ନେହେରା ଆଇପିଏଲ୍‌-୨୦୨୨ରେ ସର୍ବଶ୍ରେଷ୍ଠ ଚାଣକ୍ୟ

ଆଇପିଏଲ-୨୦୨୨ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ…

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ ଆଶିଷ ନେହେରା । ପ୍ରଥମ କରି ଆଇପିଏଲ ଖେଳୁଥିବା ଏକ ଟିମର କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ ସେ, ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦଳର ଟାଇଟଲ ହାସଲ କରିବାର ଲକ୍ଷ୍ୟକୁ ପୂରଣ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହାକୁ ନେଇ ସମେସ୍ତ ନୂଆ ସୂତ୍ରଧରଙ୍କ ପ୍ରଶଂସା କରାଯାଉଛି । ନେହେରାଙ୍କୁ କୋଚ ନିଯୁକ୍ତ କରାଯିବା ଅନେକଙ୍କୁ ଚକିତ କରିଥିଲା । କାରଣ ନେହେରା ତାଙ୍କ କ୍ୟାରିୟରରେ ଅଧିକ ଆଘାତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ । ଏଥିଲାଗି ତାଙ୍କୁ ଆଇପିଏଲର କୌଣସି ଟିମ୍‌ର ଏକାଦଶରେ ସ୍ଥାନ ମିଳିବା କଷ୍ଟକର ହେଉଥିଲା । ଏହାସତ୍ତେ୍ୱ ତାଙ୍କୁ କୋଚ ପଦ ମିଳିଥିଲା ।

ଅପରପକ୍ଷେ ଭାରତୀୟ ଟିମକୁ ବିଶ୍ୱକପ ଜିତାଇଥିବା କୋଚ ଗ୍ୟାରି କିର୍‌ଷ୍ଟେନଙ୍କୁ ପରାମର୍ଶଦାତା ଭାବେ ଦଳରେ ସାମିଲ କରାଯାଇଥିଲା । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ସବୁ ଚର୍ଚ୍ଚାର ଜବାବ ନେହେରା ନିଜର ନେତୃତ୍ୱ ନେବା ଶୈଳୀରେ ଦେଇଛନ୍ତି । ଅକ୍ସନ ବେଳରୁ ଫାଇନାଲ ଖେଳିବା ଯାଏ ନିଜର ସ୍ୱତନ୍ତ୍ରତା ପାଇଁ ଆଶିଷ ଚର୍ଚ୍ଚାରେ । ଖେଳାଳିମାନଙ୍କ ସହ ସେ ଅଭ୍ୟାସ ବେଳେ ଅଧିକ ସମୟ ବିତାଉଥିଲେ । ଫଳରେ ନୂଆ ଖେଳାଳିମାନେ ଖେଳରେ ସୁଧାର ଆଣିବା ସହ ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ । ତେବେ କୋଚିଂ ପୂର୍ବରୁ ନେହେରାଙ୍କ କ୍ରିକେଟ କ୍ୟାରିୟର ଦେଖିଲେ ସେ ସର୍ବଦା ନିଜର ଆହତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ ।