ନୂଆଦିଲ୍ଲୀ: ଆଇସିସି ଦ୍ୱାରା ପରିଚାଳିତ ୧୯ ବର୍ଷରୁ କମ୍ ବିଶ୍ୱକପ୍ର ଫାଇନାଲରେ ଭାରତ ପହଞ୍ଚିଛି । ଆସନ୍ତା ୫ ତାରିଖ (ଶନିବାର) ଇଂଲଣ୍ଡକୁ ଭେଟିବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ୧୯ ବର୍ଷରୁ କମ୍ ଟିମ୍ର ଖେଳାଳିଙ୍କ ସହିତ କଥା ହୋଇଛନ୍ତି ।
୧୯ବର୍ଷରୁ କମ୍ କ୍ରିକେଟ୍ ଟିମ୍ର ଖେଳାଳି କୌଶଲ ତାମ୍ବେ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିରାଟ କୋହଲିଙ୍କ ସହିତ ଭିଡିଓ କଲରେ ନଜର ଆସୁଛନ୍ତି । କୌଶଲ ତାମ୍ବେ ଲେଖିଛନ୍ତି ଯେ, ଫାଇନାଲ ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ବାବଦରେ ଜାଣିବାକୁ ମିଳିଲା । ବିରାଟ କୋହଲିଙ୍କୁ କୌଶଲ ପ୍ରଶଂସା କରିଛନ୍ତି ।
ଆଣ୍ଟିଗୁଆସ୍ଥିତ କୁଲୀଜ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଟିମ୍ର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ । ତେଣୁ ଭାରତର ସ୍କୋର ୨୯୦ ରନ୍ ହୋଇପାରିଥିଲା । ଅଧିନାୟକ ୟଶ ଢୁଲ ୧୧୦ ରନ୍ ଓ ଶେଖ ରଶୀଦ୍ ୯୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି ୪୧.୫ ଓଭରରେ ୧୯୪ ରନ୍ ସଂଗ୍ରହ କରିପାରିଥିଲେ । ଭାରତ ପକ୍ଷରୁ ଓସ୍ତୱାଲ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ନିଶାନ୍ତ ସିନ୍ଧୁ ଓ ରବି କୁମାରଙ୍କୁ ୨-୨ ୱିକେଟ୍ ମିଳିଥିଲା । ଭାରତୀୟ ଯୁବ କ୍ରିକେଟର ମାନେ ବୁଧବାର ଅଷ୍ଟ୍ରେଲିଆ ବପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍କୁ ୯୬ ରନ୍ରେ ଜିତିଥିଲେ ।