ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ ୟେଚୁରୀ, ଯାଦବଙ୍କ ନାଁ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ସିପିଏମ ମହାସଚିବ ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନର ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତି ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦ ଏବଂ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୟଙ୍କ ନାମ ଦିଲ୍ଲୀ ପୋଲିସ ଚାର୍ଜସିଟରେ ଦାଖଲ କରିଛି ।

ସିଏଏ ଏନଆରସିକୁ ମୁସଲିମ ବିରୋଧି ଓ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଆନ୍ଦୋଳନକାରୀ ମାନଙ୍କୁ ଚାର୍ଜସିଟରେ ଦାଖଲ ହୋଇଥିବା ବ୍ୟକ୍ତିମାନେ ପ୍ରବର୍ତ୍ତାଇଥିଲେ ବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦ୍ୱାରା ଦାଖଲ ହୋଇଥିବା ଏହି ମାମଲାରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଏହି ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଚାର୍ଜସିଟରେ ୟେଚୁରୀ ଏବଂ ଯୋଗେନ୍ଦ୍ର ଯାଦବଙ୍କ ବ୍ୟତୀତ ଭୀମ ସେନାର ମୁଖ୍ୟ ଚନ୍ଦ୍ରଶେଖର, ୟୁନାଇଟେଡ୍ ଆଣ୍ଟି ହେଟ୍ କାର୍ଯ୍ୟକର୍ତ୍ତା ଉମର ଖାଲିଦ ପୂର୍ବତନ, ବିଧାୟକ ମାର୍ଟନ୍ ଅହମ୍ମଦ ଏବଂ ବିଧାୟକ ଅମାନତୁଲ୍ଲା ଖାନ ଙ୍କ ନାମ ମଧ୍ୟ ରହିଛି ଏବଂ ଏମାନଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି ।


ପୋଲିସର ଏକ ଷ୍ଟେଟମେଣ୍ଟ ଅନୁଯାୟୀ ପ୍ରଫେସର ଅପୂର୍ବାନନ୍ଦ ଜେସିସି କୁ 20 ରୁ 25 ଜାଗାରେ ବିକ୍ଷୋଭ ଆରମ୍ଭ କରିବା ପାଇଁ କହିଥିଲେ ଏବଂ ପ୍ରଫେସର ଅପୂର୍ବାନନ୍ଦଙ୍କ ନିର୍ଦେଶରେ ଉମର ଖାଲିଦ ଓ ଅନ୍ୟମାନେ ଉତ୍ତର ପୂର୍ବ ଦିଲ୍ଲୀର ସ୍ଥାନୀୟ ମହିଳା ଓ ଝିଅ ମାନଙ୍କୁ ବିକ୍ଷୋଭରେ ସାମିଲ କରାଇବା ଓ ରାସ୍ତା ଅବରୋଧ ବେଳେ ମହିଳା ଓ ଶିଶୁଙ୍କୁ ସାମିଲ କରାଇବା ପାଇଁ ନିର୍ଦେଶ ଦେଇଥିଲେ ।