ଦୁନିଆର ସବୁଠାରୁ ବଡ ଆନନ୍ଦ

ପରମ ଆନନ୍ଦ

ପରମ ଆନନ୍ଦ ପ୍ରାପ୍ତି କରିବାପରେ ଆଉ କିଛି ପାଇବାକୁ ବାକି ରହେ ନାହିଁ..

ଆମକୁ ଏହି ମନୁଷ୍ୟ ଶରୀର ସୁଖ ଦୁଃଖ ଭୋଗିବାପାଇଁ ମିଳିନାହିଁ । ଏହାର ଲକ୍ଷ୍ୟ ହେଲା , ସୁଖଦୁଃଖରୁ ଉପରକୁ ଉଠି ପରମ ଆନନ୍ଦ ପ୍ରାପ୍ତି କରିବା । ପରମ ଆନନ୍ଦ ପ୍ରାପ୍ତି କରିବାପରେ ଆଉ କିଛି ପାଇବାକୁ ବାକି ରହେ ନାହିଁ । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସାଂସାରିକ ପଦାର୍ଥରୁ ମିଳୁଥିବା ସୁଖଦୁଃଖ ପରିବର୍ତ୍ତନ ଶୀଳ ଓ କ୍ଷଣ ସ୍ଥାୟୀ । ଏହା ସୃଷ୍ଟି ହେବା ମୁହୂର୍ତ୍ତରୁ ହିଁ ତାହାର ବିନାଶ କାର୍ଯ୍ୟ ଆରମ୍ଭ ହୋଇଯାଏ । ଏଗୁଡିକ ପୂର୍ବରୁ ନ ଥିଲା ଓ ଭବିଷ୍ୟତରେ ରହିବ ନାହିଁ ଓ ବର୍ତ୍ତମାନ ମଧ୍ୟ ବିନାଶ ଆଡ଼କୁ ଗତି କରୁଛି। ଏଗୁଡିକୁ ଭୋଗ କରି ଏଥିରେ ଆସକ୍ତ ହୋଇ ଆମେ ପଥ ହୁଡିଚାଲିଛୁ ।

ସାଧାରଣ ମନୁଷ୍ୟକୁ ଅନୁକୂଳତା ସୁଖ ଦିଏ ଓ ପ୍ରତିକୂଳତା ଦୁଃଖ ଦେଇଥାଏ କିନ୍ତୁ ଜ୍ଞାନୀ ଜାଣେ ଯେ ଭୌତିକ ପଦାର୍ଥର ସଂଯୋଗରୁ ମିଳୁଥିବା ସୁଖ ଓ ବିୟୋଗରୁ ମିଳୁଥିବା ଦୁଃଖ ଉଭୟେ କଷ୍ଟର ପର୍ଯ୍ୟାୟ ଅଟେ । ତେଣୁ ସେ ସୁଖଦୁଃଖରେ ଅପ୍ରଭାବିତ ରହେ । ସେ ଅନୁକୂଳତା କିମ୍ବା ପ୍ରତିକୂଳତାକୁ ଭୋଗ କରେ ନାହିଁ ବରଂ ଏଗୁଡିକୁ ସେ ସଦୁପଯୋଗ କରେ। ସେ ଅନୁକୂଳତାକୁ ବୁଦ୍ଧିରେ ଉପଯୋଗ କରି ଅର୍ଜନ କରିଥିବା ସୁଖସୁବିଧାକୁ ନିଜର ଆଖପାଖରେ ଥିବା ଅଭାବଗ୍ରସ୍ତ ଲୋକଙ୍କର ସେବାରେ ବିନିଯୋଗ କରେ ଓ ପ୍ରତିକୂଳତାର କଷ୍ଟକୁ ତିକ୍ତ ଔଷଧ ସେବନ କଲାପରି ନିଜେ ପ୍ରସନ୍ନତାପୂର୍ଵକ ସହିଯାଏ ।

ସୁଖଦୁଃଖକୁ ଉପଭୋଗ କରିବାଦ୍ୱାରା ପରମ ଆନନ୍ଦ ପ୍ରାପ୍ତ ହୁଏ ନାହିଁ ବୋଲି ସେ ଭଲ ଭାବରେ ଜାଣିଥାଏ । ତାହାର ଦୃଷ୍ଟି ସର୍ବଦା ସମଭାବରେ ସ୍ଥିତ ଥିବାରୁ ତାକୁ ସୁଖଦୁଃଖର ଜ୍ଞାନ ତ ହୁଏ କିନ୍ତୁ ସେ ତାହାର ଭୋକ୍ତା ହୁଏ ନାହିଁ । ଭୋକ୍ତା ନ ହେବା ଫଳରେ ତାହାର ଅନ୍ତଃକରଣରେ ସୁଖଦୁଃଖର ସ୍ଥାୟୀ ସଂସ୍କାର ପଡେ ନାହିଁ ।
ସୁଖଦୁଃଖର ସଂସ୍କାର ନ ପଡିବା ଫଳରେ ସେ ବ୍ୟଥିତ ହୁଏ ନାହିଁ ଓ ପରମ ଆନନ୍ଦ ପ୍ରାପ୍ତ କରିବାର ଅଧିକାରୀ ହୋଇଯାଏ ।

କେବଳ ଭୌତିକ ପଦାର୍ଥର ସଂଯୋଗ ବିୟୋଗଦ୍ୱାରା ହେଉଥିବା ସୁଖଦୁଃଖରୂପୀ ବିକାରର ଅନୁଭୂତି ହିଁ ଏହି ମାର୍ଗର ପ୍ରତିବନ୍ଧକ ଅଟେ । ଯଦି ଆମେ ସୁଖଦୁଃଖକୁ ଉପଭୋଗ ନ କରି ଏହାର ସଦୁପଯୋଗ କରିବା ଶିଖିଯିବା , ସୁଖଦୁଃଖର ଉପରକୁ ଉଠିଯିବା , ତେବେ ଆମେ ମଧ୍ୟ ପରମ ଆନନ୍ଦକୁ ନିଶ୍ଚୟ ଅନୁଭବ କରିପାରିବା ।