ମହିଳା ପ୍ରିମିୟର ଲିଗ୍‌: ମୁମ୍ବାଇର ଚତୁର୍ଥ ବିଜୟ

ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ରେ ରବିବାର

ମୁମ୍ବାଇ : ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ସୁଦୃଢ଼ କରିଛି। ହର୍ମନପ୍ରୀତ୍‌ କୌରଙ୍କ ଏହି ଦଳ ୟୁପି ୱାରିଅର୍ସକୁ ୮ ୱିକେଟ୍‌ରେ ପରାସ୍ତ କରି ଅପରାଜେୟ ରହିଛି। ୟୁପି ୱାରିୟର୍ସ ଛାଡ଼ିଥିବା ୧୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା ହର୍ମନପ୍ରୀତ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୧୫ ବଲ୍‌ ପୂର୍ବରୁ ୮ ୱିକେଟ୍‌ ଥାଇ ହାସଲ କରିନେଇଥିଲା। ହର୍ମନପ୍ରୀତ୍‌ ୫୩ (୩୩ ବଲ୍‌, ୯ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତାଙ୍କ ସହ ୪୫ (୩୧ ବଲ୍‌, ୬ ଚୌକା, ୧ ଛକା) ରନ୍‌ରେ ଅପରାଜିତ ଥିବା ନାଟ୍‌ ଶ୍ଚିଭର ବ୍ରଣ୍ଟ୍‌ ୧୮ତମ ଓଭରର ତୃତୀୟ ବଲ୍‌କୁ ଛକା ମାରି ବିଜୟ ମୁଣ୍ଡି ମା‌ରିଥିଲେ। ଉଭୟ ହର୍ମନପ୍ରୀତ୍‌ ଓ ବ୍ରଣ୍ଟ୍‌ ଅବିଭାଜିତ ତୃତୀୟ ୱିକେଟ୍‌ରେ ୧୦୬ ରନ୍ ଯୋଡ଼ିବାରୁ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ହାସଲ କରିନେଇଥିଲା। ଅନ୍ୟପକ୍ଷରେ ୟୁପି ୱାରିଅର୍ସ ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ତାଲିକାର ତୃତୀୟରେ ଅପରିବର୍ତିତ ରହିଛି। ରବିବାର ସୁଦ୍ଧା ସମସ୍ତ ୫ ଦଳ ୪ ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି। ମୁମ୍ବାଇ ଶୀର୍ଷରେ ରହିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ବିତୀୟରେ ରହିଛି।