ହକି ମହାକୁମ୍ଭ ୨୦୨୩ : ଦ୍ୱିତୀୟ ଥରପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ହକି ବିଶ୍ୱକପ 2023…

ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ହକି ବିଶ୍ୱକପ । ଓଡ଼ିଶା ସରକାର ଦ୍ୱିତୀୟ ଥରପାଇଁ ଆୟୋଜନ କରିବାକୁ ଯାଉଛନ୍ତି ଏହି ହକି ମହାକୁମ୍ଭ। ୨୦୨୩ ହକି ବିଶ୍ୱକପ ଓଡ଼ିଶାରେ ଅନୁଷ୍ଠିତ ହେବ। ତେବେ ଏଥର ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ି ଏଥର ପ୍ରତିଯୋଗିତାକୁ କେବଳ ଭୁବନେଶ୍ୱର ମଧ୍ୟରେ ସୀମିତ ନ ରଖି ରାଉରକେଲାକୁ ସାମିଲ କରିଛନ୍ତି। ଏଥିପାଇଁ ରାଉରକେଲାରେ ନିର୍ମାଣାଧୀନ ଅଛି ଭାରତର ସର୍ବବୃହତ୍‌ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଯାହା ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ହେବ।

୨୦୧୮ ମସିହାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହି ମେଗା ପ୍ରତିଯୋଗିତାକୁ ଆୟୋଜନ କରି ପ୍ରଶଂସା ସାଉଁଟିଥିଲେ ଓଡ଼ିଶା ସରକାର। ଇତିହାସରେ ପ୍ରଥମଥର ପାଇଁ ୨୦୧୮ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ଆଖି ଝଲସାଇଦେବା ଭଳି ହୋଇଥିଲା। ଦେଶ ବିଦେଶର ଅନେକ ଖେଳାଳି ଓ ଦର୍ଶକ ଏକାଠି ହୋଇଥିଲେ ଭୁବନେଶ୍ୱରରେ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ। କଳିଙ୍ଗ ଷ୍ଟାଡିୟମ ପରିବେଶ ହୋଇ ଉଠିଥିଲା ଚଳଚଞ୍ଚଳ।

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ନିୟମ ଅନୁସାରେ ପ୍ରତି ବିଶ୍ୱକପ ପୂର୍ବରୁ ଆୟୋଜନ ଭେନ୍ୟୁର ନବୀକରଣ ହୋଇଥାଏ। ଏହାର ଅଂଶବିଶେଷଭାବେ କଳିଙ୍ଗ ଷ୍ଟାଡିୟମର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସିନ୍ଥେଟିକ୍‌ ଟର୍ଫକୁ କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ସମ୍ପୂର୍ଣ୍ଣ କଢ଼ାଯିବା ପରେ ନୂଆ ଟର୍ଫ ବିଛାଯିବ। ଏଫ୍‌ଆଇଏଚ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ନୂଆ ଟର୍ଫ ବିଛାଇବା କାର୍ଯ୍ୟ କରିବ। ପୁରୁଣା ଟର୍ଫକୁ କଢ଼ାଯିବା ପରେ ମେ’ ମାସରେ ନୂଆ ଟର୍ଫ ବିଛାଯିବା କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗର ଉପ ସଚିବ ରଞ୍ଜିତ ପରିଡ଼ା ପ୍ରକାଶ କରିଛନ୍ତି।

Odisha is ready for the second time

ସୂଚନା ଅନୁଯାଇ, ରାଉରକେଲାରେ ନବନିର୍ମିତ ଷ୍ଟାଡିୟମ ଆସନ୍ତା ସେପ୍ଟେମ୍ବର ମାସସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଗାମୀ ବିଶ୍ୱକପକୁ ପୂର୍ବାପେକ୍ଷା ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ କରିବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ନିକଟରେ ବିଶ୍ୱକପ ପାଇଁ ଲୋଗୋ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ ସାରିଛନ୍ତି। ”ହକି ବିଶ୍ୱକପର ଲୋଗୋ ଉନ୍ମୋଚନ କରି ମୁଁ ବହୁତ ଖୁସି। ଏଥର ଭୁବନେଶ୍ୱର ଓ ରାଉରକେଲା ଭାବେ ୨ଟି ଭେନ୍ୟୁ ହୋଇଥିବାରୁ ଆମେ ଖୁବ୍‌ ଆନନ୍ଦିତ।

Hockey epic 2023 In Odisha

୨୦୨୩ ବିଶ୍ୱକପ ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱର ହକି ପ୍ରଶଂସକ ଏବଂ ଭାଗ ନେବାକୁ ଯାଉଥିବା ଶ୍ରେଷ୍ଠ ଦଳଗୁଡ଼ିକୁ ସ୍ବାଗତ କରିବାକୁ ଓଡ଼ିଶା ପ୍ରସ୍ତୁତ“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ୨୦୨୩ ହକି ବିଶ୍ୱକପରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ଭାରତ ସମେତ ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ୍‌, ଫ୍ରାନ୍ସ, ଓ୍ବେଲ୍ସ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ଚିଲି, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏଥିପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।