ବିନା ରନ୍‌ରେ ଆଉଟ୍‌: ସଚିନଙ୍କ ସମକକ୍ଷ ବିରାଟ୍‌

ମଇଦାନରେ ବତକ ଧରିବା ମାନେ ଆପଣ ଜାଣନ୍ତି? କୌଣସି ରନ୍‌ ନକରି ଆଉଟ୍‌ ହୋଇଯିବା । ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲିଙ୍କଠାରୁ ୪୯ତମ ଶତକ ଆଶା କରୁଥିଲେ ପ୍ରଶଂସକ । ଦିନିକିଆ କ୍ରିକେଟରେ ୪୯ତମ ଶତକ ହାସଲ କରି ବିରାଟ ସଚିନଙ୍କ ସମକକ୍ଷ ହୋଇଥାନ୍ତେ । କିନ୍ତୁ ଶତକ କଥା ଥାଉ, କୌଣସି ରନ୍‌ ନକରି ପଡ଼ିଆରୁ ବିଦାୟ ନେଇ ବିରାଟ ସଚିନଙ୍କର ଆଉ ଏକ ବିରଳ ରେକର୍ଡ ସମକକ୍ଷ ହୋଇ ପାରିଛନ୍ତି । ବିରାଟ ୯ଟି ବଲକୁ ସାମ୍ନା କରିଥିଲେ ମଧ୍ୟ ଗୋଟିଏ ହେଲେ ରନ୍‌ କରିପାରିଲେନି; ବରଂ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଗଲେ ।

ଚର୍ଚ୍ଚା ସେତିକିରେ ଥମିଲାନି । ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ ଦୁନିଆରେ ୫୧୩ଟି ମ୍ୟାଚ୍‌ ଖେଳିବା ଭିତରେ ୩୪ ଥର ଜିରୋରେ ଆଉଟ୍‌ ହୋଇଛନ୍ତି । କ୍ରିକେଟ୍‌ ଯାଦୁକର ସଚିନ୍‌ ତେନ୍ଦୁଲକର ୬୬୪ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ଭିତରେ ୩୪ ଥର ଜିରୋରେ ଆଉଟ୍‌ ହୋଇଥିଲେ ।

କେବଳ ଏହି ଦୁଇଜଣ ସର୍ବାଧିକ ବାର ଜିରୋରେ ଆଉଟ୍‌ ହୋଇନାହାନ୍ତି । ଜାହିର ଖାନ ୩୦୯ଟି ମ୍ୟାଚ୍‌ ଖେଳିବା ଭିତରେ ୪୪ ଥର ଜିରୋରେ ଆଉଟ୍‌ ହୋଇଛନ୍ତି । ଈଶାନ୍ତ ଶର୍ମା ୧୯୯ଟି ମ୍ୟାଚ୍‌ ଖେଳିବା ଭିତରେ ୪୦ ଥର ଜିରୋରେ ଆଉଟ୍‌ ହୋଇଛନ୍ତି । ହରଭଜନ ସିଂ ୩୬୭ଟି ମ୍ୟାଚ୍‌ ଖେଳିବା ଭିତରେ ୩୭ ବାର କୌଣସି ରନ୍‌ ନକରି ଆଉଟ୍‌ ହୋଇଥିଲେ ।