ଭଦ୍ରାକୁ ଡରନ୍ତି ଭଉଣୀ, ଭାଇ ହାତରେ ବାନ୍ଧନ୍ତି ନାହିଁ ରାକ୍ଷୀ

୧୧ ଅଗଷ୍ଟରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ଲୋକମାନେ ଭଦ୍ରା କାଳ ଚିନ୍ତା କରି ଛାନିଆ….

ପୃଥିବୀ ଉପରେ ଭଦ୍ରାଙ୍କ ଛାୟା ପଡ଼ିଥିବା ମୁହୂର୍ତରେ ରାକ୍ଷୀ ବାନ୍ଧିବାର ଶୁଭଫଳ ମିଳି ନଥାଏ । ଯାହା ହାତରେ ରାକ୍ଷୀ ବନ୍ଧା ଯାଇଥାଏ, ତାକୁ ନାନା ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ତେଣୁ ଭାଇ ହାତରେ ରାକ୍ଷୀ ବାନ୍ଧି ନଥାନ୍ତି ଭଉଣୀ । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ; କିଏ ସେହି ଭଦ୍ରା? ଯାହା ନାଁ ଶୁଣିଲେ, ଭଉଣୀର ଛାତି ଥରିଯାଏ । ବନ୍ଦ ହୋଇଯାଏ ସ୍ପନ୍ଦନ ।

୧୧ ଅଗଷ୍ଟରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ଲୋକମାନେ ଭଦ୍ରା କାଳ ଚିନ୍ତା କରି ଛାନିଆ । ଭଦ୍ରାଙ୍କ ଛାୟା ଓ ପାତାଳ ଲୋକ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ ସେପରି କ୍ରୁର ମୁହୂର୍ତରେ କୌଣସି ମଙ୍ଗଳ କାର୍ଯ୍ୟ କରାଯାଏନା । ଭଦ୍ରା କିଏ? ସୂର୍ଯ୍ୟଦେବଙ୍କ ଝିଅ ଓ ଗ୍ରହମାନଙ୍କ ସେନାପତି ଶନିଦେବଙ୍କ ଭଉଣୀ ହେଉଛନ୍ତି ଭଦ୍ରା । ଶନିଙ୍କ ଭଳି ଭଦ୍ରାଙ୍କ ସ୍ୱଭାବ ଅତି କଠୋର । ପ୍ରଜାପିତା ବ୍ରହ୍ମା ଭଦ୍ରାଙ୍କ ପାଇଁ ସ୍ୱତନ୍ତ୍ର କାଳ ବା ସମୟ ନିର୍ଣ୍ଣୟ କରିଛନ୍ତି । ତାଙ୍କ ଦୃଷ୍ଟି ପଡ଼ିଥିବା ସମୟରେ କୌଣସି ଧାର୍ମିକ କାର୍ଯ୍ୟ, ଯଜ୍ଞ, ପୂଜାପାଠ କରିବା ପ୍ରତି ବାରଣ କରାଯାଇଛି । ଏପରିକି କୌଣସି ସ୍ଥାନକୁ ଯାତ୍ରା କରିବା ମଧ୍ୟ ନିଷେଧ । ହିନ୍ଦୁ ପଂଚାଙ୍ଗର ୫ଟି ପ୍ରମୁଖ ଅଙ୍ଗ-ତିଥି, ବାର, ଯୋଗ, ନକ୍ଷତ୍ର ଓ କରଣ । ଏଥିରେ କରଣ’କୁ ବିଶେଷ ସ୍ଥାନ ଦିଆଯାଇଛି । ୧୧ଟି କରଣ ଭିତରୁ ସପ୍ତମରେ ବିଷ୍ଟିଙ୍କ ନାମ ହିଁ ଭଦ୍ରା । ଭଦ୍ରାଙ୍କ ଛାୟାରେ ଶୁଭ କାମ କରିବାକୁ ଲୋକମାନେ ଡରନ୍ତି । କୁହାଯାଏ, ଭଦ୍ରାଙ୍କ ଛାୟା ସମୟରେ ସୁପର୍ଣଖା ଲଙ୍କାପତି ରାବଣ ହାତରେ ରାକ୍ଷୀ ବାନ୍ଧିଥିଲେ । ପରିଣାମ ସ୍ୱରୂପ ରାବଣ ଭାଗ୍ୟରେ ଖରାପ ସମୟ ଆସିଲା, ପ୍ରଭୁ ଶ୍ରୀରାମଙ୍କ ହାତରେ ତା’ର ନିଧନ ହେଲା, ହାତରୁ ଲଙ୍କା ସାମ୍ରାଜ୍ୟ ଚାଲିଗଲା ।

ଭଦ୍ରା ବିଭିନ୍ନ ରାଶିରେ ରହି ତିନି ଲୋକ ଭ୍ରମଣ କରିଥାନ୍ତି । ଯେତେବେଳେ ଭଦ୍ରା ମୃତ୍ୟୁଲୋକ ଥିଲାବେଳେ ଶୁଭକାମରେ ବିଘ୍ନ ସୃଷ୍ଟି କରିଥାନ୍ତି । ପ୍ରାଣୀଙ୍କର ସର୍ବନାଶ କରିଥାନ୍ତି । କର୍କଟ, ସିଂହ, କୁମ୍ଭ ଓ ମୀନ ରାଶିରେ ଅବସ୍ଥାନ କରିଥିବା ସମୟରେ ଭଦ୍ରା ବିଷ୍ଟି ଯୋଗ ସୃଷ୍ଟି କରନ୍ତି । ସମସ୍ତଙ୍କ କାମରେ ବାଧା ସୃଷ୍ଟି କରନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ଅପରାହ୍ନ ସାଢେ଼ ପାଂଚଟାରୁ ରାତି ୯ଟା ପର୍ଯ୍ୟନ୍ତ ଭଦ୍ରାଙ୍କ ଛାୟା ପଡୁଛି । ତେଣୁ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ।