ଗଂଜାମ( ସାକ୍ସୀ ନ୍ୟୁଜ୍): ଗଭୀର ଅବପାତ ପ୍ରଭାବରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ ଏବଂ ବାହାନା ନାଳ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିସ୍ଥିତିର ମୁକାବିଲା ପାଇଁ ତ୍ୱରିତ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ବ୍ଲକ୍ରୁ ୪୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାସହ ୧,୫୯୧ଟି ମତ୍ସ୍ୟଜୀବୀ ଡଙ୍ଗା କୂଳରେ ସୁରକ୍ଷିତ ରହିଛି। ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୦୪ ଜଣଙ୍କର ସଫଳ ପ୍ରସବ ହୋଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାର ପାଣିପାଗ ପରିସ୍ଥିତି ଓ ପ୍ରସ୍ତୁତି ଉପରେ ନଜର ରଖିବା ସହ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି ସମୀକ୍ଷା କରୁଛନ୍ତି। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।