍ଧର୍ବ ବିବାହ କରିବାକୁ ଇଛା ହେଉଛି ।

ଋଷିଙ୍କ କଥା ଶୁଣି ଧିବରକନ୍ୟା ମୁହଁରେ ହାତ ଦେଇ ଛିଡ଼ା ହୋଇ ଗଲା ଓ କହିଲା ,” ହେ ଋଷିବର! ଆପଣଙ୍କୁ ଆମେ ବହୁତ ସମ୍ମାନ କରୁ ଓ ଆପଣଙ୍କ ପାଇଁ ଜୀବନ ମଧ୍ୟ ଦେଇଦେବା ପାଇଁ ପ୍ରସ୍ତୁତ। କିନ୍ତୁ ଏଭଳି ଏକ ପ୍ରସ୍ତାବ ଦେଇ ଆପଣ ନିଜକୁ ବହୁତ ଛୋଟ କରି ଦେଲେ । ଏ ଦେହ ଆଜି ଅଛି , କାଲି ନ ଥିବ  କଥା କିନ୍ତୁ କାଳ କାଳ କୁ ରହିଯିବ । ଆମେ ହେଲୁ ନୀଚ୍ଚ ଧୀବର ଜାତିର ଏବଂ ଆପଣ ହେଲେ ବ୍ରାହ୍ମଣ ! ଆମ ମାନଙ୍କ ମଧ୍ୟରେ ମିଳନ ନୀତିଶାସ୍ତ୍ର ବିରୋଧୀ । ତାଛଡ଼ା ମାଛ ଧରି ଧରି ମୋ ଦେହରୁ ମାଛମାନଙ୍କର ଗନ୍ଧ ବାହାରୁଛି । ସେଥିପାଇଁ ମୋର ନାଁ ପଡ଼ି ଯାଇଛି ମତ୍ସ୍ୟଗନ୍ଧା । ମୋତେ ଛୁଇଁ ଆପଣ ନିଜକୁ ଅପବିତ୍ର କରନ୍ତୁ ନାହିଁ । ”

ଋଷି କିନ୍ତୁ ନିଜ ନିୟନ୍ତ୍ରଣ ଭିତରେ ନାହାଁନ୍ତି । କହି ଉଠିଲେ , ” ହେ ମତ୍ସ୍ୟଗନ୍ଧେ ! କନ୍ୟାର କୂଳ ଦେଖାଯାଏ ନାହିଁ । ତାର ରୂପ , ଗୁଣ, ଶିକ୍ଷା ,ଦୀକ୍ଷା ଓ ଚରିତ୍ର ଦେଖାଯାଏ । ମୁଁ ମନ୍ତ୍ର ଦ୍ୱାରା ତୁମର ମାଛ ଗନ୍ଧ ଦୂର କରି ତୁମ ଦେହରେ ଚିର କାଳ ପାଇଁ କସ୍ତୁରୀର ଭୁରୁ ଭୁରୁ ବାସ୍ନା ଭରି ଦେବି ଯାହା ଏକ ଯୋଜନର ଦୂରତାକୁ ଭେଦ କରି ଯାଇ ପାରିବ ଓ ତନ୍ମଧ୍ଯରେ ଉପସ୍ଥିତ ସମସ୍ତଙ୍କୁ ଆନନ୍ଦିତ କରି ପାରିବ । ତା ଛଡା ମୁଁ କେବଳ ତୁମକୁ ଉପଭୋଗ କରିବା ପାଇଁ ଚାହୁଁ ନାହିଁ । ଶିବଙ୍କ ପାଖରୁ ବର ପାଇଛି ଯେ ମୋର ଯେଉଁ ପୁତ୍ରଟିଏ ହେବ ସେ ମହାଜ୍ଞାନୀ , ବେଦଜ୍ଞ ଓ ବହୁ ପୁରାଣର ରଚୟିତା ହିସାବରେ ତିନି ଭୂବନରେ ଖ୍ୟାତି ଲାଭ କରିବ । ମୁଁ ଚାହୁଁଛି ତୁମେ ମୋର ସେହି ପୁଅର ମାଆ ହୁଅ !” କ୍ରମଶଃ..