ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌ ଆଜି

ଭାରତୀୟ ଦଳ ଟେଷ୍ଟର ବିଜୟଧାରା ଦିନିକିଆରେ….

ମୁମ୍ବଇ : ଭାରତ-ଅଷ୍ଟ୍ରେଲିଆ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳାର ଅନ୍ତଃ ବିନା ରୋମାଞ୍ଚରେ ହୋଇଛି। ଘରୋଇ ଭାରତ ଏହି ଶୃଙ୍ଖଳାକୁ ୨-୧ରେ ଜିତିବାରେ ସଫଳ ହୋଇଛି। କ୍ରିକେଟ୍‌ପ୍ରେମୀଙ୍କ ଦୃଷ୍ଟି ଏବେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଉପରେ। ଭାରତରେ ଚଳିତବର୍ଷ ଦିନିକିଆ ବିଶ୍ବକପ୍‌ ଥିବାରୁ ଉଭୟ ଦଳ ଏହି ଶୃଙ୍ଖଳାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି।

ଭାରତୀୟ ଦଳ ଟେଷ୍ଟର ବିଜୟଧାରା ଦିନିକିଆରେ ବଜାୟ ରଖିବାକୁ ଚାହୁଁଥିବା ବେଳେ ଅଷ୍ଟ୍ରେଲିଆ ପ୍ରତିଶୋଧ ଲକ୍ଷ୍ୟରେ ଖେଳିବ। ଟେଷ୍ଟ ଶୃଙ୍ଖଳା ପରି ଏହି ଶୃଙ୍ଖଳାରେ ଆଇସିସି ମାନ୍ୟତାରେ ପ୍ରଥମ ୨ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରେ ମୁକାବିଲା ହେବ। ଫରକ ଏତିକି ଯେ ଟେଷ୍ଟରେ ଅଷ୍ଟ୍ରେଲିଆ ୧ନଂ ଦଳ ଥିବା ବେଳେ ଦିନିକିଆରେ ଭାରତ ୧ନଂ ଦଳ। ତେଣୁ ଶୃଙ୍ଖଳାରେ ଘମାଘୋଟ ମୁକାବିଲା ହେବା ନିଶ୍ଚିତ। ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ନ ଥିବାରୁ ହାର୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ବ ନେବେ।