ମଣିପୁର ପାଇଁ ବିଜେପି ଜାରି କଲା ଘୋଷଣାପତ୍ର

ମଣିପୁର: ମଣିପୁର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଘୋଷଣାପତ୍ର । ବିଜେପିିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଣିପୁର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଘୋଷଣାପତ୍ର ଜାରି କରିଛନ୍ତି । ଏହି ଘୋଷଣା ପତ୍ରରେ ବିଜେପି ମତଦାତାଙ୍କୁ ହାତେଇବାକୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଛି । ନଡ୍ଡା କହିଛନ୍ତି ଯେ, ଗତ ୫ ବର୍ଷ ହେଲା ଏନ୍‌ ବୀରେନ୍‌ ସିଂହଙ୍କ ନେତୃତ୍ୱରେ ଏଠାରେ ସ୍ଥିର ନେତୃତ୍ୱ ଦେଖିବାକୁ ମିଳିଛି । ସେହିପରି ବିଜେପି ସରକାରକୁ ପୁଣିଥରେ ଆଣିବାକୁ ନଡ୍ଡା ମଣିପୁର ଭୋଟରମାନଙ୍କୁ ଆହ୍ୱାନ କରିଛନ୍ତି ।

ଅନ୍ୟପକ୍ଷରେ ଏହି ଘୋଷଣା ପତ୍ରରେ ରହିଛି ଯେ, ମଣିପୁରର ମହିଳାମାନଙ୍କୁ ଦୁଇଟି ମାଗଣା ସିଲିଣ୍ଡର ଦିଆଯିବା ସହ ସବୁ ମେଧାବୀ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ମାଛ ଧରାଳୀଙ୍କର ଯଦି ଦୁର୍ଘଟଣାରେ ମୃତ୍ୟୁ ହେଲେ ସେମାନଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ଓ ମହିଳାଙ୍କ ଶିକ୍ଷା ଓ ବିକାଶ ପାଇଁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବା ସହ ବରିଷ୍ଠ ନାଗରିକଙ୍କ ପେନସନ୍‌ ବଢାଇବାକୁ ବିଜେପି ନିଜର ଘୋଷଣାପତ୍ରରେ ଉଲ୍ଲେଖ କରିଛି । ସୂଚନାଯୋଗ୍ୟ ଯେ ମଣିପୁରରେ ବିଧାନସଭା ନିର୍ବାଚନ ଚଳିତମାସ ୨୮ ଓ ମାର୍ଚ୍ଚ ୫ରେ ହେବ ।