ନୂଆଦିଲ୍ଲୀ: ଆଉ ଯାତ୍ରୀମାନଙ୍କୁ ହାତରେ ଟିକେଟ୍ ଓ ପରିଚୟ ପତ୍ର ଧରି ବିମାନଘାଟିରେ ହଡ଼ବଡ଼ ହେବାକୁ ପଡ଼ିବ ନାହିଁ । ବିମାନଯାତ୍ରାକୁ ପେପରଲେସ୍ (କାଗଜବିହୀନ) କରିବା ପାଇଁ ସରକାରଙ୍କ ପକ୍ଷରୁ ଡିଜି ଯାତ୍ରା ଆପ୍ କାର୍ଯ୍ୟକାରୀ କରାଯାଇଛି । ଏହାଦ୍ୱାରା ଯେକୌଣସି ଯାତ୍ରୀଙ୍କୁ ଏଫ୍ଆର୍ଟି ବା ଫେସିଆଲ୍ ରେକଗ୍ନିସନ୍ ଟେକ୍ନୋଲୋଜି ଆଦରିବାକୁ ପଡ଼ିବ । ଯାତ୍ରୀଙ୍କୁ ସେମାନଙ୍କ ସ୍ମାର୍ଟଫୋନ୍ରେ ଡିଜି ଯାତ୍ରା ଆପ୍ ଡାଉନ୍ଲୋଡ୍ କରିବାକୁ ପଡ଼ିବ ଯାହା ଜରିଆରେ ପ୍ରତି ଚେକ୍ ପଏଂଟରେ ଆପଣଙ୍କ ମୁଖମଣ୍ଡଳ ଯାଂଚ କରିବ କ୍ୟାମେରା ।
ପ୍ରଥମ ଦଫାରେ ଦେଶର ସାତୋଟି ଘରୋଇ ବିମାନ ବନ୍ଦରରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ପ୍ରକଳ୍ପର ସଫଳତା ଅନୁଧ୍ୟାନ ପରେ ସାରା ଦେଶରେ ଏହି ବ୍ୟବସ୍ଥା କାମ କରିବ । ଗୁରୁବାର ଦିଲ୍ଲୀ, ବେଙ୍ଗାଲୁରୁ ଓ ବାରାଣସୀ ବିମାନ ବନ୍ଦରରେ ଏଫ୍ଆର୍ଟି ସେବା ଆରମ୍ଭ ହୋଇଛି ।
ମାସେ ଦୁଇମାସ ଭିତରେ ହାଇଦ୍ରାବାଦ, କୋଲକାତା, ପୁଣେ ଓ ବିଜୟୱାଡ଼ାରେ ଏଫ୍ଆର୍ଟି ସେବା ଆରମ୍ଭ ହେବ । କ୍ରମେ ଦେଶର ଅନ୍ୟ ଅଂଚଳରେ ଥିବା ବିମାନ ଘାଟିରେ ଏଫ୍ଆର୍ଟି ସେବା ଯୋଗାଇ ଦିଆଯିବ । ଯାତ୍ରୀମାନଙ୍କୁ ଡିଜି ଯାତ୍ରା ଆପ୍ରେ ଥରୁଟିଏ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ନାମ ପଞ୍ଜୀକରଣ ପାଇଁ ଆଧାର ଓ ବ୍ୟକ୍ତିଗତ ଫଟୋଟିଏ ଲୋଡ଼ା ।