ଦୁର୍ନୀତି ବିରୋଧ ରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ବରଗଡ,(ଏସ୍‌ ନ୍ୟୁଜ): ବିଜେପି ଯୁବ ମୋର୍ଚ୍ଚା ଝାରବନ୍ଧ ବ୍ଲକ ତରଫରୁ ଶତାଧିକ କାର୍ଯ୍ଯକର୍ତ୍ତା ସୋମବାର ଦିନ ଝାରବନ୍ଧ ମୁଖ୍ଯ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟ କୁ ପହଞ୍ଚି ସେଠାରେ ଜିଲ୍ଳା ଯୁବମୋର୍ଚ୍ଚା ସମ୍ପାଦକ ସାମନ୍ତ ଶେଖର ମୁନାଙ୍କ ନେତୃତ୍ବ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉନ୍ନୟନ ମୂଳକ ଯୋଜନାରେ କେନ୍ଦ୍ର ସରକାର ଅଞ୍ଚଳର ବିକାଶ ଓ ସାଧାରଣ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ କୋଟି କୋଟି ଟଙ୍କା ପଠାଉ ଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାର୍ଯ୍ଯକର୍ତ୍ତା ଧର୍ମ କୁ ଆଖି ଠାର ମାରି ସିଂହଭାଗ ଅର୍ଥ ହରିଲୁଟ କରି ଚାଲିଛନ୍ତି । ଗତ ମାସ ୧୬ ତାରିଖ ରେ ଯୁବମୋର୍ଚ୍ଚା ତରଫରୁ ବିନାକାମ ରେ ଅତିନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବାର ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି କାର୍ଯାନୁଷ୍ଠାନ ପାଇଁ ନୁତନ ବିଡିଓ କାର୍ଯ୍ଯକର୍ତ୍ତାଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ବିଡିଓ ଙ୍କ ତଦନ୍ତ ରିପୋର୍ଟ ଚୋରକୁ ସମୁଦି ଡାକିଲା ପରି ହୋଇଛି ।

ଝାରବନ୍ଧ ବ୍ଲକ କାର୍ଯ୍ଯାଳୟ ସମ୍ମୁଖ ରେ ଜିଲ୍ଳା ଉପ ସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ରେ ବରିଷ୍ଠ ନେତା ମାନେ ସ୍ଥାନୀୟ ବ୍ଲକ ପ୍ରଶାସନ ର ଆର୍ଥିକ ଅନିୟମିତା ରେ ସିଧା ସମ୍ପୃକ୍ତି ରହିଛି ବୋଲି ଆରୋପ କରିଥିଲେ । ବିଡିଓ ତାଙ୍କର କର୍ମଚାରୀ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି,ବିଡିଓ ପ୍ରକୃତ ତଥ୍ଯ କୁ ଲୁଚାଇ ସାଧାରଣ ଜନତାଙ୍କ ପ୍ରତି ବିଶ୍ବାସଘାତ କରିଛନ୍ତି । ଯୁବମୋର୍ଚ୍ଚା ଏହାର ତଦନ୍ତ ଭିଜିଲାନ୍ସ ଅଧିନକୁ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି । ବିକାଶ ରେ ବାଧକ ସାଜିଥିବା ସାଧାରଣ ଜନତାଙ୍କ ଅର୍ଥ କୁ ଆତ୍ମସାତ କରିଥିବା ଦୋଷୀଙ୍କ ବିରୋଧ ରେ କାର୍ଯ୍ଯାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ଯାଳୟ କୁ ବନ୍ଦ କରିବା ସହ ଆବଶ୍ୟକ ହେଲେ ବିଜେପି ସାଧାରଣ ଲୋକଙ୍କ ଅଧିକାର ଓ ସ୍ବାର୍ଥ ପାଇଁ ଆଇନ କୁ ହାତକୁ ନେବ ବୋଲି ପ୍ରଶାସନ କୁ ଦୃଢ ଚେତାବନୀ ଦେଇଥିଲେ ।

ସଭାରେ ରାଜ୍ଯ ଯୁବ ମୋର୍ଚ୍ଚା ସଂପାଦକ ଶ୍ରୀ ପ୍ରୀତେଶ ବହିଦାର,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସରୋଜ ପାଣିଗ୍ରାହୀ,ଜିଲ୍ଳା ପରିଷଦ ସଭ୍ଯା କୁମୁଦିନୀ ସାହୁ,ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ,ଡା ଲମ୍ବୋଦର ପଣ୍ତା,ପୁରନ୍ଦର ସାହୁଙ୍କ ସମେତ ଅନେକ ବରିଷ୍ଠ ନେତା ନିଜ ନିଜର ମନ୍ତବ୍ଯ ରଖିଥିଲେ । ମୁଖ୍ଯତ ମନରେଗା,ପାଇଖାନା ନିର୍ମାଣ,ଗୁହାଳ ନିର୍ମାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁଦାନ ଅର୍ଥ ହରିଲୁଟ କରି ଧର୍ମବକ ସାଜିଥିବା ବ୍ଲକ ପ୍ରଶାସନ କୁ ତୀବ୍ର ଭର୍ସନା କରା ଯାଇଥିଲା । ଅନ୍ଯ ମଧ୍ଯରେ ବରିଷ୍ଠ ବିଜେପି ନେତା ଦୁର୍ଗାପ୍ରସାଦ ଅଗ୍ରୱାଲ,ମାନଭଞ୍ଜନ ପଧାନ,ଜୟ ନିଗମ,ଗମ୍ଭୀରା ବାଗ,ହରେକୃଷ୍ଣ ପଟେଲ,କୌଲାସ ଦିଶ୍ରୀ,ସୌକିଲାଲ ସାହା,ଯୋଗେନ୍ଦ୍ର ଭୋଇ,କୁନାଲ ପାଣିଗ୍ରାହୀ,ରୋଶନ ପାଣିଗ୍ରାହୀ,ମଣ୍ଟୁ ପାଣ୍ଡେ,ଅକ୍ଷୟ ପ୍ରଧାନ ବିଡିଓ ଙ୍କ ଦ୍ବାରା ପ୍ରସ୍ତୁତ ମିଥ୍ୟା ତଦନ୍ତ ରିପୋର୍ଟ କୁ ନିଆଁରେ ଜାଳି ଦେଇଥିଲେ । ବିଡିଓ ଙ୍କ ଅନୁପସ୍ଥିତି ରେ ତାଙ୍କ ଅଧିକାରୀ ପ୍ରାପ୍ତ ଟିକେଶ୍ବର ପଟେଲ ଦାବୀପତ୍ର ଗ୍ରହଣ କରି ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ କୁ ପଠାଇବାକୁ ପ୍ରତିଶୃତି ଦେଇଥିଲେ ।