ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲିଭ୍-ଇନ୍-ରିଲେସନ୍ ହତ୍ୟାକାଣ୍ଡର ରହସ୍ୟ ଖୋଲିବା ପାଇଁ ଅଭିଯୁକ୍ତ ଅଫତାବକୁ ନାର୍କୋ ଟେଷ୍ଟ ଦେବାକୁ ପଡ଼ିବ । ତେବେ ତା’ ପୂର୍ବରୁ ପଲିଗ୍ରାଫ୍ (ମିଛଧରା) ଟେଷ୍ଟ୍ ପାଇଁ କୋର୍ଟଙ୍କ ଅନୁମତି ଲୋଡ଼ାଯାଇଛି । ଫରେନ୍ସିକ୍ ସାଇକୋଲୋଜି ଡିଭିଜନ୍ ମୁଖ୍ୟ ଡାକ୍ତର ପୁନୀତ ପୁରୀ କହିଛନ୍ତି ଯେ ନାର୍କୋ ଟେଷ୍ଟ ପୂର୍ବରୁ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ କୋର୍ଟରୁ ଅନୁମତି ମିଳିବା ଆଶା କରାଯାଉଛି । ପଲିଗ୍ରାଫ୍ ବା ମିଛଧରା ଟେଷ୍ଟରେ ଅଭିଯୁକ୍ତଙ୍କୁ ନିଶା ଇଂଜେକ୍ସନ୍ ଦିଆଯାଏ ନାହିଁ । ବରଂ କାର୍ଡିଓ କଫ୍ ଭଳି ମେସିନ୍ ଲଗାଇ ଦିଆଯାଏ । ତା’ ଜରିଆରେ ରକ୍ତଚାପ, ଶିରାପ୍ରଶିରା ଗତି, ଶ୍ୱାସକ୍ରିୟା, ଝାଳ, ରକ୍ତର ଗତି ମପା ଯାଇଥାଏ । ଅଭିଯୁକ୍ତକୁ ପ୍ରଶ୍ନ ପଚରା ଯାଇଥାଏ । ମିଛ କହିବା ଫଳରେ ଅଭିଯୁକ୍ତ ଘାବରେଇ ଯାଇଥାଏ, ଫଳରେ ମେସିନ୍ ତାକୁ ଧରିପାରେ ।
ଊନ୍ନବିଂଶ ଶତାବ୍ଦୀରେ ଇଟାଲୀର ଅପରାଧ ବିଜ୍ଞାନୀ ସେସାରେ ଲୋମ୍ବ୍ରୋସୋ ଏହି ମେସିନ୍ ଜରିଆରେ ପ୍ରଥମେ ଟେଷ୍ଟ୍ କରିଥିଲେ । ପରେ ୧୯୧୪ରେ ଆମେରିକା ମନୋବିଜ୍ଞାନୀ ୱିଲିୟମ୍ ମେରଷ୍ଟ୍ରାନ୍ ଓ ୧୯୨୧ରେ କାଲିଫର୍ଣ୍ଣିଆ ପୁଲିସ ଅଧିକାରୀ ଜନ୍ ଲାର୍ସନ ପଲିଗ୍ରାଫ୍ ଟେଷ୍ଟ ବ୍ୟବହାର କରିଥିଲେ ।
ଚତୁର ଅପରାଧୀ ସାଧାରଣତଃ ମିଛ କାହାଣୀ ବକିଥାଏ । ପୁଲିସକୁ ଗୋଲକଧନ୍ଦାରେ ପକାଇବାକୁ ଚେଷ୍ଟା କରେ । ଅପରାଧୀ ମୁହଁରୁ ସତ ଓଗାଳିବା ପାଇଁ ନାର୍କୋ ଟେଷ୍ଟ କରାଯାଏ । ନାର୍କୋ ଟେଷ୍ଟରେ ସାଇକୋଏଷ୍ଟିଭ୍ ଔଷଧ ଦିଆଯାଏ । ସାଧାରଣ ଲୋକଙ୍କ ଭାଷାରେ ଉକ୍ତ ଔଷଧକୁ ‘ସତକୁହା ଔଷଧ’ କୁହାଯାଏ ଯଥା: ସୋଡିୟମ୍ ପେଂଟୋଥଲ, ସ୍କୋପୋଲାମାଇନ୍ ଓ ସୋଡିୟମ୍ ଅମାଇଟଲ୍ ।
ସୋଡିୟମ୍ ପେଂଟୋଥଲ କମ୍ ସମୟ ଭିତରେ ବେହୋସ୍ ଅବସ୍ଥାକୁ ନେଇ ପାରୁଥିବା ଔଷଧ । ଅଭିଯୁକ୍ତ ବେହୋସ୍ ହାଲତରୁ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ସମୟରେ ମନଗଢ଼ା କାହାଣୀ କହିପାରେନା । ସେହି ଅବସ୍ଥାରେ ଯାହା କହେ ବିଲକୁଲ ସତ ।
ତେବେ ନାର୍କୋ ଟେଷ୍ଟ ପାଇଁ ଦିଆଯାଉଥିବା ଔଷଧର ମାତ୍ରା ଟିକେ ଅଧିକ ହୋଇଗଲେ ଅଭିଯୁକ୍ତର ଜୀବନ ଚାଲିଯିବାର ଆଶଙ୍କା ଥାଏ । ଏପରିକି କୋମା ଅବସ୍ଥାକୁ ଚାଲିଯିବାର ସମ୍ଭାବନା ରହିଛି । ଅଭିଯୁକ୍ତର ଜୀବନ ପ୍ରତି ବିପଦ ଥିବାରୁ ନାର୍କୋ ଟେଷ୍ଟ ପୂର୍ବରୁ ମେଡିକାଲ ପରୀକ୍ଷା କରାଯାଏ । ଅଭିଯୁକ୍ତ ନିକଟରେ ମାରାତ୍ମକ ରୋଗ ଅଛି କି ନାହିଁ, ଜଣାପଡ଼ିବା ପରେ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦିଆଯାଏ । ଅଭିଯୁକ୍ତ କିଡ୍ନୀ, ହାର୍ଟଜନିତ ରୋଗ ବା କ୍ୟାନ୍ସର ଶିକାର ହୋଇଥିଲେ ନାର୍କୋ ଟେଷ୍ଟ ପାଇଁ ଅନୁମତି ମିଳେନାହିଁ । ସାଧାରଣତଃ ଡାକ୍ତରଖାନାରେ ନାର୍କୋ ଟେଷ୍ଟ କରାଯାଏ ।