ନବୀନଙ୍କ ନାକ, କାନରେ ପଶିଲେ ମଶା
କଟକ ଓ ଭୁବନେଶ୍ୱର ମଶାପଲଙ୍କ ନିକଟରେ ହାର ମାନିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବିରୋଧୀଙ୍କ ମୁହଁ ବନ୍ଦ କରିବା ସହଜ । କିନ୍ତୁ ମଶା ବଂଶକୁ ସାବାଡ୍ କରିବା ସାଧ୍ୟାତୀତ ବୋଲି ମାନିଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ରାତିରେ ଆରାମ କରୁଥିଲା ବେଳେ ଗୋଟିଏ ମଶା ମୁଖ୍ୟମନ୍ତ୍ରୀଙ୍କ ନାକରେ ପଶିଗଲା । ମଶାକୁ ଘଉଡ଼ାଇବା ପାଇଁ ହାତ ଉଠାଇଲେ ସାର । ମଶାଟି କିଛି ବାଟ ଉଡ଼ି ଯାଉଥାଏ, ପୁଣି ଫେରିଆସି ନାକ ପାଖରେ ଉଡି ବୁଲୁଥାଏ ।
ସମ୍ଭାଳି ପାରିଲେନି ସାର । ‘ୟେ ସାଲା ନାକ୍ ମେ ଦମ୍ କର୍ କେ ରଖା ହୈ’ । ବାବୁଙ୍କ ପାଟିରୁ ଏ କଥା ଶୁଣି ଚପରାସୀ ହାତଯୋଡ଼ି ପଚାରିଲା । ‘ସାର ସରି ସାର । କିଛି ଭୁଲ କରି ଦେଲି କି?’ ଚପରାସୀ ମୁହଁରୁ ଏତକ ଶୁଣି ନବୀନବାବୁ କହିଲେ, ଆରେ ତୁଝେ ନେହିଁ । ଇସ୍ ମଛଡ଼ କୋ କହା ମୈ । କ୍ୟା କର ରହା ହେ ବିଏମସି ।’
ସତକଥା ହେଉଛି ଏବେ ମଶାଙ୍କ ପ୍ରେମଋତୁ ଚାଲିଛି । ମଶାପ୍ରେମୀଙ୍କ ରାସ୍ତାରେ କଂଟା ସାଜିବା ଅନୁଚିତ । ଆସନ୍ତା ୨/୩ ମାସ ପର୍ଯ୍ୟନ୍ତ ମଶାଙ୍କ ଭାଲେଂଟାଇନ୍ ଚାଲିବ । ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁରାଜ ଚାଲିଥିଲା । ଡେଙ୍ଗୁ ହମ୍ଲାରେ ବିଜେଡି ସରକାରଙ୍କ ନିଦ ହଜି ଯାଇଥିଲା । ମଶାପଲଙ୍କ ସାମ୍ନାରେ ଧନୀଗରିବ ପାତର ଅନ୍ତର ନାହିଁ । ସମସ୍ତଙ୍କ ରକ୍ତ ଶୋଷିବାର କ୍ଷମତା ରଖିଛନ୍ତି ମଶାପଲ ।
ମଶାଙ୍କ ଲଭ୍ ଲାଇଫ୍କୁ ବରବାଦ୍ ନକଲେ, ମଣିଷମାନେ ଶାନ୍ତିରେ ରହି ପାରିବେନି ବୋଲି ବିଶେଷଜ୍ଞମାନେ କହିଲେଣି । ବିଏମସ୍ କହୁଛି, ମଶାଙ୍କର ବି ବଂଚିବାର ଅଧିକାର ରହିଛି । ତାଙ୍କୁ ସମୂଳେ ନାଶ କରିବା କଦାପି ସମ୍ଭବ ନୁହେଁ । ମଣିଷଙ୍କ ଉପରେ ଲାଠି, ଜରିମାନା କାମ କରିବ । ହେଲେ ମଶାପ୍ରେମୀଙ୍କୁ ଅଟକାଇବା ମୁସ୍କିଲ ।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଦେଶ ମୁତାବକ ଭୁବନେଶ୍ୱର ଓ କଟକର ସବୁ ଗଳିକନ୍ଦିରେ ଫଗିଂ କରାଯାଉଛି । ଡ୍ରେନରେ ମଶା ଲାର୍ଭା ଖାଉଥିବା ଗମ୍ବୁସିଆ ମାଛ ଛଡ଼ାଯାଇଛି ।