ଧୋନି ଆଣ୍ଡ ଆଇପିଏଲ ୨୪ ନେଇ ବଡ ଖବର

ଗୁଜୁରାଟ ଟାଇଟନ୍ସ ବିରୋଧରେ ଧମାକାଦାର ବିଜୟ ହାସଲ କରିବା ପରେ ଚେନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୪ ଖେଳିବାକୁ ଆଗ୍ରହ ପ୍ରକଟ କରିଛନ୍ତି । ପ୍ରଶଂସକଙ୍କୁ ଏତେ ଶୀଘ୍ର ଅଲବିଦା କରିବାକୁ ଧୋନିଙ୍କ ମନ ମାନୁନି, ତେଣୁ ଏ ବୟସରେ ମଧ୍ୟ ପଡିଆରେ ରହିବାକୁ ପ୍ରସ୍ତୁତ। ସୋମବାର ଫାଇନାଲ ମ୍ୟାଚ୍‌ ଜିତିବା ପାଇଁ ଶେଷ ୨ ବଲ୍‌ରୁ ଚେନ୍ନଇ ସୁପର କିଙ୍ଗ୍‌ସ ୧୦ ରନ୍‌ ଆବଶ୍ୟକ କରୁଥିବାବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ଛକା ଓ ଚୌକା ଦଳକୁ ଚାମ୍ପିୟନ କଲା । ଧୋନି ସେନାର ଚେନ୍ନଇ ସୁପର କିଙ୍ଗ୍‌ସକୁ ମିଳିଛି ପଞ୍ଚମ ଆଇପିଏଲ୍‌ ଟ୍ରଫି।

ଚଳିତ ଟ୍ରଫି ପାଇଲା ପରେ ଚେନାଇ ମୁମ୍ବାଇ ଇଣ୍ଡିଆନ୍‌ସ ସହ ସମକକ୍ଷ ହୋଇଛି, ଗୁଜରାଟର ସାଇ ସୁଦର୍ଶନ ଦର୍ଶନୀୟ ୯୬ ରନ୍‌ର ଇନିଂସ ଖେଳିଥିବା ବେଳେ ଓପ୍‌ନର ଋଦ୍ଧିମାନ ଶାହା ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରି ଗତବର୍ଷର ଚମ୍ପିଆନ୍‌ ଗୁଜରାଟ ଟାଇଟାନ୍‌ସ ୪ ୱିକେଟରେ ୨୧୪ ରନ୍‌ କରିଥିଲା। ଏକ ଆଇପିଏଲ୍‌ ଫାଇନାଲରେ ଏହା ସର୍ବାଧିକ ସ୍କୋର୍‌।

ରାତି ୧୨.୧୦ଟାରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା ଏବଂ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଚେନ୍ନଇକୁ ୧୫ ଓଭରରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ପିଛା କରି ଚେନ୍ନଇ ଶେଷ ବଲ୍‌ରେ ୫ ୱିକେଟ ହରାଇ ଜିତିଥିଲା। ସୋମବାର ଟସ୍ ଜିତି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂ ନେଇଥିଲା।

୧୪ ଓଭରରେ ଗୁଜରାଟ ୧୩୧ ରନ୍‌ କରିଥିବା ବେଳେ ଶେଷ ୬ ଓଭରରୁ ଏହା ୮୩ ରନ୍‌ କରି ପାରିଥିଲା। ଚେନ୍ନଇର ୨୧ ବର୍ଷ ବୟସ୍କ ସାଇ ସୁଦର୍ଶନ ତାଙ୍କ ସହରର ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷରେ ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ।

ପରେ ସେ ବିସ୍ଫୋରକ ବ୍ୟାଟିଂକରି ଆଉ ୧୩ ବଲ୍‌ରୁ ୪୪ ରନ୍‌ କରିଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ ସୁଦର୍ଶନ ୩ୟ ୱିକେଟ ପାଇଁ ଦ୍ରୁତ ୮୧ ରନ୍‌ ଯୋଡ଼ିଥିଲେ। ଶେଷ ଓଭରରେ ଆଉଟ୍‌ ହୋଇ ସୁଦର୍ଶନ ମାତ୍ର ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସାଇ ସୁଦର୍ଶନ ୪୭ ବଲ୍‌ରୁ ୬ଟି ଛକା ଓ ୮ଟି ଚୌକା ସହ ୯୬ ରନ୍‌ କରିଥିଲେ। ହାର୍ଦିକ ୧୨ ବଲ୍‌ରୁ ୨ଟି ଛକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ମାଥିଶା ପାଥିରାନା ୨ଟି ୱିକେଟ ନେଇଥିଲେ।