ଆରପାରିରେ ଶିଶୁ ସାହିତ୍ୟିକ ନଦିୟା ବିହାରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଜଣାଶୁଣା ଶିଶୁ ସାହିତ୍ୟିକ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କିଛିଦିନ ପୂର୍ବରୁ ଶ୍ରୀ ମହାନ୍ତି କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ର ଉପସ୍ଥାପକ ବଡ଼ ଭାଇ ଭାବେ ସେ ବେଶ ଲୋକପ୍ରିୟ ହୋଇଥିଲେ। ଶିଶୁମାନଙ୍କ ପାଇଁ ସେ ଅନେକ କ୍ଷୁଦ୍ରଗଳ୍ପ, କବିତା ଆଦି ରଚନା କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି।

କେନ୍ଦ୍ରାପଡ଼ାର କଉପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି ଆଇନରେ ଡିଗ୍ରୀ ହାସଲ କରିବା ପରେ ୧୯୫୮ରେ ଆକାଶବାଣୀରେ ଯୋଗ ଦେଇଥିଲେ। ରାଜ୍ୟର ଲୋକପ୍ରିୟ ଶିଶୁ ପତ୍ରିକା ମନପବନ ଓ ମୀନାବଜାରରେ ମଧ୍ୟ ସେ ଲେଖୁଥିଲେ। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ‘ଖ୍ୟାତିସମ୍ପନ୍ନ ଓଡ଼ିଆ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି’।