ଦ୍ୱିତୀୟ ଦିନିକିଆ: ଭାରତକୁ ଜିତାଇଲେ କେଏଲ୍‌ ରାହୁଲ

ପାଣ୍ଡ୍ୟା ଓ ରାହୁଲ ମିଳିତ ଭାବେ ସଂକଟକୁ ମୁକାବିଲା କରିଥିଲେ…

କୋଲକାତା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବାଜି ମାରିଛି । ଫଳରେ ଦିନିକିଆ ସିରିଜରେ ଭାରତ ୨-୦ରେ ବିଜୟୀ ହୋଇଛି । ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ ମଇଦାନରେ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ଦିନିକିଆ । ଶ୍ରୀଲଙ୍କା ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରିଥିଲା । ୩୯.୪ ଓଭରରେ ସବୁ ୱିକେଟ୍‌ ହରାଇ ଶ୍ରୀଲଙ୍କା ୨୧୫ ରନ୍‌ କରିଥିଲା ।

ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ପାଦ ଦେଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ନୁଆନିଦୁ ଫର୍ନାଡୋ (୫୦) ଅର୍ଦ୍ଧଶତକ କରିବାକୁ ସକ୍ଷମ ହୋଇଛନ୍ତି । ୱିକେଟ୍‌ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍‌ କୁସଲ ମେଣ୍ଡିସ୍‌ ୩୪ ଓ ଓନିନ୍ଦୁ ହସରଙ୍ଗା ୨୧ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଆବିଷ୍କା ଫର୍ନାଡୋ ୨୦ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଅଧିନାୟକ ଦସୁନ ଶନାକା ମାତ୍ର ୨ ରନ୍‌ କରିଛନ୍ତି । ଭାରତର ବୋଲର କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ତିନୋଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲା ବେଳେ ଦ୍ରୁତ ବୋଲର ଓମରାନ୍‌ ମାଲିକଙ୍କ ଭାଗରେ ଦୁଇଟି ୱିକେଟ୍‌ ପଡ଼ିଥିଲା ।

ବିଜୟ ପାଇଁ ୨୧୬ ରନ୍‌ ପିଛା କରି ଭାରତ ୪୪ ଓଭରରେ ୬ ୱିକେଟ୍‌ ହରାଇ ବିଜୟ ସୂଚକ ୨୧୯ ରନ୍‌ ହାସଲ କରିଥିଲା । ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ୬୪ ରନ୍‌ କରିଛନ୍ତି । ଉପ-ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ୩୬ ରନ୍‌ କରିଛନ୍ତି । ଦୁହେଁ ପଂଚମ ଯୋଡ଼ି ଭାବେ ୭୫ ରନ୍‌ ହାସଲ କରିଛନ୍ତି । ଆଜିର ମ୍ୟାଚ୍‌ ଭାରତ ପାଇଁ ଏକ ଚାଲେଞ୍ଜ ଥିଲା କାରଣ ୮୬ ରନ୍‌ ଭିତରେ ଚାରିଟି ଶକ୍ତିଶାଳୀ ୱିକେଟ୍‌ ପତନ ଘଟିଥିଲା । କିନ୍ତୁ ଠିକ୍‌ ସମୟରେ ପାଣ୍ଡ୍ୟା ଓ ରାହୁଲ ମିଳିତ ଭାବେ ସଂକଟକୁ ମୁକାବିଲା କରିଥିଲେ ।

ସିରିଜର ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ୬୭ ରନ୍‌ ବ୍ୟବଧାନରେ ହରାଇଥିଲା । ଆଜି ଭାରତର ପ୍ରଥମ ୱିକେଟ୍‌ ଭାବେ ଅଧିନାୟକ ରୋହିତ ଶର୍ମା ପଂଚମ ଓଭରର ଶେଷ ବଲରେ ଆଉଟ୍‌ ହୋଇଥିଲେ । ଷଷ୍ଠ ଓଭରରେ ଶୁଭମନ ଗିଲଙ୍କ ୱିକେଟ୍‌ ଖସିଥିଲା । ତୃତୀୟ ୱିକେଟ୍‌ ଭାବେ ବିରାଟ କୋହଲି ମାତ୍ର ଚାରି ରନ୍‌ କରି ପଡ଼ିଆରୁ ବିଦାୟ ନେଇଥିଲେ । ଚତୁର୍ଥ ୱିକେଟ୍‌ ଭାବେ ଶ୍ରେୟସ୍‌ ଆୟାର ଆଉଟ୍‌ ହୋଇଥିଲେ । ଅନ୍ତିମ ଦିନିକିଆ ଜାନୁଆରୀ ୧୫ ତାରିଖରେ ତିରୁବନନ୍ତପୁରମରେ ଅନୁଷ୍ଠିତ ହେବ ।