ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଯାଇଛି। ବନ୍ୟା ଯୋଗୁଁ ଜିଲ୍ଲାର ୭ଟି ବ୍ଲକ୍ର ୬୫ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ସେହିପରି ସହରାଞ୍ଚଳର ୨୧ଟି ୱାର୍ଡ ମଧ୍ୟ ବନ୍ୟା ପ୍ରଭାବିତ ହୋଇଛି। ପ୍ରଭାବିତ ଲୋକଙ୍କ ପାଇଁ ବିଭିନ୍ନ ସ୍ଥାନରେ ରିଲିଫ୍ କ୍ୟାମ୍ପ ଖୋଲାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବୁଢ଼ାବଳଙ୍ଗ ନଦୀରେ କିଛି ଦିନ ବ୍ୟବଧାନରେ ଏବେ ସୁଦ୍ଧା ୫ ଥର ବନ୍ୟା ଆସିଥିବାରୁ ଚିନ୍ତା ବଢିଛି। ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ହେଲେ କିମ୍ବା ଡ୍ୟାମ୍ର ଗେଟ୍ ଖୋଲାଗଲେ ଏହାର ପ୍ରଭାବ ସିଧାସଳଖ ବାଲେଶ୍ୱର ଉପରେ ପଡ଼ୁଛି।ଅନ୍ୟପଟେ ବନ୍ୟା ପରିସ୍ଥିତି ପାଇଁ ନଦୀର ପ୍ରାକୃତିକ ଜଳ ନିଷ୍କାସନ ପଥ ଅବରୋଧକୁ ମଧ୍ୟ ଦାୟୀ କରାଯାଉଛି। ନଦୀ ପଠାରେ ଘର ନିର୍ମାଣ ହେବା ଯୋଗୁଁ ବନ୍ୟାଜଳର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହେଉଛି। ଫଳରେ ନଦୀର ପାଣି ଗାଁ ଭିତରକୁ ପଶି ଜନଜୀବନକୁ ପ୍ରଭାବିତ କରୁଛି ।ଅନେକ ସ୍ଥାନରେ କେନାଲଗୁଡ଼ିକର ପୁନରୁଦ୍ଧାର ହୋଇପାରୁନଥିବାରୁ ବର୍ଷା ଓ ବନ୍ୟାଜଳ ଦୀର୍ଘ ସମୟ ଧରି ଜମି ରହୁଛି। ବନ୍ୟା ସ୍ଥିତି ଲାଗି ରହିଥିବାରୁ ଆଗାମୀ ଦିନରେ ଜଳସ୍ତର ଆହୁରି ବଢ଼ିଲେ ପରିସ୍ଥିତି ଅଧିକ ଗମ୍ଭୀର ହେବା ନେଇ ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ପ୍ରଶାସନ ଉପରେ ନଜର ରହିଛି ।