ମେଲାଣି ନେଲେ ମା’, ରହିଗଲା ମହିଷାସୁର

ପବିତ୍ର ଦଶହରାରେ ମା’ ଦୁର୍ଗାଙ୍କ ଚରଣରେ ମହିଷାସୁରକୁ ଦେଖିଛନ୍ତି? ମା’ଙ୍କ ତ୍ରିଶୂଳ ମହିଷାସୁର ବକ୍ଷରେ ଭେଦ କରିଛି । ଦଶମୀ ଦିନ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ରାବଣପୋଡ଼ି ଉପଭୋଗ କରିଛନ୍ତି ହଜାର ହଜାର ଲୋକ । ମାତ୍ର ବାସ୍ତବତା ଦେଖିଲେ, ସତରେ କ’ଣ ଅନ୍ୟାୟ ଉପରେ ନ୍ୟାୟ ଜିତାପଟ ହାସଲ କରିଛି । ଅସତ୍ୟ ଉପରେ ସତ୍ୟ ବିଜୟ ଲାଭ କରିଛି ।

ଚଳିତ ଦଶହରାରେ ମୁଁ ଦେଖିବାକୁ ପାଇଛି ରାବଣ ପୁତଳିକାକୁ ଲକ୍ଷ୍ୟ କରି ଶର ମାରୁଥିବା ବ୍ୟକ୍ତିଙ୍କ ଭିତରେ ହସୁଥିବା ରାବଣକୁ । ଚକେଇସିଆଣିରେ ଅନୁଷ୍ଠିତ ପୂଜାମଣ୍ଡପ ନିକଟ ପଡ଼ିଆରେ ଖୋଲିଥିଲା ନାନା ଷ୍ଟଲ । ମାତ୍ର ଗେଟ୍‌ ନିକଟରେ ତିଆରି କରାଯାଇଥିବା ପେଣ୍ଡାଲ ଉପରେ ବସି ମହିଷାସୁର, ଶୁମ୍ଭ, ନିଶୁମ୍ଭମାନେ ପଡ଼ିଆରେ ବୁଲୁଥିବା ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଉଥିଲେ ।

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ଶରମାଡ଼ରେ ଧରାଶାୟୀ ରାବଣ କଳିଯୁଗ ସଂପର୍କରେ ଭବିଷ୍ୟବାଣୀ କରିଥିଲେ । ରାବଣ କହିଥିଲେ, ପ୍ରଭୁ ଆପଣଙ୍କ ଶର ମୋର ଏ ମାଟିର ଶରୀରକୁ ନେଇଗଲା । କିନ୍ତୁ ମୋର ଅତୃପ୍ତ ଆତ୍ମା କଳିଯୁଗର ପ୍ରତିଟି ଲୋକ ଭିତରେ ଲୁଚି ରହିବ । ମା’ ସୀତା ଅତି ପବିତ୍ର । ତାଙ୍କ ଶରୀର ଛୁଇଁ ପାରିଲିନି । ମାତ୍ର କଳିଯୁଗରେ ପବିତ୍ର ନାରୀଙ୍କ ସଂଖ୍ୟା ଅତି କମ୍‌ । ସେମାନଙ୍କ ସତୀତ୍ୱ ହରଣ କରିବା ମୋ ପକ୍ଷେ ସହଜ ହେବ । ଆପଣ ପୁରୀ ଶ୍ରୀମନ୍ଦିର ଭିତରେ ରହି ପୂଜା ପାଉଥିବେ । ହାତଗୋଡ଼ ନଥିବ, ଭାଇ ବଳରାମଙ୍କ ସହିତ ଆପଣ ମୋର ଅପକର୍ମକୁ ଦେଖୁଥିବେ । କିଛି କରିପାରିବେନି ।

