ସୁଟ୍‌କେଶ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ

ମା ବାପାଙ୍କୁ କନ୍ଦାଇ କି ଲାଭ ପାଉଛନ୍ତି ପିଲା….

ମଥୁରା: ନଭେମ୍ବର ୧୮ ତାରିଖରେ ମଥୁରାର ଯମୁନା ଏକ୍ସପ୍ରେସ ହାଇୱେ କଡ଼ରେ ପଡ଼୍‌ିଥିବା ଗୋଟିଏ ଲାଲରଙ୍ଗ ସୁଟକେଶ ଭିତରୁ ୨୨ ବର୍ଷୀୟା ଆୟୁଷି ଯାଦବଙ୍କର ମୃତଦେହ ମିଳିଥିଲା । ଆୟୁଷିଙ୍କୁ ଗୁଳି କରାଯାଇଥିଲା । ତାଙ୍କ ମୃତଦେହକୁ ଗୋଟିଏ ପଲିଥିନରେ ପ୍ୟାକ୍‌ କରାଯାଇ ସୁଟକେଶ ଭିତରେ ରଖାଯାଇଥିଲା । ସୁଟକେଶ ଭିତରେ ଦୁଇଟି ଲାଲରଙ୍ଗର ଶାଢ଼ୀ ରହିଥିଲା । ମୃତଦେହ ମିଳିବାର ତିନିଦିନ ପରେ ମଥୁରା ପୁଲିିସ ଘଟଣାର ପର୍ଦ୍ଦାଫାସ କରିଥିଲା ।

ପୁଲିସ ସୂଚନା ଅନୁସାରେ ଆୟୁଷିଙ୍କ ମା’ ମଧ୍ୟ ହତ୍ୟାକାଣ୍ଡରେ ସାମିଲ ଥିଲେ । ମୃତଦେହକୁ ଦିଲ୍ଲୀରେ ବଦରପୁରସ୍ଥିତ ଘରେ ରଖାଯାଇଥିଲା । ତା’ପରେ ଲାଶକୁ ସୁଟକେଶରେ ପୁରାଇ ଘରଠାରୁ ୧୫୦ କିଲୋମିଟର ଦୂର ମଥୁରା ଜିଲ୍ଲାର ରାୟା ଇଲାକାରେ ଫିଙ୍ଗି ଦିଆଯାଇଥିଲା । ଅନର କିଲିଂ ଅଭିଯୋଗରେ ଛନ୍ଦି ପୁଲିସ ଉଭୟ ମା’-ବାପାଙ୍କୁ ଗିରଫ କରିଛି । ଆୟୁଷି ଭରତପୁର ନିବାସୀ ଛତ୍ରପାଲକୁ ପ୍ରେମ କରୁଥିଲା । ଦୁହେଁ ଏକବର୍ଷ ତଳେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ । ଆୟୁଷି ତାଙ୍କ ମା-ବାପାଙ୍କ ପାଖରେ ରହୁଥିଲେ । ଆୟୁଷିଙ୍କ ମା-ବାପା ବିବାହକୁ କଡ଼ା ବିରୋଧ କରୁଥିଲେ । ୧୭ ନଭେମ୍ବର ଦିନରେ ମା’ଙ୍କ ସହ ଆୟୁଷି ଝଗଡ଼ା କରିଥିଲେ ।

ମା’ ସେହି ଘଟଣା ବାପାଙ୍କ ଆଗରେ କହିଦେଲେ । ଅସନ୍ତୁଷ୍ଟ ବାପା ଝିଅକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ । ମାତ୍ର ଆୟୁଷି କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା । କ୍ରୋଧରେ ହିତାହିତଶୂନ୍ୟ ହୋଇ ବାପା ସର୍ଭିସ୍‌ ରିଭଲଭରରୁ ଗୁଳି କରି ଆୟୁଷିଙ୍କୁ ମାରିଦେଲେ । ଆୟୁଷି ବିସିଏ ପଢୁଥିଲେ । ମୃତଦେହ ଚିହ୍ନଟ ସମୟରେ ଆୟୁଷିଙ୍କ ମା ଓ ଭାଇ ପରସ୍ପରକୁ କୁଣ୍ଢେଇ କାନ୍ଦି ପକେଇଥିଲେ । ଏହି ହତ୍ୟାକାଣ୍ଡର ସବୁଠାରୁ ଗୁରୁତର ବିଷୟ ହେଉଛି, ପୁଲିସ ଆୟୁଷିଙ୍କ ପରିବାର ନିକଟରେ ପହଂଚିବା ।

ପରିବାର ଲୋକମାନେ ଆୟୁଷି ନିଖୋଜ ସଂପର୍କରେ ଥାନାରେ ସୂଚନା ଦେଇ ନଥିଲେ । ଗୁଳି ମରାଯାଇଥିବା ରିଭଲଭରଟିର ଲାଇସେନ୍ସ ଦେବରିୟାରେ ହୋଇଥିଲା । ଜେରା ସମୟରେ ମା ବାପା କାନ୍ଦିଥିଲେ । ସବୁକିଛି କ୍ଷଣିକ କ୍ରୋଧରେ ଘଟିଗଲା ବୋଲି ବାପା କହିଥିଲେ । ଆୟୁଷି ତାଙ୍କ ମା-ବାପାଙ୍କ ସହ ସବୁବେଳେ କଳି କରୁଥିଲେ । ଝିଅ ନିଟ୍‌ ପରୀକ୍ଷାରେ ଭଲ ନମ୍ବର ରଖିଥିଲେ ମଧ୍ୟ କାଉନ୍‌ସେଲିଂକୁ ଗଲେନି । ସବୁ କଥାରେ ବାପା-ମାଙ୍କୁ ଗାଳିଫଜିତ କରୁଥିଲେ । ଅପରାଧୀକୁ ଧରିବା ପାଇଁ ପ୍ରାୟ ୩୦୦ ପୁଲିସ ରାତିଦିନ ଏକ କରିଥିଲେ । ତେବେ କେହି ଜଣେ ଫୋନ୍‌ କରି ଆୟୁଷିର ବାପା-ମାଙ୍କ ଠିକଣା କହିବା ପରେ ପୁଲିସ ଘଟଣାର ମୂଳକୁ ଧରି ପାରିଥିଲା ।