ଶ୍ରୀଲଙ୍କା ବିପକ୍ଷ ସିରିଜ: ଅଲରାଉଣ୍ଡର ସୌରଭଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ : ଆଜିର ଟି-୨୦ ମ୍ୟାଚ ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ସହିତ ଟି-୨୦ ଏବଂ ଟେଷ୍ଟ ସିରିଜ ଖେଳିବ। ତେଣୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଚୟନକର୍ତ୍ତା ଟେଷ୍ଟ ସିରିଜ୍ ପାଇଁ ଜଣେ ନୂଆ ଖେଳାଳିଙ୍କୁ ସାମିଲ୍ କରିଛନ୍ତି। ଇଣ୍ଡିଆ ଟିମ୍‌ରେ ସାମିଲ ହୋଇଛନ୍ତି ଅଲରାଉଣ୍ଡର ସୌରଭ କୁମାର। ସେ ଜଣେ ବାମହାତୀ ଲେଗ୍ ସ୍ପିନର। ୨୮ ବର୍ଷୀୟ ସୌରଭଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ୍ କରାଯାଇଛି।

୧୯୯୩, ମଇ ୧ ତାରିଖରେ ଉତ୍ତର ପ୍ରଦେଶର ବାଗପତ ଜନ୍ମଗ୍ରହଣ କରିଥିଲେ ସୌରଭ କୁମାର । ସୌରଭ କୁମାର ୟୁପି ଦଳ ପକ୍ଷରୁ ଘରୋଇ କ୍ରିକେଟ୍ ମଧ୍ୟ ଖେଳୁଛନ୍ତି। ଆଇପିଏଲରେ ତାଙ୍କୁ ପୁଣେ ସୁପର ଜିଆଣ୍ଟ ୧୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ ୨୦୨୨ର ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ଏହି ଅଲରାଉଣ୍ଡରଙ୍କୁ ୨୦ ଲକ୍ଷ ମୂଳ ଦରରେ କିଣିଛି।

ସୌରଭ ଏ ପର୍ଯ୍ୟନ୍ତ ୪୬ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୯୬ ଓ୍ଵିକେଟ୍ ଦଖଲ କରିଛନ୍ତି। ଗୋଟିଏ ଇନିଂସରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୩୨ ରନ ଦେଇ ୭ ଓ୍ଵିକେଟ୍ ହାସଲ କରିବା ରହିଛି। ସୌରଭ ୧୬ ଥର ପାଞ୍ଚ ଓ୍ଵିକେଟ୍ ଏବଂ ୬ ଥର ୧୦ ଓ୍ଵିକେଟ୍ ନେଇଛନ୍ତି। ସେ ୪୬ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୯.୧୧ ହାରରେ ୧୫୭୨ ରନ କରିଛନ୍ତି। ଏଥିରେ ଦୁଇ ଶତକ ଏବଂ ୮ ଅର୍ଦ୍ଧଶତକ ସାମିଲ୍। ସେ ସୈୟଦ ମୁସ୍ତାକ ଅଲୀ, ରଣଜୀ ଟ୍ରଫି ଏବଂ ଦୁଲିପ ଟ୍ରଫିରେ ମଧ୍ୟ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଥିଲେ। ସୌରଭ କୁମାର ୩୩ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି। ଏଥିରେ ୧୪୮ ରନ କରି ୨୪ଟି ଓ୍ଵିକେଟ ନେଇଛନ୍ତି।