‘ଆମ ପାହାଡ଼ କାହାକୁ ଛାଡ଼ିବୁନି’

ଜୈନ ଧାର୍ମିକ ପୀଠକୁ ମାଡ଼ିବସିଲେ ଆଦିବାସୀ..

ରାଂଚି: ଜୈନଧର୍ମର ପ୍ରମୁଖ ପୀଠ ପାରସନାଥ ପାହାଡକୁ କେନ୍ଦ୍ର କରି ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ଝାଡ଼ଖଣ୍ଡର ଆଦିବାସୀ ସମୁଦାୟ ପାରସନାଥ ପାହାଡ଼କୁ ସେମାନଙ୍କର ବୋଲି ଦାବି କରିଛନ୍ତି । ସେମାନଙ୍କ ମତରେ ଉକ୍ତ ପାହାଡ଼ଟି ତାଙ୍କର ମରାଙ୍ଗ ବୁରୁ ଅର୍ଥ ବୁଢ଼ା ପାହାଡ଼ । ସେମାନଙ୍କର ବିଶ୍ୱାସର କେନ୍ଦ୍ର ହେଉଛି ପାରସନାଥ ପାହାଡ଼ । ପ୍ରତିବର୍ଷ ଆଷାଢ଼ ମାସରେ ଉକ୍ତ ପାହାଡ଼ର ପୂଜାର୍ଚ୍ଚନା କରାଯାଏ, ଧଳାକୁକୁଡ଼ା ବଳି ଦିଆଯାଏ । ବୁଢ଼ା ପାହାଡ଼ର ଅପମାନକୁ ସେମାନେ ବରଦାସ୍ତ କରିପାରିବେନି ।

ରବିବାର ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ ଆଦିବାସୀ ସମୁଦାୟ ଓ ଜୈନ ସମାଜ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏକ କମିଟି ଗଠନ କରାଯାଇଛି । କମିଟିରେ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି, ଜୈନ ସମାଜ ଓ ଆଦିବାସୀ ସମୁଦାୟର ପ୍ରତିନିଧିଙ୍କୁ ସଭ୍ୟ ରଖାଯାଇଛି ।

କମିଟି ଗଠନ କରାଯିବା ପରେ ମଧ୍ୟ ସ୍ଥିତି ସୁଧୁରିନି । ଆଦିବାସୀ ସମାଜ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି । ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି କ୍ଷମତାସୀନ ଦଳର ବିଧାୟକ ଲୋବିନ ହେମ୍ବ୍ରମ । ବିଧାୟକ ଲୋବିନ କହିଛନ୍ତି, ଏଥର ଆମ ଆନ୍ଦୋଳନ ଜୋରଦାର ହେବ । ଆଦିବାସୀ ପରିବାର ଉକ୍ତ ଅଂଚଳରେ ପୁରୁଷ ପୁରୁଷ ଧରି ରହିଛନ୍ତି । ଏବେ ସେମାନଙ୍କୁ ବଳି ଦେବାକୁ ବାରଣ କରାଯାଉଛି ।

ଆମ ପାହାଡ଼କୁ କେହି ଦଖଲ କରିବ, ଆମ ଜମିକୁ କେହି ମାଡ଼ିବସିବ, ଆମେ ତାହା କଦାପି ସହିବୁ ନାହିଁ । ସରକାର ପାରସନାଥକୁ ମରାଙ୍ଗ ବୁରୁ ପୀଠ ଭାବେ ଘୋଷଣା କରନ୍ତୁ । ୨୫ ତାରିଖ ସୁଦ୍ଧା ସରକାର ଆମ ଦାବି ପୂରଣ ନକଲେ, ୩୦ ତାରିଖରୁ ଆମେମାନେ ଅନଶନ କରିବୁ ।