ପୁଣି ଚର୍ଚ୍ଚାରେ ମଣିପୁରର ମୀରାବାଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିବା ମଣିପୁରର ମୀରାବାଇ ଚାନୁ ଏବେ ପୁଣି ଚର୍ଚ୍ଚାରେ । ସେ ୧୫୦ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ନିଜ ବାସଭବନକୁ ଡାକି ସମ୍ମାନିତ କରିଛନ୍ତି । ମୀରାବାଇଙ୍କ ଗାଁ ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୨୫ କିମି ଦୂର । ସବୁଦିନ ଏତେ ଦୂର ଯିବା ଲାଗି ତାଙ୍କ ପାଖରେ ଟଙ୍କା ନଥିଲା । ତେଣୁ ସେ ଇମ୍ଫାଲ ଆଡକୁ ଯାଉଥିବା ଟ୍ରକ ଡ୍ରାଇଭର ଓ ହେଲ୍‌ପରଙ୍କୁ ଲିଫ୍ଟ ମାଗି ଯିବା ଆସିବା କରୁଥିଲେ । ମୀରାବାଇ କହିଛନ୍ତି, ଇଥାମ ମୋଇରାଙ୍ଗପୁରେଲ ଅଞ୍ଚଳରୁ ବାଲି ନେଇ ଆସୁଥିବା ଅଧିକାଂଶ ଟ୍ରକ ଆମ ଗାଁ ଦେଇ ଇମ୍ପାଲ ଯାଇଥାଏ । ଅଧିକାଂଶ ଦିନ ଟ୍ରକ୍‌ ଡ୍ରାଇଭରମାନେ ଆମ ଚା’ ଦୋକାନରେ ଅଟକି ମୋତେ ଲିଫ୍ଟ ଦେଇଥାନ୍ତି । କେବେହେଲେ ସେମାନେ ମୋ’ଠାରୁ ଟଙ୍କାଟିଏ ନେଇନାହାନ୍ତି । ଏବେ ମୁଁ ସଫଳତା ପାଇବା ପରେ ସେହି ଟ୍ରକ ଡ୍ରାଇଭରମାନଙ୍କ ସନ୍ଧାନ ନେଉଛି । ସେମାନଙ୍କ ଋଣ ତ ଜୀବନରେ କେବେହେଲେ ପରିଶୋଧ କରିପାରିବି ନାହିଁ । ସେମାନଙ୍କ ସହାୟତା ବିନା ଅଲିମ୍ପିଆନ ହେବାଲାଗି ମୋ’ର ସ୍ୱପ୍ନ କେବେହେଲେ ପୂରଣ ହୋଇନଥାନ୍ତା । ତେବେ ବର୍ତ୍ତମାନ ସେମାନେ ମୋ’ଠାରୁ ଯେଉଁ ସହାୟତା ଚାହିଁବେ, ତାହା ପ୍ରଦାନ କରିବାକୁ ପ୍ରସ୍ତୁତ । ମୀରାବାଇ ଟ୍ରକ ଡ୍ରାଇଭରମାନଙ୍କୁ ସାର୍ଟ, ମଣିପୁରୀ ଉତ୍ତରୀୟ ଉପହାର ଦେଇଥିଲେ । ଏହାଛଡା ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଖୁଆଇଥିଲେ । ସୋସିଆଲ ମିଡିଆରେ ମୀରାବାଇଙ୍କର ଏହି ପଦକ୍ଷେପକୁ ଖୁବ ପ୍ରଶଂସା କରାଯାଉଛି । ଟୋକିଓ ଅଲିମ୍ପିକ ପଦକ ଜିତିବା ପରେ ଟ୍ରକ ଡ୍ରାଇଭରଙ୍କୁ ସମ୍ମାନିତ କରି ସେ ପୁଣିଥରେ ସମସ୍ତଙ୍କ ହୃଦୟ ଜିଣିଥିବା କୁହାଯାଉଛି ।