ଐତିହାସିକ ସଫଳତା ସହ, ଭାରତୀୟ କ୍ରୀଡାରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା

ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା। ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ। ରବିବାର ଏଠାରେ ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ହାସଲ କରିଛନ୍ତି। ପୂର୍ବରୁ କୌଣସି ଭାରତୀୟ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣପଦକ ଜିତିନଥିଲେ। ୨୦୦୫ରେ ଅଞ୍ଜୁ ବବି ଜର୍ଜ କାଂସ୍ୟ ପଦକ ଜିତିଥିବା ବେଳେ ଗତବର୍ଷ ନୀରଜ ଚୋପ୍ରା ଦେଶ ପାଇଁ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ପ୍ରଥମ ରୌପ୍ୟପଦକ ଜିତିଥିଲେ। ହେଲେ ଏଥର ନୀରଜ ଆଉ ପାଦେ ଆଗେଇ ଯାଇ ସ୍ବର୍ଣ୍ଣପଦକ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି।

ସର୍ବାଧିକ ଦୂରତା ହାସଲକରି ଫାଇନାଲରେ ପହଞ୍ଚିଥିବା ନୀରଜ ଚୋପ୍ରା ପ୍ରଥମ ପ୍ରୟାସ ଫାଉଲ୍‌ ହୋଇଥିବା ବେଳେ ୨ୟ ପ୍ରୟାସ ନିର୍ଣ୍ଣାୟକ ହୋଇଥିଲା। ଏଥିରେ ୮୮.୧୭ ମିଟର ଦୂରତା ହାସଲକରି ନୀରଜ ଏକାଥରକେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇ ଯାଇଥିଲେ।

ସେହିପରି, ପାକିସ୍ତାନର ଅର୍ସଦ ନଦିମ୍ ୩ୟ ପ୍ରୟାସରେ ୮୭.୮୨ ମିଟର ଦୂରତା ହାସଲକରି ନୀରଜଙ୍କୁ ଚାପରେ ପକାଇଥିଲେ। ହେଲେ ନୀରଜ ତାଙ୍କର ପରବର୍ତ୍ତୀ ୪ଟି ପ୍ରୟାସରେ ୮୬.୩୨ ମିଟର, ୮୪.୬୪, ୮୭.୭୩ ଓ ୮୩.୯୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ପାରିଥିଲେ। ଅର୍ସଦ ନଦିମ୍ ସମସ୍ତ ପ୍ରୟାସ କରିବା ସତ୍ତ୍ବେ ନୀରଜଙ୍କ ୮୮.୧୭ ମିଟର ଦୂରତାକୁ ଅତିକ୍ରମ କରି ପାରିନଥିଲେ। ୮୭.୮୨ ମିଟର ସହ ନଦିମ୍ ରୌପ୍ୟପଦକ ଜିତିଥିଲେ। ୫ମ ପ୍ରୟାସରେ ୮୬.୬୭ ମିଟର ଦୂରତା ହାସଲକରି ଚେକ୍ ଗଣରାଜ୍ୟର ୟାକୁବ୍ ଭାଦ୍‌ଲେଜ୍‌ କାଂସ୍ୟପଦକ ହାସଲ କରିଥିଲେ।

ପ୍ରାୟ ସମସ୍ତଙ୍କ ନଜର ଥିଲା ପ୍ରଥମ ଓଡ଼ିଆ ଭାବେ ଫାଇନାଲରେ ପହଞ୍ଚି ଇତିହାସ ରଚିଥିବା କିଶୋର କୁମାର ଜେନାଙ୍କ ଉପରେ। ବିଶ୍ବ କ୍ରୀଡ଼ାର ଏତେ ବଡ଼ ମଞ୍ଚରେ କିଶୋର ନିରାଶ କରିନଥିଲେ। କିଶୋର ତାଙ୍କ ୫ମ ପ୍ରୟାସରେ ଜୀବନର ଶ୍ରେଷ୍ଠ ଦୂରତା ହାସଲକରି ୮୪.୭୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ। ଶେଷରେ କିଶୋର ୧୨ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଥିଲେ; ଯାହା ବେଶ୍‌ ପ୍ରଶଂସନୀୟ। ଅନ୍ୟ ଭାରତୀୟ ଡି.ପି. ମନୁ ଶେଷ ପ୍ରୟାସରେ ୮୪.୧୪ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ୬ଷ୍ଠ ସ୍ଥାନରେ ରହିଥିଲେ।

ବିଶ୍ବ ଚମ୍ପିଆନ୍ ହୋଇ ନୀରଜ ଏବେ ବିଶ୍ବର ସର୍ବଶ୍ରେଷ୍ଠ ଜାଭେଲିନ୍ ଥ୍ରୋଅର ହୋଇ ପାରିଛନ୍ତି। ନୀରଜଙ୍କ ଏପରି କୃତିତ୍ବ ପରେ ତାଙ୍କ ପ୍ରତି କ୍ରୀଡାjagat ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।