ଦିନିକିଆ କ୍ରିକେଟ୍‌ ଇତିହାସରେ ବିରଳ ରେକର୍ଡ

ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ସ୍କୋର ୫୦୦…

ନୂଆଦିଲ୍ଲୀ: ତାମିଲନାଡୁ ବ୍ୟାଟ୍ସମ୍ୟାନ୍‌ ନାରାୟଣ ଜଗଦୀଶନ୍‌ ଏ-ଶ୍ରେଣୀଭୁକ୍ତ କ୍ରିକେଟ୍‌ ଇତିହାସରେ ଲମ୍ବା ପାଳି ଖେଳିଛନ୍ତି । ୨୬ ବର୍ଷୀୟ ଜଗଦୀଶନ୍‌ ବିଜୟ ହଜାରେ ଟ୍ରଫି ପାଇଁ ଖେଳିବାକୁ ଯାଇ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନ୍‌ କରିଛନ୍ତି । ଦିନିକିଆ କ୍ରିକେଟ୍‌ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ ୨୭୭ ରନ୍‌ କରି ଜଗଦୀଶନ୍‌ ଟିମ୍‌ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି । ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୨୬୪ ରନ୍‌ କରିଛନ୍ତି । ୨୦୦୨ରେ ଏଲେଷ୍ଟୟର ବ୍ରାଉନ୍‌ ୨୬୮ ରନ୍‌ କରିଥିଲେ । ଜଗଦୀଶନ ଉଭୟଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ବେଙ୍ଗାଲୁରୁରେ ଚାଲିଥିବା ବିଜୟ ହଜାରେ ଟୁର୍ଣ୍ଣାମେଂଟରେ ଜଗଦୀଶନଙ୍କ ସହାୟତାରେ ତାମିଲନାଡୁ ଦୁଇ ୱିକେଟ୍‌ ବିନିମୟରେ ୫୦୬ ରନ୍‌ ସ୍କୋର କରିଛି । ଦିନିକିଆ କ୍ରିକେଟ୍‌ ଇତିହାସରେ ଏହା ଏକ ବିରଳ ରେକର୍ଡ । ଏହା ପୂର୍ବରୁ ଇଂଲଣ୍ଡ ନେଦରଲାଣ୍ଡ ବିପକ୍ଷରେ ୪୯୮ ରନ୍‌ କରିଥିଲା । ଗତ ପାଂଚ ପାଳି ବ୍ୟାଟିଂ କରି ଜଗଦୀଶନ୍‌ ପାଂଚଟି ଶତକ ହାସଲ କରି ଶ୍ରୀଲଙ୍କା କ୍ରିକେଟିୟର କୁମାର ସାଙ୍ଗକାରାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଜଗଦୀଶନ୍‌ ୧୪୧ ବଲରୁ ୨୫ଟି ଚୌକା ଓ ୧୫ଟି ଛକା ମାରିବାକୁ ସକ୍ଷମ ହୋଇଛନ୍ତି । ସାଇ ସୁଦର୍ଶନଙ୍କ ସହ ମିଶି ମିଳିତ ଭାବେ ୪୧୪ ରନ୍‌ କରିଛନ୍ତି । ସାଇ ସୁଦର୍ଶନ ୧୦୨ଟି ବଲରୁ ୧୫୪ ରନ୍‌ କରିଛନ୍ତି । ସୁଦର୍ଶନ ୩୯ତମ ଓଭର ତୃତୀୟ ବଲରେ ଆଉଟ୍‌ ହୋଇଥିଲେ । ଜଗଦୀଶନ୍‌ ୪୨ତମ ଓଭରର ଚତୁର୍ଥ ବଲରେ ଆଉଟ୍‌ ହୋଇଥିଲେ । ୫୦ ଓଭର ଖେଳିବାର ସୁଯୋଗ ପାଇଥିଲେ ହୁଏତ ଜଗଦୀଶନ୍‌ଙ୍କ ବ୍ୟକ୍ତିଗତ ରନ୍‌ ୩୦୦ ଟପି ଯାଇଥାନ୍ତା ।