ମହାରାଷ୍ଟ୍ରର ଛତ୍ରପତି ଶରଦ ପୱାରଙ୍କ ଶିବିର ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିବିରକୁ ଆଦରି ନେଇଛନ୍ତି ବରିଷ୍ଠ ରାଜନେତା ଅଜିତ ପୱାର । ଦିନେ ଅଜିତଙ୍କୁ ରାଜନୈତିକ ଉତରାଧିକାରୀ ମଣିଥିଲେ ଶରଦ ପୱାର । ଶରଦ ଓ ଅଜିତଙ୍କ ମଧ୍ୟରେ ମତଭେଦର ବିଷମଂଜି ଆଜି ବିରାଟ ଦ୍ରୁମରେ ପରିଣତ ହୋଇଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦୁର୍ବଳ ହୋଇଯାଉଛି । ଦଳର ମୁଖିଆ ସୁପ୍ରିୟା ସୁଲେଙ୍କ ସାହସ କମିଯାଉଛି । ଶରଦ ପୱାରଙ୍କ ବୟସ ଆଉ ରାଜନୀତି କରିବାକୁ ସାଥ ଦଉନି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହେବାପରେ ଶରଦ ଆଉ ରାଜନୀତି କରିବେନି ବୋଲି ମୁହଁ ଖୋଲି କହି ସାରିଲେଣି ।
ଶରଦଙ୍କ ପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଭାଗ୍ୟ କ’ଣ ହେବ? ତାକୁ ନେଇ କର୍ମୀଙ୍କ ଭିତରେ ନାନା ମତ ପ୍ରକାଶ ପାଇଛି । ଶରଦଙ୍କ ଭଳି ସୁପ୍ରିୟା ଟାଣୁଆ ନୁହନ୍ତି ବୋଲି ବହୁ ଦଳୀୟନେତା ଭାବୁଛନ୍ତି । କିନ୍ତୁ ଦଳର ତଳିଆ ନେତାଙ୍କଠାରୁ ଆରମ୍ଭ କରି ବଳିଷ୍ଠ ନେତାମାନେ ସୁପ୍ରିୟାଙ୍କ ସହିତ ରହିଲେ ଏନସିପି ନିଶ୍ଚିତ ରୂପେ ବଂଚିରହିବ ।
ଏନସିପିରେ ରହି ରାଜନୀତି କରିହେବନି ବୋଲି ଅନୁଭବ କରିବା ପରେ ଅଜିତ ପୱାର ଅଚାନକ ମହାରାଷ୍ଟ୍ର ରାଜଭବନରେ ପହଂଚିଲେ । ସିନ୍ଦେ-ବିଜେପି ମେଂଟକୁ ସମର୍ଥନ କରୁଛନ୍ତି ବୋଲି ଘୋଷଣା କରି ଜଣାଇଛନ୍ତି ଯେ ତାଙ୍କ ପ୍ରତି ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି ।
ତା’ର ଠିକ କେଇ ଘଂଟା ପରେ ଅଜିତ ପୱାର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ଏବେ ମହାରାଷ୍ଟ୍ରକୁ ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଶାସନ କରିବେ ।
ଏନସିପିର ଦୁଇନମ୍ବର ଟାଣୁଆ ନେତା ଭାବେ ଅଜିତ ଜଣାଶୁଣା ଥିଲେ । ଏବେ କକାପୁଅ ଭାଇକୁ ହାତଛଡ଼ା କରି ସୁପ୍ରିୟା ସୁଲେ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି । ବୋବାଳି ଛାଡ଼ିଛନ୍ତି, ‘ତୁ ସିନା ଚାଲିଗଲୁ ମୋଦି ଗୁହାଳକୁ, ମୁଁ ଏକା ରହିଗଲି ଏନସିପି ସମ୍ଭାଳିବାକୁ’ । ଅବଶ୍ୟ ବାପାଙ୍କ ହାତ ତିଆରି ଦଳକୁ କିପରି ଛାଡ଼ି ଚାଲିଯିବେ ସୁପ୍ରିୟା । ଶରଦ ପୱାରଙ୍କ ଦାୟାଦ ହିସାବରେ ତାଙ୍କୁ ହିଁ ଏନସିପି ପରିଚାଳନା କରିବାକୁ ପଡ଼ିବ ।