ଜହ୍ନ ରାଇଜରେ ପହଂଚିଲା ନାସା ଓରିଅନ୍‌

ମାତ୍ର ବୈଷୟିକ ତ୍ରୁଟି ଓ ପ୍ରତିକୂଳ ପାଗ କାରଣରୁ ଚନ୍ଦ୍ର ଅଭିଯାନକୁ ସ୍ଥଗିତ କରାଯାଇଥିଲା….

ନୂଆଦିଲ୍ଲୀ: ଭାରତୀୟ ସମୟ ସନ୍ଧ୍ୟା ୬ଟା ୨୭ ମିନିଟ୍‌ରେ ନାସା ପଠାଇଥିବା ଓରିଅନ୍‌ ମହାକାଶଯାନ ଚନ୍ଦ୍ରଠାରୁ ମାତ୍ର ୧୩୦ କିଲୋମିଟର ଦୂରରେ ପହଂଚିଲା । ନାସାର ଏହି ଚନ୍ଦ୍ର ଅଭିଯାନ ଅର୍ଟେମିସ୍‌-୧ର ଅଂଶବିଶେଷ । ନଭେମ୍ବର ୧୬ ତାରିଖରେ ଫ୍ଲୋରିଡାର କେନେଡି ମହାକାଶ ସେଂଟରରୁ ମହାକାଶଯାନ ଚନ୍ଦ୍ର ଅଭିମୁଖେ ଯାତ୍ରାରମ୍ଭ କରିଥିଲା ।

ଏହି ମିଶନରେ ଆମେରିକା ତିଆରି କରିଥିବା ସବୁଠାରୁ ଶକ୍ତିଶାଳୀ ‘ସ୍ପେଶ୍‌ ଲଂଚ ସିଷ୍ଟମ୍‌’ ରକେଟ୍‌ ବ୍ୟବହାର କରାଯାଇଥିଲା । ଉଡ଼ାଣ ଆରମ୍ଭ କରିବାର ମାତ୍ର କେଇ ମିନିଟ୍‌ ଭିତରେ ଓରିଅନ୍‌ କ୍ୟାପସୁଲ ଅଲଗା ହୋଇ ଚନ୍ଦ୍ର ଉଦ୍ଦେଶ୍ୟରେ ଯାତ୍ରା କରିଥିଲା । ଏହା ପୂର୍ବରୁ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୩ ତାରିଖରେ ଓରିଅନକୁ ପଠାଇବାର ଉଦ୍ୟମ କରାଯାଇଥିଲା । ମାତ୍ର ବୈଷୟିକ ତ୍ରୁଟି ଓ ପ୍ରତିକୂଳ ପାଗ କାରଣରୁ ଚନ୍ଦ୍ର ଅଭିଯାନକୁ ସ୍ଥଗିତ କରାଯାଇଥିଲା ।

ଏବେ ଓରିଅନର ପ୍ରଥମ କାମ ହେଉଛି, ଚନ୍ଦ୍ରପୃଷ୍ଠର ଅତି ନିକଟ ଦେଇ ଗତି କଲାବେଳେ ଓରିଅନ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଆପୋଲୋ-୧୧, ୧୨ ଓ ୧୪ ମିଶନ ସ୍ଥାନର ଫଟୋ ଉଠାଇବ । ପୃଥିବୀ ସହ ୩୪ ମିନିଟ୍‌ ସଂପର୍କ ବିଚ୍ଛିନ୍ନ କରିବା ପରେ ପୁଣି ଓରିଅନ୍‌ ନାସା ସହ ସଂପର୍କ ରକ୍ଷା କରି ଉଠାଇଥିବା ଫଟୋଗୁଡ଼ିକ ପଠାଇବ । ୫୩ ବର୍ଷ ପରେ ଆମେରିକା ପୁଣି ଅର୍ଟେମିସ ମିଶନ ଆରମ୍ଭ କରିଛି । ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ଆମେରିକା ଉଦ୍ୟମ କରୁଛି । ଏହି ମିଶନ ତିନୋଟି ପର୍ଯ୍ୟାୟରେ ଶେଷ ହେବ ।

ଅର୍ଟେମିଶ-୧ ରକେଟ୍‌ ଚନ୍ଦ୍ରର କକ୍ଷପଥ ପର୍ଯ୍ୟନ୍ତ ଯିବ । ସେଠାରୁ ଚନ୍ଦ୍ରପୃଷ୍ଠକୁ କିଛି ଛୋଟଛୋଟ ଉପଗ୍ରହ ପଠାଇବ । ତା’ପରେ ଅର୍ଟେମିଶ-୧ ନିଜକୁ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରିବ । ୨୦୨୪ରେ ଅର୍ଟେମିସ-୨ ପଠାଯିବାର ଯୋଜନା ଅଛି । ଅର୍ଟେମିସ-୨ରେ କିଛି ମହାକାଶ ବିଜ୍ଞାନୀ ଚନ୍ଦ୍ର ଅଭିମୁଖେ ଯିବେ ମାତ୍ର ସେମାନେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେନି । କେବଳ ଚନ୍ଦ୍ର କକ୍ଷପଥରେ ବୁଲି ଫେରିଆସିବେ ।

ଅର୍ଟେମିସ-୩ ମିଶନ ୨୦୨୫-୨୦୨୬ରେ କାର୍ଯ୍ୟକାରୀ କରାଯିବ । ପ୍ରଥମ ଥର ପାଇଁ ଜଣେ ମହିଳା ମହାକାଶଚାରୀଙ୍କୁ ମଧ୍ୟ ଚନ୍ଦ୍ର ଅଭିମୁଖେ ପଠାଯିବ । ଶ୍ୱେତକାୟ ଓ କୃଷ୍ଣକାୟ ମହାକାଶଚାରୀ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ମହଜୁଦ ପାଣି ଓ ବରଫ ସଂପର୍କରେ ଗବେଷଣା କରିବେ ।