ନବରାତ୍ରି: କେଉଁ ରଙ୍ଗର ପୋଷାକ ପିନ୍ଧି କରିବେ ମା’ଙ୍କ ପୂଜାର୍ଚ୍ଚନା ଛୋଟକନ୍ୟାଙ୍କୁ ଘରକୁ ଡାକି ଖୁଆଇଲେ ମିଳେ ମା’ଙ୍କ କୃପା

ଦେବୀ ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ କୁହାଯାଏ । ନବରାତ୍ରିରେ ରଙ୍ଗର ବିଶେଷ ମହତ୍ୱ ରହିଛି । ନଅଦିନ ବ୍ୟାପୀ ପୂଜାର୍ଚ୍ଚନାରେ ମା’ଙ୍କ ଉଦ୍ଦେଶ୍ୟରେ ନଅଟି ରଙ୍ଗ ସମର୍ପଣ କରାଯାଏ । ନବରାତ୍ରିରେ ମା’ ଦୁର୍ଗାଙ୍କ କୃପା ଲାଭ କରିବାକୁ ଚାହୁଁଥିଲେ ନଅଟି ଭିନ୍ନ ଭିନ୍ନ ରଙ୍ଗର ପୋଷାକ ଅର୍ପଣ କରନ୍ତୁ ଓ ନିଜେ ପରିଧାନ କରନ୍ତୁ ।

ଜ୍ୟୋତିଷ ଶାସ୍ତ୍ରମତରେ ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କୁ ଶ୍ୱେତବସ୍ତ୍ର ଲାଗି କରାଯାଏ । ଶ୍ରଦ୍ଧାଳୁମାନେ ଧଳାରଙ୍ଗର ପୋଷାକ ପରିଧାନ କରି ପୂଜାର୍ଚ୍ଚନା କରିବା ଉଚିତ । ଶ୍ୱେତରଙ୍ଗର ପୋଷାକ ପିନ୍ଧିଲେ, ମନରେ ଶାନ୍ତି ଓ ଶୀତଳ ଅନୁଭବ କରିବେ । ଦ୍ୱିତୀୟ ଦିବସରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ । ସେଦିନ ମା’ଙ୍କୁ ଲାଲବସ୍ତ୍ର ଅର୍ପଣ କରିବା ଉଚିତ । ନବରାତ୍ରିରେ ଲାଲରଙ୍ଗକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ । ଦେବୀ କାଳୀଙ୍କୁ ଲାଲ ରଙ୍ଗ ଅଧିକ ପ୍ରିୟ । ଲାଲ ରଙ୍ଗ ଶକ୍ତି ଓ ପ୍ରଚଣ୍ଡତାର ପ୍ରତୀକ । ଘରକୁ ଲାଲରଙ୍ଗ ଫୁଲରେ ସଜାଇ ଦିଅନ୍ତୁ । ଲାଲରଙ୍ଗର ଫଳକୁ ପ୍ରସାଦ ରୂପେ ଅର୍ପଣ କରନ୍ତୁ । ଶ୍ରଦ୍ଧାଳୁମାନେ ଲାଲରଙ୍ଗ ପୋଷାକ ପିନ୍ଧନ୍ତୁ । ଲାଲରଙ୍ଗର କସ୍‌ମେଟିକ୍ସ ବ୍ୟବହାର କରନ୍ତୁ ।
ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଂଟାଙ୍କୁ ଆରାଧନା କରାଯାଏ । ଚନ୍ଦ୍ରଘଂଟାଙ୍କୁ ନୀଳରଙ୍ଗ ସର୍ବାଧିକ ପ୍ରିୟ ।
ଶ୍ରଦ୍ଧାଳୁମାନେ ନୀଳରଙ୍ଗ ପୋଷାକ ପରିଧାନ କରି ପୂଜାର୍ଚ୍ଚନା କରନ୍ତୁ ।
ଚତୁର୍ଥ ଦିବସରେ ଦେବୀ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । କୁଷ୍ମାଣ୍ଡା ମାତା ଶର ଓ ଧନବର୍ଷା କରନ୍ତି । ମା’ଙ୍କୁ ହଳଦିଆ ରଙ୍ଗ ପସନ୍ଦ । ତେଣୁ ସେଦିନ ମା’ଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ । ତା’ ସହିତ ଶ୍ରଦ୍ଧାଳୁମାନେ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ହଳଦିଆ ରଙ୍ଗର ପ୍ରସାଦ ଭୋଗ କରନ୍ତୁ ।

ପଂଚମୀ ଦିବସରେ ମା’ ସ୍କନ୍ଦମାତାଙ୍କ ଆରାଧନା କରାଯାଏ । ମା’ଙ୍କୁ ସବୁଜ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ । ଶ୍ରଦ୍ଧାଳୁମାନେ ସବୁଜ ରଙ୍ଗର ପୋଷାକ ପିନ୍ଧି ପୂଜାର୍ଚ୍ଚନା କରନ୍ତୁ । ଷଷ୍ଠୀଦିନ ମା’ କାତ୍ୟାୟିନୀଙ୍କୁ ଆରାଧନା କରାଯାଏ । ମା’ଙ୍କୁ ଧୂସର ରଙ୍ଗର ବସ୍ତ୍ର ସବୁଠୁ ଅଧିକ ପ୍ରିୟ । ଶ୍ରଦ୍ଧାଳୁମାନେ ଧୂସର ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ପୂଜା କରନ୍ତୁ । ମନ ପ୍ରସନ୍ନ ରହିବ । ସପ୍ତମୀ ଦିନ ଦେବୀ କାଳରାତ୍ରିଙ୍କ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଆଶୀର୍ବାଦ ପାଇବା ପାଇଁ କମଳା ରଙ୍ଗର ପୋଷାକ ଅର୍ପଣ କରନ୍ତୁ । ନିଜେ କମଳା ରଙ୍ଗର ପୋଷାକ ପିନ୍ଧନ୍ତୁ । ମନରେ ଗଭୀର ଉତ୍ସାହ ଅନୁଭବ କରିବେ । ଅଷ୍ଟମୀ ଦିନରେ ମା’ ଗୌରୀଙ୍କ ଆରାଧନା କରାଯାଏ । ମା’ଙ୍କୁ ମୟୁରପକ୍ଷ ଓ ଗାଢ଼ ସବୁଜ ରଙ୍ଗର ପୋଷାକ ଅର୍ପଣ କରିବା ଶୁଭ ହୋଇଥାଏ । ଶ୍ରଦ୍ଧାଳୁମାନେ ଗାଢ଼ ସବୁଜ ରଙ୍ଗର ପୋଷାକ ପିନ୍ଧି ପୂଜା କରିବା ଉଚିତ । ଫଳରେ ମନରେ ଅପାର ଆନନ୍ଦ ଭରିଯାଏ । ନବମୀ ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ଆରାଧନା କରାଯାଏ । ମା’ଙ୍କୁ ବାଇଗଣି ରଙ୍ଗର ପୋଷାକ ଅର୍ପଣ କରନ୍ତୁ । ନିଜେ ବାଇଗଣି ରଙ୍ଗର ପୋଷାକ ବା ଶାଢ଼ୀ ପିନ୍ଧି ପୂଜାର୍ଚ୍ଚନା କରନ୍ତୁ । ଛୋଟ ଝିଅମାନଙ୍କୁ ଘରକୁ ଆଣି ଖୁଆନ୍ତୁ । ନବରାତ୍ରି ବ୍ରତର ସଂପୂର୍ଣ୍ଣ ଫଳ ପ୍ରାପ୍ତ ହେବ ।