ଲୋକଙ୍କ ଅଦାଲତରେ ବ୍ୟବସ୍ଥାପିକା-ନ୍ୟାୟପାଳିକା ମୁହାଁମୁହିଁ

କିନ୍ତୁ ସଂସଦ ଅବମାନନା ପିଟିସନ୍‌ରେ କୌଣସି ବିଚାରପତିଙ୍କୁ ଦାୟୀ କରାଯିବନି…

ନୂଆଦିଲ୍ଲୀ: ଗଣତାନ୍ତ୍ରିକ ରାଷ୍ଟ୍ରରେ କିଏ କାହାକୁ ସମ୍ମାନ ଦେବା ଉଚିତ? ବ୍ୟବସ୍ଥାପକ ସଭା ନା ନ୍ୟାୟପାଳିକା? ଏମିତି ଏକ ବିତର୍କରେ ଭାଗ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ବ୍ୟବସ୍ଥାପକ ସଭା ବା ସଂସଦକୁ ଶୀର୍ଷତମ କହିଛନ୍ତି । ଉପରାଷ୍ଟ୍ରପତିଙ୍କ ମତାମତକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରି କଂଗ୍ରେସ କହିଛି, ଉପରାଷ୍ଟ୍ରପତିଙ୍କ ବିଚାରଧାରା ନ୍ୟାୟପାଳିକାର ମର୍ଯ୍ୟାଦାବୋଧ ପ୍ରତି ଆକ୍ରମଣ । ଉପରାଷ୍ଟ୍ରପତି ଧନଖଡ଼ ଆପଣା ମତାମତକୁ ଅକାଟ୍ୟ ସାବ୍ୟସ୍ତ ପାଇଁ ଚାରିଟି ପ୍ରସଙ୍ଗକୁ ଆଲୋଚନା ପରିସରଭୁକ୍ତ କରିଛନ୍ତି ।

ବିଧାନସଭା ବାଚସ୍ପତିଙ୍କ ସମ୍ମିଳନୀରେ ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତିଙ୍କ ଅଭିଭାଷଣ କ୍ରମେ ସରକାରଙ୍କ କାର୍ଯ୍ୟଧାରା ପ୍ରତି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ନୂଆ ବିତର୍କ ସୃଷ୍ଟି କରିଛି । ରାଜସ୍ଥାନରେ ବିଧାନସଭା ଓ ହାଇକୋର୍ଟ ମଧ୍ୟରେ କଥା କଟାକଟି ଚାଲିଛି । ଲୋକସଭାର ପୂର୍ବତନ ବାଚସ୍ପତି ମଧ୍ୟ ସରକାର ଓ ସଂସଦ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି

ସୁପ୍ରିମକୋର୍ଟ ଓ ହାଇକୋର୍ଟ ଉପରେ ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି ଅସନ୍ତୁଷ୍ଟ ହେବାର ପ୍ରମୁଖ କାରଣ ଜାଣନ୍ତି କି? ୧୯୬୪ ମସିହାର କଥା । ଗୋଟିଏ ମାମଲାରେ ୟୁପି ବିଧାନସଭା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ଗିରଫ କରି ବିଧାନସଭାରେ ହାଜର କରିବାକୁ ଆଦେଶ ପ୍ରଦାନ କରିଥିଲା । ସଂପୃକ୍ତ ଦୁଇଜଣ ବିଚାରପତି ବିଧାନସଭା ଆଦେଶ ବିରୋଧରେ ସ୍ଥଗିତାଦେଶ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ହାଇକୋର୍ଟର ତକ୍ରାଳୀନ ମୁଖ୍ୟ ବିଚାରପତି ଏମ୍‌ସି ଦେଶାଇଙ୍କ ସମେତ ୨୮ ଜଣ ବିଚାରପତି ଏକଜୁଟ ହୋଇ ବିଧାନସଭା ଆଦେଶ ଉପରେ ନିଷେଧାଦେଶ ଲଗାଇଦେଲେ ।

ଘଟଣାର ପ୍ରଚ୍ଛଦପଟ ଉପରେ ଦୃଷ୍ଟିପାତ କଲେ ଜଣାଯାଏ, ୟୁପି ବିଧାନସଭା ଏକ ଅବମାନନା ମାମଲାର ବିଚାର କରି ଅଭିଯୁକ୍ତ କେଶବ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶ କରିଥିଲେ । ବିଧାନସଭାର ଦଣ୍ଡାଦେଶକୁ ଚାଲେଞ୍ଜ କରି କେଶବ ସିଂହ ଲକ୍ଷେ୍ନø ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଲକ୍ଷେ୍ନø ହାଇକୋର୍ଟ କେଶବ ସିଂହଙ୍କୁ ଜାମିନ ମଞ୍ଜୁର କରିଥିଲେ । ମାମଲାଟି ତକ୍ରାଳୀନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଓ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା ।

ସବୁଦିଗକୁ ବିଚାର କରି ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ଐତିହାସିକ ରାୟ କରିଥିଲେ । ତା’ର ସାରାଂଶ ହେଉଛି, ସଂସଦର ସ୍ୱତନ୍ତ୍ର ଅଧିକାରକୁ ଯଥୋଚିତ ସମ୍ମାନ ମିଳିବା ଉଚିତ । କିନ୍ତୁ ସଂସଦ ଅବମାନନା ପିଟିସନ୍‌ରେ କୌଣସି ବିଚାରପତିଙ୍କୁ ଦାୟୀ କରାଯିବନି । ଏହିପରି ଆହୁରି ତିନୋଟି ମାମଲା ଉଠାଇ ଉପରାଷ୍ଟ୍ରପତି ଧନଖଡ଼ ସଂସଦୀୟ କାର୍ଯ୍ୟରେ ନ୍ୟାୟାଳୟର ହସ୍ତକ୍ଷେପକୁ ସମାଲୋଚନା କରିଥିଲେ ।