ଆସନ୍ତା ୯ରେ ନବୀନ-ଜଗନ ଆଲୋଚନା

ଭୁବନେଶ୍ୱର, ଏସ୍‌ ନ୍ୟୁଜ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆସନ୍ତା ନଭେମ୍ବର ୯ରେ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଜଳ ପ୍ରକଳ୍ପକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଆସନ୍ତା ୯ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ହେବା ସହ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ । ବିଶେଷକରି ପୋଲାଭରମ ପ୍ରକଳ୍ପ ଯୋଗୁ ବିସ୍ଥାପିତ ହେବାକୁ ଥିବା ପରିବାର ଓ ଜଳମଗ୍ନ ଅଞ୍ଚ଼ଳ, ବାଶଧାରାରେ ନେରେଡି ବ୍ୟାରେଜ୍‌ ନିର୍ମାଣ ଓ ଝଞ୍ଜାବତୀ ଜଳଭଣ୍ଡାରର ବନ୍ୟା ଜଳ ସମସ୍ୟାକୁ ନେଇ ରହିଥିବା ଦୁଇ ରାଜ୍ୟ ମଧ୍ୟରେ ବିବାଦ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି । ସେହିପରି ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବାରୁ ଓଡିଶା ପକ୍ଷରୁ ଆପତ୍ତି ଉଠାଯିବ ବୋଲି ଜଣାପଡିଛି ।