ବାବ୍ରି ରାୟ: ସମସ୍ତ ୩୨ ଅଭିଯୁକ୍ତ ନିର୍ଦ୍ଦୋଷ ପ୍ରମାଣିତ

ଲକ୍ଷ୍ନୌ: ବାବ୍ରି ମସଜିଦ ଭଙ୍ଗା ଘଟଣାରେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଠୋସ୍ ପ୍ରମାଣ ନଥିବା କୋର୍ଟ କହିଛନ୍ତି। ମସଜିଦ ଭାଙ୍ଗିବା ନେଇ ପୂର୍ବରୁ ଯୋଜନା ହୋଇନଥିଲା ବୋଲି ବିଚାରପତି ଏସକେ ଯାଦବ ରାୟରେ ଜଣାଇଛନ୍ତି।

ସିବିଆଇ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ବ୍ୟକ୍ତିମାନେ ବାବ୍ରି ମସଜିଦ ଭଙ୍ଗା ନଯାଉ ଏନେଇ ଚେଷ୍ଟା କରିଥିଲେ ଏବଂ ଏହାର ପ୍ରମାଣ ସହିତ ଟ୍ୟାମ୍ପରିଂ କରାଯାଇଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଏହି ମାମଲାରେ କୋର୍ଟରେ ୩୫୧ ସାକ୍ଷୀ ଏବଂ ୬୦୦ ଦଲିଲ ପ୍ରମାଣ ଭାବରେ ଉପସ୍ଥାପନ କରିଥିଲା।

Babri Masjid demolition verdict

ବାବ୍ରି ମସଜିଦ ଭାଙ୍ଗିବା ମାମଲାର ରାୟ ୨୩୦୦ ପୃଷ୍ଠାର କାଗଜ ଫର୍ଦ୍ଦରେ ସ୍ଥାନିତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ ସିବିଆଇ କୋର୍ଟ କହିଛନ୍ତି ଯେ ଏହି ଘଟଣାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର କୌଣସି ଭୂମିକା ନାହିଁ। ଅଦାଲତ କହିଛନ୍ତି ଯେ “ଅଜ୍ଞାତ ବ୍ୟକ୍ତିମାନେ ପଛ ପଟରୁ ପଥର ଫିଙ୍ଗିଥିଲେ“।

ବାବ୍ରି ମସଜିଦ, ସମ୍ରାଟ ବାବରଙ୍କ ଦ୍ୱାରା ନିର୍ମିତ ମୋଗଲ ଯୁଗର ମସଜିଦ। ଏହା ଡିସେମ୍ବର ୬, ୧୯୯୨ରେ କର ସେବକମାନଙ୍କର ଏକ ବିଶାଳ ଜନସମାବେଶ ବେଳେ ଧ୍ୱଂସ ହୋଇଯାଇଥିଲା। ଏହି ମସଜିଦ ଭଗବାନ ରାମଙ୍କ ଜନ୍ମସ୍ଥାନରେ ନିର୍ମିତ ହୋଇଥିବା ଦର୍ଶାଇ କର ସେବକମାନେ ଏହି ସ୍ମାରକୀକୁ ଭାଙ୍ଗି ଦେଇଥିଲେ।

In pics: How Ram Mandir will look like after completion | India News –  India TV

ଗତ ବର୍ଷ ରାମ ଜନ୍ମଭୂମି ଆନ୍ଦୋଳନ ପାଇଁ ଏକ ପ୍ରମୁଖ ବିଜୟ ସ୍ୱରୂପ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କରିଥିଲେ। ତେବେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ରାୟରେ କହିଛନ୍ତି ଯେ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗାଯିବା ଆଇନର ଉଲ୍ଲଂଘନ। ମସଜିଦ ନିର୍ମାଣ ପାଇଁ ସହରରେ ଏକ ପାଞ୍ଚ ଏକର ବିଶିଷ୍ଟ ବିକଳ୍ପ ସ୍ଥାନ ମଧ୍ୟ ପ୍ରଦାନ କରାଯାଇଛି।