ଡେରାଡୁନ : ବର୍ତ୍ତମାନ କରୋନା ମହାମାରୀ ସାରା ଦେଶକୁ କବଳିତ କରିସାରିଛି । କରୋନା କବଳରେ ପଡି ଖାଲି ମଣିଷର ସ୍ୱାସ୍ଥ୍ୟ ନୁହେଁ,ବରଂ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନ ବେଶ ପ୍ରଭାବିତ ହେଇଛି ।ଏହି ମହାମାରୀର ସମୟରେ ବିଶ୍ୱର ସର୍ବ ବୃହତ ଧାର୍ମିକ ସମାବେଶ କୁମ୍ଭ ମେଳା ଆସନ୍ତା ୨୦୨୧ ଜାନୁଆରି ହେବାକୁ ଯାଉଛି ଯାହାକୁ ନେଇ ଅନିଶ୍ଚିତତା ଲାଗିରହିଛି। ତେଣୁ କାମ ସଂଖ୍ୟକ ଲୋକଙ୍କ ନେଇ ପରମ୍ପରା ନିର୍ବାହ ପାଇଁ ସରକାର ଚିନ୍ତା କରୁଛନ୍ତି।
ଆସନ୍ତା ୨୦୨୧ ଜାନୁଆରି ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହା ହରିଦ୍ୱାରରେ ଅନୁଷ୍ଠିତ ହେବ କୁମ୍ଭ ମେଳା । କିନ୍ତୁ କରୋନା ସମୟରେ ଏତେ ବଡ଼ ଧାର୍ମିକ ସମାବେଶକୁ କିପରି ଅନୁମତି ଦିଆଯିବ ତାହାକୁ ନେଇ ଉତ୍ତରାଖଣ୍ଡ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ଵତ ବରିଷ୍ଠ ଅଧିକାରୀ, ସନ୍ଥ ସମାଜ ଓ ବିଭିନ୍ନ ଆଖାଡ଼ାର ପ୍ରତିନଧିମାନଙ୍କ ସହ ଆଲୋଚନା କରିଛନ୍ତି ।
ଆଲୋଚନା ମାଧ୍ୟମରେ କୁମ୍ଭ ମେଳାକୁ ସବୁ ଲୋକଙ୍କୁ ଅନୁମତି ନଦେଇ କେବଳ ଅଳ୍ପ କିଛି ଲୋକଙ୍କୁ ନେଇ ପରମ୍ପରା ନିର୍ବାହ ଲାଗି ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଯେଉଁମାନେ କୁମ୍ଭ ମେଳାସ୍ଥାନକୁ ଯିବେ ସେମାନଙ୍କୁ ଆଗୁଆ ପାସ ନେବାକୁ ହେବ । ସେହିପରି ସ୍ନାନ ବେଳେ ବ୍ୟାପକ କୋଭିଡ୍ କଟକଣା ଲାଗୁ କରାଯିବ । ତେଣୁ ସାଧାରଣ ଭକ୍ତମାନଙ୍କୁ ସେଠାକୁ ଆସିବା ବଦଳରେ ଟିଭିରେ ସ୍ନାନର ଦୃଶ୍ୟ ଦେଖିବାକୁ ଅନୁପ୍ରାଣିତ କରାଯିବ ବୋଲି ଉତ୍ତରାଖଣ୍ଡ ସରକାର କହିଛନ୍ତି । ଏହାକୁ ସନ୍ଥ ସମାଜ ପକ୍ଷରୁ ସମର୍ଥନ କରିଛନ୍ତି ।