ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ପବିତ୍ର ମହାଳୟା। ଏହି ଅବସରରେ ବିଭିନ୍ନ ସ୍ଥାନରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କରିଛନ୍ତି ଶ୍ରଦ୍ଧାଳୁ। ପୁରୀ ଏବଂ ରାଜଧାନୀର ବିନ୍ଦୁସାଗର କୂଳରେ କଟକଣା ଭିତରେ ପିଣ୍ଡଦାନ କରିଛନ୍ତି ଲୋକେ। ଅନ୍ୟପଟେ ଏହି ପବିତ୍ର ଦିନରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ।
ପ୍ରତିବର୍ଷ ମହାଳୟାରେ ପୁରୀ ଶ୍ରୀମନ୍ଦିର ବାଇଶି ପାହାଚରେ ଏବଂ ରାଜଧାନୀ ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁସାଗର କୂଳରେ ପ୍ରବଳ ଭିଡ଼ ଜମେ। ହେଲେ ଚଳିତ ବର୍ଷ କରୋନା ଯୋଗୁଁ ବହୁ ଲୋକ ନିଜ ନିଜ ଘରେ ଶ୍ରାଦ୍ଧ ପକାଇଛନ୍ତି। ଅଳ୍ପ କିଛି ଲୋକଙ୍କୁ ଏହି ଅବସରରେ ସେଠାରେ ଦେଖିବାକୁ ମିଳିଛି। କଟକଣା ଭିତରେ ଉଭୟ ଜଜମାନ ଏବଂ ପୁରୋହିତ ମାସ୍କ ପିନ୍ଧି ପିଣ୍ଡଦାନ କରିଛନ୍ତି।
ସେହିଭଳି ଆଜି ସମ୍ବଲପୁରରେ ମା’ ସମଲେଶ୍ବରୀଙ୍କ ବର୍ଷକୁ ଥରେ ହେଉଥିବା ଦୁର୍ଲଭ ଧବଳମୁଖୀ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ତେବେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିନଥିବାରୁ ଡିଜିଟାଲ ପ୍ଲାଟଫର୍ମରେ ସମସ୍ତେ ମା’ଙ୍କର ଭବ୍ୟ ଆଳତି ଏବଂ ବେଶ ଦେଖିଛନ୍ତି ଭକ୍ତ। ବର୍ଷସାରା ମା’ ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି କିନ୍ତୁ ଆଜି ମହାଳୟରେ ଭକ୍ତମାନଙ୍କୁ ଶ୍ୱେତ ବର୍ଣ୍ଣରେ ଦର୍ଶନ ଦେଉଛନ୍ତି। ମା’ଙ୍କର ଏହି ବେଶକୁ ଗଙ୍ଗା ବେଶ ବା ସରସ୍ବତୀ ବେଶ ବୋଲି କୁହାଯାଏ। କୁହାଯାଏ କି ପିତୃପକ୍ଷ ପାଳନର ଶେଷଦିନରେ ମା’ଙ୍କର ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଫଳ ମିଳିଥାଏ |