ରାତି ପ୍ରାୟ ଦୁଇଟା । ପ୍ରବଳ ଥଣ୍ଡା । ହାତଗୋଡ଼ ଥରି ଯାଉଥାଏ । ହସ୍ପିଟାଲର ସୁରକ୍ଷାକର୍ମୀ ଫୋନ୍ କଲେ । ‘୨୨ ବର୍ଷର ଯୁବକଙ୍କର ପରଲୋକ ହୋଇଯାଇଛି । ସାଙ୍ଗରେ ବୁଢ଼ୀ ମା’ଟିଏ । ମୃତଦେହକୁ ଗାଆଁକୁ ନେବାକୁ ପଡ଼ିବ ।’ ମୁଁ ଶବଗାଡ଼ି ଧରି ଡାକ୍ତରଖାନାରେ ପହଂଚିଲି । ଦେଖିଲି, ବୁଢ଼ୀ ମା’ଟିଏ ପୁଅର ମୃତଦେହକୁ ଜଗି ବସିଛନ୍ତି, ଥଣ୍ଡାରେ ଥରୁଛନ୍ତି । ମୃତଦେହକୁ ଗାଡ଼ିରେ ରଖିଲି । ମା’ ମଧ୍ୟ ଥରିଥରି ପୁଅର ମୃତଦେହ ନିକଟରେ ବସିପଡ଼ିଲେ । ମୁଁ ସହି ପାରିଲିନି । ମୋ ଶାଲ ଓ ଜ୍ୟାକେଟ୍ଟିକୁ ବୁଢ଼ୀ ମା’ଙ୍କୁ ଦେଲି । ବୁଢ଼ୀ ମା’ଟି ପୁଅ ଶବକୁ ଶାଲରେ ଘୋଡ଼ାଇ ଦେଇ କହିଲେ, ୟାକୁ ବହୁତ ଥଣ୍ଡା ଲାଗୁଛି ।
ଆଉ ଥରେ ଅନ୍ତିମ ସଂସ୍କାର ପାଇଁ ଶବଗାଡ଼ି ଧରି ଯାଇଥିଲି । ଶବକୁ ଉଠାଇ ଗାଡ଼ିରେ ରଖିଲି । ହଠାତ୍ ଛୋଟ ଝିଅଟିଏ ଆସି ମୋ ଗୋଡ଼କୁ ଦୁଇହାତରେ ଜାବୁଡ଼ି ଧରି ବଡ଼ପାଟିରେ କାନ୍ଦିବାକୁ ଲାଗିଲା । କହିଲା, ତମେ ମୋ ବାପାକୁ ନିଅନାହିଁ । ମୋ ବାପାକୁ ଏଇଠି ରହିବାକୁ ଦିଅ । ସେ ମୋ ପାଖେପାଖେ ରହିବେ ।
ଏମିତି ପ୍ରତ୍ୟେକ ମୃତବ୍ୟକ୍ତିଙ୍କର ଅଲଗା ଅଲଗା କାହାଣୀ ରହିଛି । କିନ୍ତୁ ଉପରୋକ୍ତ ଘଟଣା ଦୁଇଟି ମୋର ସ୍ମରଣୀୟ ହୋଇ ରହିଯାଇଛି ।
ଆମ ନାୟକ ବିକାଶ ପଚୌରୀଙ୍କ ଘର ମଧ୍ୟପ୍ରଦେଶ ରାଜଧାନୀ ଭୋପାଳଠାରୁ ପ୍ରାୟ ୬୦ କିଲୋମିଟର ଦୂର ବିଦିଶା ଜିଲ୍ଲାରେ । ତାଙ୍କର ନିତିଦିନିଆ କାମ ହେଲା ଶବଗାଡ଼ିରେ ଶବ ନେଇ ଅନ୍ତିମ ସଂସ୍କାର କରିବା । ଏସବୁ କାମ ପାଇଁ ସେ କାହାଠାରୁ ଟଙ୍କାଟିଏ ନିଅନ୍ତି ନାହିଁ । ଆଜି ମଧ୍ୟ ବିକାଶ ଶବଗାଡ଼ି ଚଳାଇ ଯାଉଛନ୍ତି । ତାଙ୍କ ଗାଡ଼ି ଉପରୁ ଶବ୍ଦ ଭାସିଆସୁଛି, ‘ହେ ରାମ ହେ ରାମ ପ୍ରଣାମ… ତୁମକୁ ଶେଷ ପ୍ରଣାମ’ ଗୀତଟି ।
