ରାଜ୍ୟରେ ପଶୁ ଡାକ୍ତର ମରୁଡି: ସଲାସୁତୁରାରେ ଚାଲିଛି ବଣଭୋଜି

ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ପ୍ରାଣୀ ଉଦ୍ୟାନ ବା ଚିଡ଼ିଆଖାନାରେ ବହୁ ବିରଳ ପ୍ରଜାତିର ପଶୁପକ୍ଷୀ ରହୁଛନ୍ତି । କିନ୍ତୁ ଦୁଃଖର କଥା ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କି ସେବାଶୁଶ୍ରୁଷା ଯୋଗାଇ ଦିଆଯାଉନି । ଦୈବାତ୍‌ କ୍ରମେ ଅନ୍ତିମ ମୁହୂର୍ତରେ କୌଣସି ପ୍ରାଣୀ କି ପକ୍ଷୀ ନନ୍ଦନକାନନ କର୍ମଚାରୀଙ୍କ ଦୃଷ୍ଟିରେ ପଡ଼ିଲେ, ନନ୍ଦନକାନନ କର୍ତୃପକ୍ଷ ଚେଇଁ ଉଠନ୍ତି । ଡାକ୍ତର ଓ ପ୍ରାଣୀଧନ ନିରୀକ୍ଷକ ଲଣ୍ଡଭଣ୍ଡ ହୁଅନ୍ତି । ବିଶେଷ କରି ହାତୀ, ସିଂହ, ବାଘ, ଭାଲୁ ଭଳି ଜୀବଜନ୍ତୁ ପ୍ରତି ନନ୍ଦନକାନନ ଅଧିକାରୀ ଯେତିକି ପ୍ରକୃତିସ୍ଥ, ଅନ୍ୟ ଜୀବଗୁଡ଼ିକ ପ୍ରତି ସେତେ ଚିନ୍ତିତ ନୁହନ୍ତି । ନନ୍ଦନକାନନରେ ଗୋଟିଏ ଶାଗୁଣା ବୁଢ଼ି ହୋଇଗଲାଣି ଅଥଚ ତା’ ପ୍ରତି କାହାରି ନିଘା ନାହିଁ ।

ଜ୍ୟର ପଶୁ ଚିକିତ୍ସା ମହାବିଦ୍ୟାଳୟରୁ ପ୍ରତିବର୍ଷ ବହୁ ପଶୁପକ୍ଷୀ ଡାକ୍ତର ବାହାରୁଛନ୍ତି । ମାତ୍ର ସେମାନେ କୁଆଡେ଼ ଯାଉଛନ୍ତି କ’ଣ କରୁଛନ୍ତି; ସେ ସଂପର୍କରେ କୌଣସି ଖୋଜଖବର ସରକାରଙ୍କ ପାଖରେ ନାହିଁ । ଓଡ଼ିଶା ଭଳି କୃଷିପ୍ରଧାନ ରାଜ୍ୟରେ ପଶୁ ଡାକ୍ତରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ରହିଛି । ମାତ୍ର ଆମ ରାଜ୍ୟ ସରକାର ପଶୁ ଡାକ୍ତରଙ୍କ ଉପସ୍ଥିତି ଆବଶ୍ୟକ କରୁନାହାନ୍ତି ।

ଯୋଉ ରାଜ୍ୟରେ ମଣିଷଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର ଡାକ୍ତରାଣୀ ନାହାନ୍ତି । ଡାକ୍ତରଖାନା ଅଛି ତ ଦୃଢ଼ ଭିତିଭୂମି ନାହିଁ । ସେଠି ପଶୁପକ୍ଷୀଙ୍କ କଥା ପଚାରୁଛି କିଏ? ରାଜ୍ୟରେ ହାତୀ ଅଭୟାରଣୀ ରହିଛି । ମାତ୍ର ୧୦ ବର୍ଷରେ ୭୫୦ରୁ ଅଧିକ ହାତୀ ମଲେଣି । ରାଜ୍ୟର ଅଭୟାରଣ୍ୟରେ ବସବାସ କରୁଥିବା ପ୍ରାଣୀମାନେ ସୁରକ୍ଷିତ ନାହାନ୍ତି । ଅବାଧ ପଶୁପକ୍ଷୀ ଶିକାର ଚାଲିଛି ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ବନ ବିଭାଗରେ ଏଭଳି କିଛି ଅଧିକାରୀ ଅଛନ୍ତି; ଯୋଉମାନେ ଯେତେବେଳେ ଇଛା କରନ୍ତି, ହରିଣ, କୁଟୁରା, ମିରିଗ, ମୟୁର ଭଳି ଜୀବକୁ ମାରି ବଣଭୋଜି କରନ୍ତି । ଭୁବନେଶ୍ୱର ଉପକଣ୍ଠ ଡେରାସ୍‌ ହାତୀ ଅଭୟାରଣ୍ୟରେ ଏହିଭଳି ଅନେକ ମାମଲା ଗଣମାଧ୍ୟମର ଦୃଷ୍ଟିକୁ ଆସିଛି । ହାତୀ ଅଭୟାରଣ୍ୟ ଭିତରକୁ ଶୁଖିଲା ଜାଳେଣି କାଠ ସଂଗ୍ରହ କରିବାକୁ ଯାଉଥିବା ଲୋକମାନଙ୍କଠାରୁ ବନ ଅଧିକାରୀଙ୍କ ବଣଭୋଜି କଥା ଶୁଣିବାକୁ ମିଳେ ।