ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ ପିଏମ୍‌ ମୋଦି

ନୂଆଦିଲ୍ଲୀ: ଏବେ ବି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଲଢ଼େଇ। ସବୁ ଚେଷ୍ଟା ପରେ ବି ଏହି ଯୁଦ୍ଧ ବନ୍ଦ ହେଉନାହିଁ। ଯୁଦ୍ଧ ରୋକିବା ନେଇ ଏବେ ପ୍ରଧାନମନ୍ତ୍ରୀ ମୋଦି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଫୋନ୍ରେ କଥା ବାର୍ତ୍ତା ହେବେ।

ରିପୋର୍ଟ ମୁତାବକ, ପିଏମ୍ ମୋଦି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଫୋନ୍ରେ କଥା ହେବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ବି କଥା ହୋଇଥିଲେ। ଏବେ ଯାଏଁ ସବୁ ଚେଷ୍ଟା ବିଫଳ ହୋଇଥିବାରୁ ଏବେ ପୂରା ଦୁନିଆର ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରହିଛି। ଗତ ୧୨ଦିନ ହେଲାଣି ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷ ସେନା ୟୁକ୍ରେନ୍ର ଅନେକ ସହରକୁ ନିଜ କବ୍ଜାକୁ ନେଇ ସାରିଲାଣି। ରବିବାର ଦିନ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ ସହ କଥା ହୋଇ ଆକ୍ରମଣ ରୋକିବାକୁ କହିବାକୁ ଅନୁରୋଧ କରିଥିଲେ।

ଏବେ ରୁଷ ତୁହାକୁ ତୁହା ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନ୍‌ଙ୍କ ସହ କଥା ହେବେ। ନିକଟରେ ମୋଦି ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ପୁଟିନ୍‌ଙ୍କ ସହ ଆଲୋଚନା କରିଥିଲେ। ପୁଟିନ୍‌ କହିଥିଲେ ଯେ ଆମେ ଭାରତୀୟଙ୍କର କୌଣସି କ୍ଷତି କରିବୁ ନାହିଁ। ଅନ୍ୟପଟେ ଆଜି ଦ୍ୱିତୀୟ ଥର ପାଇଁ ମୋଦି ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନା କିଛି ଶୁଭ ଫଳ ଆଣିବ ବୋଲି ଆଶା ରଖିଛି ୟୁକ୍ରେନ୍।