ରାବଣଙ୍କ କଥାର ସତ୍ୟତା ଆପଣମାନେ ଅନୁଭବ କରୁଛନ୍ତି । ରାବଣ ମଲାପରେ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କୁ ବିଭୀଷଣ ବିବାହ କଲେ । ଯାହା ଆଜି ଆମ ସମାଜରେ ଦେଖିବାକୁ ମିଳୁଛି । ଅନେକ ଘରେ ବଡ଼ଭାଉଜ-ଦିଅର ବିବାହ କରୁଛନ୍ତି । ଦିବ୍ୟାତ୍ମାମାନେ ବେଶିକ୍ଷଣ କ୍ଷମତାରେ ରହି ପାରୁନାହାନ୍ତି । ତାମସିକ ଲୋକମାନେ ଅଧିକ ଦିନ ଧରି କ୍ଷମତା ଉପଭୋଗ କରୁଛନ୍ତି ।
ଠିକ୍‌ ସେମିତି କଥା କହିଥିଲା ମହିଷାସୁର । ମା’ଙ୍କ ବିବସନା ରୂପ ଦେଖି ମହିଷାସୁର ବୀର୍ଯ୍ୟ ସ୍ଖଳିତ ହେଲା । ସେ ଦୁର୍ବଳ ଅନୁଭବ କଲା । ପ୍ରାଣ ଛାଡ଼ିବା ପୂର୍ବରୁ ମହିଷାସୁର ମା’ଙ୍କୁ କ୍ଷମା ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କଲା । ମା’ ତା’ର କଥା ରକ୍ଷା କରି କଳିଯୁଗରେ ତାଙ୍କ ଚରଣ ନିକଟରେ ରହି ପୂଜା ପାଇବା ପାଇଁ ଆଶୀର୍ବାଦ ପ୍ରଦାନ କଲେ ।

ଆଶୀର୍ବାଦ ପାଇବା ପରେ ମହିଷାସୁର ମୁହଁରେ ଦୁଷ୍ଟାମୀର ହସ ଫୁଟିଉଠିଲା । ମା’ ଦୁର୍ଗା ହସିବାର କାରଣ ପଚାରିଲେ, ତହୁଁ ମହିଷାସୁର କହିଲା, ମା’ ପ୍ରତିବର୍ଷ ତମ ଚରଣରେ ପୂଜା ପାଇବା ସମୟରେ ମୋର ଆତ୍ମା ଆପଣଙ୍କ ଦର୍ଶନ ପାଇଁ ଆସୁଥିବା ନାରୀଲୋଭୀ ଭକ୍ତଙ୍କ ଭିତରେ ପଶିବି । ବର୍ଷତମାମ ସେହିମାନଙ୍କ ଭିତରେ ରହି ମୋ ମନର ଅଭିଳାଷକୁ ପୂରଣ କରୁଥିବି । ଆପଣ ଥରେ ସିନା ମୋତେ ମାରିଦେଲେ । ହେଲେ କଳିଯୁଗରେ ଆପଣ ମୋତେ ମାରିପାରିବେନି ।

ମୋ ପ୍ରଭାବରେ ଆଇନର ରକ୍ଷକମାନେ ନିରୀହ ମଣିଷଙ୍କ ପାଇଁ ଭକ୍ଷକ କାମ କରିବେ । ତାମସିକ ଲୋକଙ୍କ ଭିତରେ ରହି ଜୀବିତ ରହି ମୁଁ ପ୍ରତିଟି ଝିଅ, କିଶୋରୀ, ନାରୀଙ୍କ ଭିତରେ ଆପଣଙ୍କୁ ଦର୍ଶନ କରିବି । ଆପଣଙ୍କଠାରୁ ଯାହା ପାଇଲିନି, ସେମାନଙ୍କ ନିକଟରୁ ଛଡ଼ାଇନେବି । ଏତିକି କହି ମହିଷାସୁର ମରିଗଲା । ତା’ ମୃତ ଶରୀର ନିକଟରେ ଅସହାୟ ପରି ଠିଆ ହୋଇଥିଲେ ମା’ ଦୁର୍ଗତିନାଶିନୀ ।