କୌଣସି ବ୍ୟକ୍ତିଙ୍କ ମୃତ୍ୟୁକୁ ବିକାଶ କହନ୍ତି ‘ଶାନ୍ତ ପଡ଼ିଯିବା’, ଅନ୍ତିମ ସଂସ୍କାରକୁ କହନ୍ତି ‘ସେବା’ ଓ ଶବଗାଡ଼ିକୁ କହନ୍ତି ‘ସେବା ବାହନ’ । ଦୈନିକ ୪-୫ଟି ଶବ ସଂସ୍କାର କରନ୍ତି ବିକାଶ । ୨୦୧୩-୧୪ରୁ ସେ ଲୋକଙ୍କୁ ମାଗଣାରେ ସେବା ପ୍ରଦାନ କରୁଛନ୍ତି । ‘ହଠାତ୍ କେମିତି ଏ ବାଟକୁ ଚାଲିଆସିଲେ’ । ପ୍ରଶ୍ନଟି ଶୁଣିବା ପରେ ବିକାଶଙ୍କ ମୁହଁରେ ସରୁ ହସଟିଏ ଖେଳିଗଲା । କିଛି ସମୟ ଭାବି ସେ କହିଲେ । ଆଜକୁ ୯ ବର୍ଷ ତଳେ ଗୋଟିଏ ମୃତଦେହକୁ ମଶାଣିକୁ ନେବା ପାଇଁ ଶବଗାଡ଼ି ପ୍ରଦାନକାରୀ ସଂସ୍ଥା, ଆମ୍ବୁଲାନ୍ସ ଚାଳକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଫୋନ୍ କରି ନିରାଶ ହେଲୁ । ମୃତଦେହକୁ କାନ୍ଧରେ ଲଦି ପ୍ରାୟ ୭ କିଲୋମିଟର ଚାଲିଲୁ । ବାଟ ଚାଲିବା ଭିତରେ ମନକୁ ଗୋଟିଏ କଥା ଆସିଲା । ଆମ ପରି ବହୁ ଲୋକଙ୍କୁ ଏମିତି ଅସୁବିଧା ଭୋଗିବାକୁ ପଡୁଥିବ । ଆମ ପରି ସେମାନେ ମଧ୍ୟ ଆମ୍ବୁଲାନ୍ସ, ଶବଗାଡ଼ି ଓ ପ୍ରଶାସନିକ ସହଯୋଗ ପାଉ ନଥିବେ । ଏଭଳି ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ମୋତେ କିଛି କରିବାକୁ ପଡ଼ିବ । ବାସ୍, ସେଦିନର ଅସୁବିଧାକୁ ଅଙ୍ଗେ ନିଭାଇବା ପରେ ଏଇ ଦିଗକୁ ପବିତ୍ର ସେବା ମଣିଲି ।
ବେସହାରା ଶବଟିଏ ଆଖି ଆଗରେ ପଡ଼ିଲେ, ମନଟି ଆହୁରି ବିଚଳିତ ହୋଇଉଠେ । ମଣିଷଟିଏ ତା’ର ଅନ୍ତିମଯାତ୍ରାରେ କାହାଠାରୁ କ’ଣ ଶେଷ ସମ୍ମାନଟିଏ ପାଇବାକୁ ଯୋଗ୍ୟ ନୁହନ୍ତି । ଏଇ ଭାବନାକୁ ମନରେ ରଖି ଆଗେଇ ଚାଲିଛି ବୋଲି କହନ୍ତି ବିକାଶ ।