କିବା ଅସାଧ୍ୟ ୫-ଟି ଥିଲେ: ଦରକାର ନାହିଁ ସ୍ମାର୍ଟ ଶିକ୍ଷକ

ବିଦ୍ୟାଳୟ ମୁଣ୍ଡରେ ୫-ଟି ଛାପ ଲାଗିଯିବା ଦରକାର । ବାସ୍‌ ଆଉ କିଛି ଦରକାର ନାହିଁ । ପିଲାଙ୍କ ପାଠପଢ଼ା ପାଇଁ ସ୍ମାର୍ଟ ଶିକ୍ଷକ ବଦଳରେ ଖେଳ ଶିକ୍ଷକ, ଚପରାସୀ, କିରାଣୀ ଜରୁରୀ । ସ୍ମାର୍ଟ ବିଦ୍ୟାଳୟର ଖେଳ ଶିକ୍ଷକ, ପିଅନ, କିରାଣୀମାନେ ପଢ଼ା କାମଟି ଚଳାଇ ଦେଇପାରିବେ ।

କରୋନା ମହାମାରୀ ସମୟରେ ପଂଚମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ଗାଁ ସରପଂଚ ଯଦି କଲେକ୍ଟର ଦାୟିତ୍ୱ ତୁଲାଇ ପାରିଲେ । ୫-ଟି ବିଦ୍ୟାଳୟର ପିଅନ, କିରାଣୀ, କ୍ରୀଡ଼ା ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାରେ ଅସୁବିଧା କ’ଣ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ସବୁକିଛି ସମ୍ଭବ ।   ସଚିବାଳୟ ପିଅନଙ୍କ ପାଖରେ ଯୋଉ କ୍ଷମତା, ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ କ୍ଷମତା ନାହିଁ । ଶିକ୍ଷକଗୁଡ଼ାକ ପିଣ୍ଡା ଓଲୁ ପରା । ସେମାନଙ୍କ ବେକରେ ଯୁଆଳି ପକାଇ ଜମି ଚାଷ କରିଲେ ଚଳିବ ।

ସ୍ମାର୍ଟ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ରହିବା ଦରକାର । ବାସ୍‌ ସେତିକି ଯଦି ଠିକଠାକ୍‌ ରହିଲା । ପିଲାଙ୍କ ଭବିଷ୍ୟତକୁ ବିଜେଡି ସରକାର ଉଠିଆ କରିଦେବେ । ସାଢେ଼ ଚାରିକୋଟି ଜନତାଙ୍କ ଭାଗ୍ୟଡୋରିକୁ ଧରିଛନ୍ତି ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିୟାନ । ବାସ୍‌ ଆଉ କ’ଣ ଦରକାର? ଓଡ଼ିଶା ମାଟିରେ ଜଣେ ହେଲେ ପୁଅ ଜନ୍ମ ହୋଇନାହାନ୍ତି ଯେ ଓଡ଼ିଶାକୁ ଦେଶର ନମ୍ବର ୱାନ୍‌ ରାଜ୍ୟ କରି ଦେଇପାରିବ ।

କଥା ହେଉଛି, ରାଜ୍ୟର ବହୁତ ସ୍ମାର୍ଟ ବିଦ୍ୟାଳୟ ରହିଛି ଯୋଉଠି ପାଠ ପଢ଼ା କାମ ପିଅନ, କିରାଣୀ ଓ କ୍ରୀଡ଼ା ଶିକ୍ଷକଙ୍କ ଜରିଆରେ ଚାଲିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଆମେ ଯାଇଥିଲୁ, ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକକୁ । ବିଦ୍ୟାଳୟଟିର ନାମ୍‌ ପୁଟିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ । ବହୁ ପୁରୁଣା ବିଦ୍ୟାଳୟଟିରେ ନବମ ଓ ଦଶମ ଶ୍ରେଣୀର ପିଲାମାନେ ପାଠ ପଢ଼ନ୍ତି । ନବମ ଶ୍ରେଣୀରେ ୫୬ ଜଣ ପୁଅଝିଅ ଓ ଦଶମ ଶ୍ରେଣୀରେ ୭୩ ଜଣ ପୁଅଝିଅ ପଢୁଛନ୍ତି । ବିଦ୍ୟାଳୟରେ ନିୟମିତ ପ୍ରଧାନ ଶିକ୍ଷକ ନାହାନ୍ତି । ପିଲାଙ୍କୁ ଗଣିତ ଓ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ପଢ଼ାଉଛନ୍ତି କ୍ରୀଡ଼ା ଶିକ୍ଷକ । ଅନ୍ୟ ବିଷୟ କଥା କ’ଣ କହିବୁ । ଆପଣମାନେ ସବୁ ଜାଣନ୍ତି ।

ଫେବୃଆରୀ ୨୦ ତାରିଖରେ ମାଟ୍ରିକ ପରୀକ୍ଷା । ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ ବିଷୟକୁ ମହାପ୍ରଭୁ ଜଗନ୍ନାଥଙ୍କ ଭରସାରେ ଛାଡ଼ି ଦିଆଯାଇଛି । ଶିକ୍ଷକ ଅଭାବ ସଂପର୍କୀତ ଅଭିଯୋଗ ପାଇ ବାଲେଶ୍ୱର ଜିଲ୍ଲାପାଳ ତତ୍ପରତା ଦେଖାଇଥିଲେ । ମାତ୍ର ସରକାରୀ କଥା ଆପଣମାନେ ଜାଣନ୍ତି ।