ଜନତାଙ୍କ ବିଚାର: ସବୁ ରାଜନୈତିକ ଦଳ ଧୋକାବାଜ

ରାଜ୍ୟରେ କୌଣସି ଗୋଟିଏ ରାଜନୈତିକ ଦଳ ସୁନାପୁଅ ହୋଇ ରହିନାହିଁ । କଂଗ୍ରେସ, ବିଜେପି ଓ ବିଜେଡି । ସବୁ ଦଳ ଲୋକଙ୍କ ବିଶ୍ୱାସ ସହିତ ଖେଳୁଛନ୍ତି । ଲୋକଙ୍କ ଅଭାବକୁ ଅସ୍ତ୍ର କରି ଭୋଟ ନେଉଛନ୍ତି । କ୍ଷମତାକୁ ଯିବା ପରେ ଲୋକଙ୍କୁ ଲୁଟୁଛନ୍ତି । ହାତକୁ କାମ ଦେବା ବଦଳରେ ଗରିବଙ୍କୁ ମାଗଣା ଚାଉଳ, ଛତା, କମ୍ବଳ, ଧୋତି, ଶାଢ଼ୀ ଧରାଇ ଆପଣା କାମ ହାସଲ କରୁଛନ୍ତି । ଭୋକିଲା ଭୋଟର ଆଉ କ’ଣ କରିପାରିବେ? ଲୋକଙ୍କ ହାତକୁ କାମ ଯୋଗାଇଦେଲେ ସେମାନେ ଆଉ କ୍ଷମତାସୀନ ଦଳର ହାତଟେକାକୁ ଅନାଇବେନି । ଆପଣା ମର୍ଜିରେ ଭୋଟ ଦେବେ । ହାତରୁ କ୍ଷମତା ଚାଲିଯିବାର ଭୟ ସବୁ କ୍ଷମତାସୀନ ଦଳକୁ ଘାରିଛି ।

ରାଇଟ୍‌ ପର୍ସନ ଡ୍ରାଇଭ୍‌ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା ଯାହାର କଦର୍ଯ୍ୟ ଚେହେରା ପଦାକୁ ଆସିଛି । ରିପୋର୍ଟ ଅନୁସାରେ ଦୀର୍ଘ ୫ ଥର କ୍ଷମତାରେ ରହିବା ଭିତରେ ମଧ୍ୟ ବିଜେଡି ଲୋକଙ୍କର ପ୍ରିୟପାତ୍ର ହୋଇପାରିନି ।
କେବଳ ଭୋଟ ପାଇଁ ଲୋକମାନେ ବିଜେଡିକୁ ଭୋଟ ଦେଉଛନ୍ତି ବୋଲି କହୁଛନ୍ତି ।

୬୩ ଭାଗ ଲୋକ କହିଛନ୍ତି, ବିଜେଡି ନେତାଙ୍କ ଦାଦାଗିରି, ଅପରାଧିକ କାର୍ଯ୍ୟକଳାପ ଜାଣିବା ପରେ ବି ସେମାନେ ବିଜେଡିକୁ ଭୋଟ ଦେବାର ମୁଖ୍ୟ କାରଣ କଂଗ୍ରେସ ଓ ବିଜେପି ପ୍ରତି ସେମାନଙ୍କ ମନରେ ବିଶ୍ୱାସ ନାହିଁ । ଜଣେ ଗରିବ ଭୋଟର କୁହନ୍ତି, ‘ବିଜେଡି ଆମକୁ ଲୁଟୁଛି । ମାତ୍ର ଆମ ପେଟକୁ ଭାତଗଣ୍ଡେ ଦେଉଛି । ମୁଣ୍ଡକୁ ଛାତଟେ ଦେଇଛି । ସ୍କୁଲ ପିଲାଙ୍କୁ ଓଳିଏ ଖାନା ଦେଉଛି ।’ ୪୮ ଭାଗ ଶିକ୍ଷିତ ଭୋଟର ବିଜେପି ଓ କଂଗ୍ରେସର ନେତୃତ୍ୱକୁ ନାପସନ୍ଦ କରିଛନ୍ତି । ସେମାନଙ୍କ ମତରେ ବିଜେପି ଓ କଂଗ୍ରେସ ତୁଳନାରେ ବିଜେଡି ଭଲ । ୯୨ ଭାଗ ଲୋକ କହିଛନ୍ତି, ‘ବିଜେପି, କଂଗ୍ରେସ ଓ ବିଜେଡିର ନେତା ଓ କର୍ମୀମାନେ ଅତି ବିଶୃଙ୍ଖଳିତ । ସେମାନେ ରାସ୍ତାକୁ ଓହ୍ଲାଇବା ମାତ୍ରେ ସାଧାରଣ ଲୋକଙ୍କୁ ମଶା ପିମ୍ପୁଡି ଭାବନ୍ତି । ହାତରେ ଠେଙ୍ଗା, ଖଣ୍ଡା ଧରି ଗାଡିମଟର ଅଟକାନ୍ତି । ସାଧାରଣ ପଥଚାରୀକୁ ଧମକାନ୍ତି । ଆମ୍ବୁଲାନ୍ସକୁ ଅଟକାନ୍ତି । ଟ୍ରେନ, ବସ୍‌, ଯାନବାହନକୁ ରୋକନ୍ତି । ଏସବୁ କ’ଣ ଶୃଙ୍ଖଳିତ ରାଜନୈତିକ ଦଳର ଲକ୍ଷଣ । ଯୋଉ ଭୋଟରଙ୍କ ବଳରେ କ୍ଷମତାକୁ ଯିବ । ସେଇମାନଙ୍କ କାମରେ ବାଧା ସୃଷ୍ଟି କରିବ । ଲୋକଙ୍କ ଧନଜୀବନ ସହ ଖେଳିବାକୁ କୋଉ ରାଜନୈତିକ ଦଳକୁ ଅନୁମତି ଦେଇଛି ଭାରତର ସମ୍ବିଧାନ ।