ଅଢ଼େଇ କୋଟିରେ ବିକ୍ରି ହେଲା ଗାନ୍ଧୀଙ୍କ ଚଷମା

ଲଣ୍ଡନ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ହିରୋ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ହଳେ ସୁନାରେ ନିର୍ମିତ ଚଷମା ଲଣ୍ଡନରେ ନିଲାମ ହୋଇଛି। ଆଣ୍ଡ୍ରିୟୁ ଷ୍ଟୋଏ ନାମକ ଜଣେ ବ୍ୟକ୍ତି ଏହାକୁ ୩,୪୦,୦୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ଅଢ଼େଇ କୋଟି ଟଙ୍କା)ରେ କିଣିଛନ୍ତି।

ଇଷ୍ଟ ବ୍ରିଷ୍ଟଲ୍ ନାମକ ଏକ ବ୍ରିଟିଶ ନିଲାମ ସଂସ୍ଥା ଏହାକୁ ବିକ୍ରି କରିଛି। ଶୁକ୍ରବାର ଏ ବାବଦରେ ସଂସ୍ଥା ପକ୍ଷରୁ ଇନଷ୍ଟାଗ୍ରାମରେ ଉଲ୍ଲେଖ କରାଯାଇଥିଲା। ପୋଷ୍ଟରେ ଲେଖାଥିଲା ଯେ ଚାରି ସପ୍ତାହ ପୂର୍ବରୁ ଆମ ଚିଠି ବାକ୍ସରେ ଚଷମା ହଳକ ପାଇଥିଲୁ, ଜଣେ ଭଦ୍ରଲୋକଙ୍କ ମାମୁଁଙ୍କୁ ନିଜେ ଗାନ୍ଧୀ ଏହା ପ୍ରଦାନ କରିଥିଲେ। ଯାହାକୁ ସେ ନିଲାମ କରିବାକୁ ଚାହୁଁଛନ୍ତି।

ନିଜର ପୁରୁଣା କିମ୍ବା ଅବ୍ୟବହୃତ ଜିନିଷକୁ ଆବଶ୍ୟକ କରୁଥିବା ଲୋକଙ୍କୁ ପ୍ରଦାନ କରିବା ଗାନ୍ଧୀଙ୍କର ଅଭ୍ୟାସ ଥିଲା। ତେବେ ଚଷମା ହଳକର ମୂଳ ଆକଳନ ମୂଲ୍ୟ ୧୫,୦୦୦ ୟୁରୋ ରହିଥିବା ବେଳେ ଏହା ୨,୮୮,୦୦୦ ୟୁରୋରେ ବିକ୍ରି ହୋଇଛି। ଯାହାକୁ ନେଇ ନିଲାମ ସଂସ୍ଥା ଖୁସିବ୍ୟକ୍ତ କରିଛନ୍ତି।