ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଖେଳିବେ କୋହଲି!

ଏହି ସବୁ ଖେଳାଳିଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି…

ନୂଆଦିଲ୍ଲୀ : ବିସିସିଆଇ ଜୁଲାଇ ୬ରେ ୱେଷ୍ଟଇଣ୍ଡିଜର ଆଗାମୀ ଦିନିକିଆ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଥିଲା । ତେବେ ଏଥିରେ ନା ଥିଲା ଅଧିନାୟକ ରୋହିତ ଶର୍ମାଙ୍କ ନାମ ନା ବିରାଟ କୋହଲି । ଯଶପ୍ରୀତ ବୁମରା ଏବଂ ଋଷଭ ପନ୍ତ ପରି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇନାହିଁ । ଏହି ସବୁ ଖେଳାଳିଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି । ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ବରିଷ୍ଠ ଖେଳାଳି ଖେଳି ପାରନ୍ତି । ଦଳ ପ୍ରବନ୍ଧକ ଆଗାମୀ ଟି-୨୦ ବିଶ୍ୱ କପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇ ପାରନ୍ତି ।

ଇଂଲଣ୍ଡ ଗସ୍ତ ସରିବା ମାତ୍ରେ ଭାରତ ଜୁଲାଇ ୨୨ରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ତେବେ ବିଶ୍ୱକପ ପ୍ରସ୍ତୁତି ପାଇଁ ଏହି ସିରିଜ୍‌ରେ ରୋହିତ, ବିରାଟ, ପନ୍ତ ଏବଂ ବୁମରାଙ୍କ ପରି ଖେଳାଳିଙ୍କୁ ସାମିଲ୍‌ କରାଯାଇପାରେ । କୋହଲି ଦୀର୍ଘ ଦିନ ହେବ ଫର୍ମରେ ନାହାନ୍ତି । ଫର୍ମ ଫେରିପାଇବାକୁ ହେଲେ ତାଙ୍କୁ ମ୍ୟାଚ ଖେଳିବାକୁ ପଡିବ । ତେଣୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଚୟନ କରାଯିବ ।